ଓଡିଶା

odisha

ETV Bharat / state

କଳାପାହାଡରୁ ମୋଗଲ...18 ଥର ଅଣହିନ୍ଦୁଙ୍କ ଆକ୍ରମଣ ସହିଛି ଶ୍ରୀକ୍ଷେତ୍ର, ଶହ ଶହ ବର୍ଷ ଖାଲି ପଡିଛି ରତ୍ନବେଦୀ, ଜାଣନ୍ତୁ ପୁରା ଇତିହାସ - HISTORY OF JAGANNATH TEMPLE - HISTORY OF JAGANNATH TEMPLE

Invasions on the Temple of Lord Jagannath: କଳାପାହାଡରୁ ନେଇ ମୋଗଲ ଶାସକ ପର୍ଯ୍ୟନ୍ତ ଆକ୍ରମଣ ଓ ଲୁଣ୍ଠନ ସହିଛି ଶ୍ରୀକ୍ଷେତ୍ର ପୁରୀ । ଶହ ଶହ ବର୍ଷ ଖାଲି ପଡିଛି ରତ୍ନବେଦୀ । ପାତାଳୀ ହୋଇଛନ୍ତି ଦାରୁଦିଅଁ, ବନ୍ଦ ରହିଛି ନୀତିକାନ୍ତି । ପଢନ୍ତୁ ଶ୍ରୀକ୍ଷେତ୍ରରେ ଅଣହିନ୍ଦୁ ଆକ୍ରମଣର କଳାଅଧ୍ୟାୟ ସମ୍ପର୍କରେ ‘ଇଟିଭି ଭାରତ’ର ଏକ ବିସ୍ତୃତ ରିପୋର୍ଟ...

କଳାପାହାଡରୁ ମୋଗଲ...18 ଥର ଅଣହିନ୍ଦୁଙ୍କ ଆକ୍ରମଣ ସହିଛି ଶ୍ରୀକ୍ଷେତ୍ର, ଶହ ଶହ ବର୍ଷ ଖାଲି ପଡିଛି ରତ୍ନବେଦୀ, ଜାଣନ୍ତୁ ପୁରା ଇତିହାସ
କଳାପାହାଡରୁ ମୋଗଲ...18 ଥର ଅଣହିନ୍ଦୁଙ୍କ ଆକ୍ରମଣ ସହିଛି ଶ୍ରୀକ୍ଷେତ୍ର, ଶହ ଶହ ବର୍ଷ ଖାଲି ପଡିଛି ରତ୍ନବେଦୀ, ଜାଣନ୍ତୁ ପୁରା ଇତିହାସ (ETV Bharat Odisha)

By ETV Bharat Odisha Team

Published : Jul 17, 2024, 2:32 PM IST

ହାଇଦ୍ରାବାଦ:ସନାତନ ଧର୍ମର ଚାରି ଆଦିପୀଠ ମଧ୍ୟରୁ ଅନ୍ୟତମ ଭାରତର ପୂର୍ବ-ଉପକୂଳରେ ଅବସ୍ଥିତ ଶ୍ରୀକ୍ଷେତ୍ର ପୁରୀ । ଐତିହାସିକଙ୍କ ମତରେ 12ଶହ ଖ୍ରୀଷ୍ଟାବ୍ଦରେ ଉତ୍କଳରେ ରାଜତ୍ବ କରୁଥିବା ଗଙ୍ଗବଂଶୀୟ ରାଜାଙ୍କ ଦ୍ବାରା ନିର୍ମିତ ହୋଇଥିଲା ଏହି ଭବ୍ୟ ମନ୍ଦିର । ପୁରା ବିଶ୍ବକୁ ସନାତନ ସଂସ୍କୃତି ଓ ଉତ୍କଳୀୟ ଭାସ୍କର୍ଯ୍ୟ କଳାର ପରିଚୟ ଦେଉଥିବା ଏହି ମନ୍ଦିର ଭଗବାନ ଶ୍ରୀବିଷ୍ଣୁଙ୍କର ଏକ ଅଂଶ ଭାବେ ଭଗବାନ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସମର୍ପିତ । ସମୟକ୍ରମେ ଉତ୍କଳୀୟ ପରମ୍ପରାରୁ ସୃଷ୍ଟି ହୋଇଥିବା ଜଗନ୍ନାଥ ସଂସ୍କୃତି ଓ ଚେତନା ବିଶ୍ବର କୋଣ ଅନୁକୋଣକୁ ପ୍ରଚାରିତ ହୋଇଛି । ମାତ୍ର ଏହି ଭବ୍ୟ ମନ୍ଦିର ବିଦେଶୀ ଶାସକଙ୍କ ଆକ୍ରମଣ ଓ ଲୁଣ୍ଠନରୁ ବାଦ ପଡିନଥିଲା । ହିନ୍ଦୁଧର୍ମର ଅନ୍ୟତମ ଆସ୍ଥାକେନ୍ଦ୍ର ଶ୍ରୀମନ୍ଦିର ନିର୍ମାଣ ହେବା ପରଠାରୁ 18ଥର ଅଣହିନ୍ଦୁ ଶାସକଙ୍କ ଆକ୍ରମଣର ଶିକାର ହୋଇଛି ।

