ପୁରୀ: ଶେଷ ହୋଇଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ସ୍ନାନ ପୂର୍ଣ୍ଣିମାଠାରୁ ରତ୍ନବେଦୀ ଛାଡିଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି (ଶୁକ୍ରବାର) ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ‘ନିଳାଦ୍ରୀବିଜେ’ରେ ନୀଳକନ୍ଦରକୁ ଫେରିଛନ୍ତି । ଯାତ୍ରା ସପାପନ ହେବା ପରେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗ ଯୋଗୁଁ ଚଳିତ ରଥଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବା ପାଢୀ କହିଛନ୍ତି । ଶ୍ରୀମନ୍ଦିରରେ କିଭଳି ମହାପ୍ରଭୁଙ୍କ ସବୁ ନୀତିକୀନ୍ତି ଶୃଙ୍ଖଳିତ ଭାବେ ହୋଇପାରିବ, ତାହା ତାଙ୍କର ପ୍ରମୁଖ କାର୍ଯ୍ୟ ରହିବ ବୋଲି ମଧ୍ୟ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ହୋଇଥିବାରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଚଳିତ ବର୍ଷ ରଥଯାତ୍ରାରେ ବିପୁଳ ସଂଖ୍ୟକ ଭକ୍ତ ସାମିଲ ହେବା ସହ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରି ପାରିଥିଲେ । ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପ୍ରଶାସନ ପାଇଁ ଆହ୍ବାନ ଥିଲା । ତେବେ ମହାପ୍ରଭୁଙ୍କ ସେବାରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତବୃନ୍ଦ, ଛତିଶା ନିଯୋଗର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି, ସ୍ୱଛାସେବୀ ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଦ୍ୱାରା ଏହା ସଫଳ ହୋଇ ପାରିଛି । ଏଥିପାଇଁ ଉଭୟ ଜିଲ୍ଲାପାଳ ଓ ଏସପି ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନ ମାନଙ୍କରେ ଏହି ଭଳି ସହଯୋଗ ପାଇଁ ଅନୁରୋଧ କରିଛନ୍ତି ।