ଶ୍ରୀମନ୍ଦିର ଇତିହାସରେ ଅଣହିନ୍ଦୁ ଆକ୍ରମଣ (ETV Bharat Odisha)

ଏହି ଆକ୍ରମଣ ସମୟରେ କେତେବେଳେ ମନ୍ଦିର ବନ୍ଦ ରଖାଯାଇଛି, ତ କେତେବେଳେ ଶ୍ରୀବିଗ୍ରହଙ୍କୁ ଲୁଚାଯାଇଛି । ଏପରିକି ରତ୍ନବେଦୀରୁ ସ୍ଥାନାନ୍ତରଣ ମଧ୍ୟ କରିବାରକୁ ପଡିଛି । ଶ୍ରୀବିଗ୍ରହ ଏକାଧିକ ଥର ସ୍ଥାନାନ୍ତିରତ ହୋଇ ଅନ୍ୟତ୍ର ଅବସ୍ଥାପିତ ହୋଇଛନ୍ତି । ଶହ ଶହ ବର୍ଷ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି । ତେବେ ବିଭିନ୍ନ ପାଞ୍ଜି ଓ ଐତିହାସିକଙ୍କ ବର୍ଣ୍ଣନା ଅନୁସାରେ, ପ୍ରାୟ 18ଥର ଆକ୍ରମଣର ଶିକାର ହୋଇଛି ଶ୍ରୀମନ୍ଦିର । ସବୁଥର ଇସଲାମୀୟ ଶାସକମାନେ ଆକ୍ରମଣ କରିଛନ୍ତି ।

ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେଶ୍ରୀମନ୍ଦିରର ପୁରାତନ ଫଟୋ (ETV Bharat Odisha)

ପ୍ରଥମ ଆକ୍ରମଣ:-

ମାଦଳାପାଞ୍ଜିର ବର୍ଣ୍ଣନା ଅନୁସାରେ, ପ୍ରଥମଥର ରକ୍ତବାହୁ ନାମକ ଶାସକ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ସମୁଦ୍ର ପଥରେ ବିଶାଳ ସେନା ଧରି ରକ୍ତବାହୁ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଶ୍ରୀମନ୍ଦିରରୁ ଶ୍ରୀବିଗ୍ରହମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ସୋନପୁର ଜିଲ୍ଲାରେ ତିନିଠାକୁରଙ୍କ ବିଗ୍ରହକୁ ପାତାଳି କରାଯାଇଥିଲା । ପ୍ରାୟ 146 ବର୍ଷ ପର୍ଯ୍ୟନ୍ତ ଶ୍ରୀବିଗ୍ରହ ଶ୍ରୀକ୍ଷେତ୍ର ଫେରିନଥିଲେ । ପରେ ସୋମବଂଶୀ ରାଜା ଯଜାତି (ପ୍ରଥମ)ଙ୍କ ଶାସନ କାଳରେ ଶ୍ରୀବିଗ୍ରହଙ୍କୁ ପାତାଳୀରୁ ପୁନରୁଦ୍ଧାର କରାଯାଇ ଶ୍ରୀକ୍ଷେତ୍ର ଅଣାଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାତାଳି କରାଯାଇଥିବା ସ୍ଥାନର ସୋନପୁର ଜିଲ୍ଲାର ଗୋପାଳିକୁ ପାତାଳି ଶ୍ରୀକ୍ଷେତ୍ର ବୋଲି ମାନ୍ୟତା ରହିଛି । ହେଲେ ଏହି ସମୟ ସମ୍ପର୍କରେ ସେପରି କିଛି ନିର୍ଦ୍ଦିଷ୍ଟ ତଥ୍ୟ ଉଲ୍ଲେଖ କରାଯାଇନା ହିଁ ।

ବିଶ୍ବପ୍ରସିଦ୍ଧ ରଥଯାତ୍ରା (ETV Bharat Odisha)

ଦ୍ବିତୀୟ ଆକ୍ରମଣ:-

1340 ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ବଙ୍ଗର ନବାବ ଆଲିଆସ ଶାହ ପୁରୀ ଆକ୍ରମଣ କରିଥିଲେ । ସେତେବେଳେ ପୁରୀରେ ନରସିଂହ ଦେବ-ତୃତୀୟଙ୍କର ଶାସନ ଥିଲା । ନବାବଙ୍କ ବିଶାଳ ସେନା ପୁରୀ ସହରରେ ପ୍ରବେଶ କରିବା ପୂର୍ବରୁ ପୂର୍ବଥର ପରି ଶ୍ରୀବିଗ୍ରହଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ନବାବଙ୍କ ସେନା ପୁରୀରେ ନରସଂହାର କରିବା ସହ ମନ୍ଦିରରୁ ଲୁଣ୍ଠନ କରି ଫେରିଯାଇଥିଲେ । ହେଲେ ସେଥର ମଧ୍ୟ ଶ୍ରୀବିଗ୍ରହଙ୍କୁ ସୁରକ୍ଷିତ ରଖିବାରେ ସେବାୟତମାନେ ସଫଳ ହୋଇଥିଲେ ।

18 ଥର ଅଣହିନ୍ଦୁଙ୍କ ଆକ୍ରମଣ ସହିଛି ଶ୍ରୀକ୍ଷେତ୍ର (ETV Bharat Odisha)

3ୟ ଆକ୍ରମଣ:-

2ୟ ଆକ୍ରମଣର ଠିକ 20ବର୍ଷ ପରେ ତୃତୀୟ ଆକ୍ରମଣ ଦେଖିଥିଲା ଶ୍ରୀକ୍ଷେତ୍ର । ସେତେବେଳେ ଗଙ୍ଗବଂଶର ରାଜା ଭାନୁଦେବ ପ୍ରଥମ ପୁରୀର ରାଜା ଥିଲେ । ଦିଲ୍ଲୀର ଶାସକ ଫିରୋଜ ଶାହା ତୋଗଲକ ପୁରୀ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଶ୍ରୀମନ୍ଦିରର ବ୍ୟାପକ କ୍ଷତି ହୋଇଥିଲା । ଏପରିକି ଇସଲାମ ଶାସକଙ୍କ ସେନା ଶ୍ରୀମନ୍ଦିରରୁ ଶ୍ରୀବିଗ୍ରମାନଙ୍କୁ ନେଇ ସମୁଦ୍ରରେ ଫିଙ୍ଗି ଦେଇଥିବା ମଧ୍ୟ ଶୁଣିବାକୁ ମିଳେ । ମାତ୍ର ସେପରି କୌଣସି ଐତିହାସିକ ପ୍ରମାଣ କିମ୍ବା ଉଲ୍ଲେଖ ଏସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

4ର୍ଥ ଆକ୍ରମଣ

1509 ମସିହାରେ ବଙ୍ଗର ତତ୍କାଳୀନ ଶାସକ ଇସମଲାଇ ଶାହ ମଧ୍ୟ ପୁରୀ ଆକ୍ରମଣ କରିଥିବାର ଉଲ୍ଲେଖ ରହିଛି । ସେତେବେଳେ ପୁରୀରେ ସୂର୍ଯ୍ୟବଂଶୀ ରାଜା ପୁରୁଷୋତ୍ତମ ଦେଶଙ୍କ ରାଜତ୍ବ ଥିଲେ । ରାଜା ପୁରୁଷୋତ୍ତମ ଦେବ ଦାକ୍ଷିଣାତ୍ଯ ଅଭିଯାନରେ ଥିବା ବେଳେ ବଙ୍ଗ ଶାସକଙ୍କ ସେନାରେ ପୁରୀରେ ଅତର୍କିତ ଆକ୍ରମଣ କରିଥିଲା । ସେତେବେଳେ ଶ୍ରୀବିଗ୍ରହଙ୍କୁ ଚିଲିକା ହ୍ରଦ ନିକଟବର୍ତ୍ତୀ କୌଣସି ସ୍ଥାନରେ ଗୋପନରେ ରଖାଯାଇଥିଲା । ପୁରୁଷୋତ୍ତମ ଦେବଙ୍କ ସେନା ଇସମଲାଇ ଶାହଙ୍କ ସେନାକୁ ପରାସ୍ତ କରିବାରେ ସଫଲ ହୋଇଥିଲେ ବୋଲି କିଛି ଗ୍ରନ୍ଥ ସୂଚନା ଦିଅନ୍ତି ।

5ମ ଆକ୍ରମଣ:-

1558 ଖ୍ରୀଷ୍ଟାବ୍ଦରେ ସର୍ବାଧିକ ଚର୍ଚ୍ଚିତ ‘କଳାପାହାଡର ଆକ୍ରମଣ’ ଦେଖିଥିଲା ଶ୍ରୀକ୍ଷେତ୍ର । ଖୋର୍ଦ୍ଧାରେ ମୁକୁନ୍ଦଦେବଙ୍କ ଶାସନ କାଳରେ ଏହି ଆକ୍ରମଣ ହୋଇଥିଲା । ବଙ୍ଗର ଇସଲାମିକ ଶାସକଙ୍କର ସେନାପତି ଥିଲା କଳାପାହାଡ । ଏହି ଯୁଦ୍ଧରେ କଳାପାହାଡ ସେନା ସମ୍ମୁଖରେ ରାଜା ମୁକୁନ୍ଦଦେବ ଆତ୍ମସମର୍ପଣ କରିଥିବା ମଧ୍ୟ କୁହାଯାଏ । କଳାପାହାଡ ସେନା ଶ୍ରୀମନ୍ଦିରକୁ ଧ୍ବଂସ କରିବା ସହ ଶ୍ରୀବିଗ୍ରହମାନଙ୍କୁ ହାତୀ ପିଠିରେ ନେଇଯାଇଥିବା ଓ ନଷ୍ଟ କରିଦେଇଥିବା ମଧ୍ୟ କିଛି ବର୍ଣ୍ଣନରେ ଉଲ୍ଲେଖ ରହିଛି । 1575 ରେ ରାମଚନ୍ଦ୍ର ଦେବଙ୍କ ସମୟରେ ପୁଣି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ସ୍ଥାପନ କରାଯାଇଥିଲା । କଳାପାହାଡ ନଷ୍ଟ କରିଦେଇଥିବା ଶ୍ରୀବ୍ରିହଙ୍କ ମୂର୍ତ୍ତିରୁ ବ୍ରହ୍ମ ଅଣାଯାଇ ପୁନର୍ବାର ନୂତନ ବିଗ୍ରହରେ ସଂସ୍ଥାପିତ କରାଯାଇଥିବା ଉଲ୍ଲେ ରହିଛି । 1572ରେ ଇସଲାମିକ ଶାସକ କୁଥୁ ଖାନଙ୍କ ପୁଅ ସୁଲେମାନ ପୁରୀରେ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣର ମନ୍ଦିରର ସମସ୍ତ ଧନସମ୍ପତ୍ତି ଲୁଟ ହୋଇଥିଲା । ଠାକୁରଙ୍କୁ ଅଣହିନ୍ଦୁ ଆକ୍ରମଣକାରୀମାନେ ନଷ୍ଟ କରିଦେଇଥିଲେ ।

1601 ଖ୍ରୀଷ୍ଟାବ୍ଦରେ ବଙ୍ଗର ମୁସଲିମ ଶାସକଙ୍କ ଦ୍ବାରା ପୁଣିଥରେ ପୁରୀ ଉପରେ ଆକ୍ରମଣ ହୋଇଥିଲା । ଏହି ସମୟରେ ଖୋର୍ଦ୍ଧାର ରାଜା ପୁରୁଷୋତ୍ତମ ଦେବ ଓ ବଙ୍ଗର ନଓ୍ବାବ ଇସଲାମ ଖାନଙ୍କ ସେନାପତି ମିର୍ଜାଖୁରୁମଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ସେତେବେଳେ ମଧ୍ୟ ଠାକୁରମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ଭାର୍ଗବୀ ନଦୀକୂଳରେ କପିଳେଶ୍ବର ଗ୍ରାମରେ ଠାକୁରଙ୍କୁ ଲୁଚାଯାଇଥିଲା । ଶ୍ରୀମନ୍ଦିରରୁ ମସସ୍ତ ସମ୍ପତ୍ତି ଲୁଟ କରି ଆକ୍ରମଣକାରୀ ସେନା ବଙ୍ଗ ଫେରିଯାଇଥିଲା ।

ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ଓଡିଶାର ସୁବେଦାର ହାସିମ ଖାନ ପୁରୀ ଉପରେ ଆକ୍ରମଣ କରିଥିଲା । ଏହା ଥିବା ଶ୍ରୀକ୍ଷେତ୍ରରେ ଅଷ୍ଟମ ଆକ୍ରମଣ । ସେତେବେଳେ ମଧ୍ୟ ଠାକୁରଙ୍କୁ ସ୍ଥାନାନ୍ତର କରିବାକୁ ପଡିଥିଲା । ପୁରୁଷୋତ୍ତମ ଦେବଙ୍କ ଦ୍ବାରା 1608 ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ରରେ ପୁଣି ଥରେ ଶ୍ରୀବିଗ୍ରହଙ୍କୁ ସସ୍ଥାପିତ କରାଯାଇଥିଲା ।

1610 ମସିହାରେ ଏକ ଭିନ୍ନ ଆକ୍ରମଣ ଦେଖିଥିଲା ପୁରୀ । ଅଣହିନ୍ଦୁ ଶାସକ ନୁହନ୍ତି ବରଂ ପ୍ରଥମ ଥର କୌଣସି ହିନ୍ଦୁ ଶାସକ ଲୁଣ୍ଠନ ଲୋଭରେ ପୁରୀ ଉପରେ ଆକ୍ରମଣ କରିଥିଲେ । ମୁସଲମାନ ଶାସକ ହାସିମ ଖାନଙ୍କ ନିୟନ୍ତ୍ରଣରେ ଥିବା ଜାଗିରଦାର କେଶୋଦାସମାରୁ ପୁରୀରେ ଆକ୍ରମଣ କରିଥିଲା । ସେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଶ୍ରୀବିଗ୍ରହଙ୍କୁ ଗୁଣ୍ଡିଚା ମନ୍ଦିରରେ ରଖାଯାଇଥିଲା । ପ୍ରାୟ 8ମାସ କାଳ ସେଠାରେ ହିଁ ଶ୍ରୀବିଗ୍ରହ ରହିଥିବା ତଥ୍ୟ କହେ । ମନ୍ଦିରରୁ ସମସ୍ତ ସମ୍ପତ୍ତି ଲୁଟ କରିବା ପରେ ଆକ୍ରମଣକାରୀ ସେନା ଦିଲ୍ଲୀ ଫେରିଯାଇଥିଲା । ପୁରୁଷୋତ୍ତମ ଦେବଙ୍କ ଶାସନରେ ଆଉ ଏକ କୁଖ୍ୟାତ ପୁରୀ ଆକ୍ରମଣ ହୋଇଥିଲା କଲ୍ୟାଣ ମଲଙ୍କ ଦ୍ବାରା । ଏହି ସମୟରେ ଚିଲିକା କୂଳରେ ଶ୍ରୀବିଗ୍ରଙ୍କୁ ରଖାଯାଇଥିଲା । କିଛି ବର୍ଷ ପରେ ଠାକୁରମାନେ ଶ୍ରୀକ୍ଷେତ୍ରକୁ ଫେରିଥିଲେ । 1612 ଖ୍ରୀଷ୍ଟାବ୍ଦରେ 11ତମ ଆକ୍ରମଣ ଦେଖିଥିଲା ଶ୍ରୀକ୍ଷେତ୍ର କଲ୍ୟାଣ ମଲ ପୁଣି ଥରେ ଶ୍ରୀକ୍ଷେତ୍ର ଆକ୍ରମଣ କରି ସମ୍ପତ୍ତି ଲୁଟ କରିଥିଲା ।

1917 ରେ ମୋଗଲ ଶାସକ ଜାହାଙ୍ଗୀର ମକରମ ଖାନକୁ ଓଡିଶାର ସୁବେଦାର ଭାବେ ନିଯୁକ୍ତ କରିବା ପରେ ସେହି ବର୍ଷ ମକରମ ସେନା ଶ୍ରୀମନ୍ଦିର ଲୁଟିବାକୁ ଆକ୍ରମଣ କଲେ । ଏହା ଥିଲା ଶ୍ରୀକ୍ଷେତ୍ର ଓ ଖୋର୍ଦ୍ଧା ରାଜ୍ୟ ଉପରେ 12ତମ ଆକ୍ରମଣ । ଏଥିରେ ମଧ୍ୟ ବିପୁଳ ସଂଖ୍ୟାରେ ସମ୍ପତ୍ତି ଲୁଟ କରାଯାଇଥିଲା । 1620 ରେ ଠାକୁରଙ୍କୁ ପୁଣି ପୁରୀ ଅଣାଯାଇଥିବା ବିଭିନ୍ନ ଗ୍ରନ୍ଖଥରେ ଉଲ୍ଲେଖ ରହିଛି ।

1621 ରେ ମିର୍ଜା ଅହମ୍ମଦ ବେଗ ପୁରୀ ଉପରେ ଆକ୍ରମଣ କରିଥିଲା । 1641, 1645, 1647, 1692 ରେ ମଧ୍ୟ ପୁରୀ ଉପରେ କ୍ରମାଗତ ଆକ୍ରମଣ ଓ ଲୁଣ୍ଠନ ଜାରି ରହିଥିଲା । 1692 କ୍ରୁର ମୋଗଲ ଶାସକ ଔରଙ୍ଗଜେବ ଶ୍ରୀମନ୍ଦିର ଧ୍ବଂଶ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବୋଲି କୁହାଯାଏ । ଔରଙ୍ଗଜେବର ଓଡିଶା ସୁବେଦାର ଅକରମ ଖାନ ଓ ତାର ଭାଈ ମସ୍ତରମ ଖାନ ପୁରୀରେ ଆକ୍ରମଣ କରିଥିଲେ । ଖୋର୍ଦ୍ଧାରେ ରାଜା ଥିବା ଦିବ୍ୟସଂହ ଦେବ ସେମାନଙ୍କୁ ସାମ୍ନା କରିପାରନଥିଲେ । ହେଲେ ଶ୍ରୀମନ୍ଦିରରୁ ସମସ୍ତ ସମ୍ପତ୍ତି ଲୁଟ ହେଇଥିଲେ ସୁଦ୍ଧା ଠାକୁରମାନଙ୍କୁ ଅଜ୍ଞାତ ସ୍ଥାନରେ ସୁରକ୍ଷିତ ରଖାଯାଇଥିଲା । 1699 ଓ 1733 ରେ ମଧ୍ୟ ଶ୍ରୀମନ୍ଦିରରେ ଆକ୍ରମଣ ହୋଇଥିଲା । ଏହା ଥିଲା ଶେଷ ଆକ୍ରମଣ । ପ୍ରତ୍ୟେକ ଆକ୍ରମଣରେ ଶ୍ରୀମନ୍ଦିର ଲୁଣ୍ଠନ ହୋଇଛି । ଠାକୁରମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡିଛି ।

ଏହା ମଧ୍ୟ ପଢନ୍ତୁ :- ବର୍ଷକେ କେତେ ଥର ହୁଏ ମହାପ୍ରଭୁଙ୍କ ସୁନାବେଶ ? କଣ ରହିଛି କିମ୍ବଦନ୍ତୀ, କେତେ ସୁନା ପିନ୍ଧନ୍ତି କାଳିଆ ଠାକୁର - Significance of Suna Besha

ବାରମ୍ବାର ମୋଗଲ ଓ ଇସଲାମ ଶାସକଙ୍କ ଆକ୍ରମଣ ପରେ ବ୍ରିଟିଶ ଶାସନ ନିୟନ୍ତ୍ରଣରେ ରହିଥିଲା ଶ୍ରୀମନ୍ଦିର । ସ୍ବାଧୀନତା ପରେ 1995 ରେ ଶ୍ରୀମନ୍ଦିର ଆକ୍ଟ ପ୍ରଣୟନ ହୋଇଥିଲା । ଏହି ଆକ୍ଟ ଅନୁସାରେ, ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳିତ ହେଉଛି । ଏବେ ସାରା ବିଶ୍ବରେ ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ହେବାରେ ଲାଗିଛି । କୋଟି କୋଟି ହିନ୍ଦୁଙ୍କ ବିଶ୍ବବ୍ୟାପୀ ବିଭିନ୍ନ ଧର୍ମର ଲୋକେ ଏବେ ଜଗନ୍ନାଥ ସଂସ୍କୃତିରେ ବିଶ୍ବାସ ରଖିବା ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details