ଭୁବନେଶ୍ବର:ନିର୍ବାଚନ ପ୍ରକ୍ରିୟାକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଲା ବିଜେପି । ଗୋଟିଏ ବୁଥରେ ସର୍ବନିମ୍ନ 10 ଜଣ ସରକାରୀ ଅଧିକାରୀ ନିୟୋଜିତ ହୋଇଛନ୍ତି । କିନ୍ତୁ ସେଥିରୁ 70 ଭାଗ ଅଧିକାରୀ ଭୋଟ ଦେଇ ପାରୁନାହାଁନ୍ତି । ଭୋଟିଂ କାର୍ଯ୍ୟରେ ନିୟୋଜିତ ମାତ୍ର 30 ଭାଗ ସରକାରୀ କର୍ମଚାରୀ ଭୋଟ ଦେଇ ପାରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଆଜି ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଜି 10 ହଜାର 700 ବୁଥରେ ଭୋଟ ହେଉଛି ।
ସିଇଓଙ୍କ ସୂଚନା ଅନୁସାରେ 31 ହଜାର ପୋଷ୍ଟାଲ ବାଲଟ ମିଳିଛି । ଗୋଟିଏ ବୁଥରେ 6 ଜଣ ଭୋଟ କାର୍ଯ୍ୟରେ, 2 ଜଣ ପୋଲିସ ଏବଂ 2 ଜଣ ଡ୍ରାଇଭର କାର୍ଯ୍ୟ କରୁଛନ୍ତି । ଏମାନଙ୍କୁ ହିସାବ କଲେ 31 ହଜାର କେମିତି ହେବ ବୋଲି ପ୍ରଶ୍ନ କଲା ବିଜେପି । କେବଳ ଆଜି ହିଁ 1 ଲକ୍ଷରୁ କର୍ମଚାରୀ ଭୋଟିଂ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେଣୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଭୋଟ ଗ୍ରହଣ ପାଇଁ ହେଉଥିବା ପ୍ରକ୍ରିୟାରେ ତ୍ରୁଟି ଅଛି ବୋଲି ଅଭିଯୋଗ କରିଛି ବିଜେପି । ସେଥିପାଇଁ 1 ତାରିଖ ଦିନ ହେବାକୁ ଥିବା ଭୋଟିଂ ବେଳେ ପ୍ରକ୍ରିୟା ସୁଧାର କରାଯାଉ । ପୂର୍ବରୁ କର୍ମଚାରୀ ମାନେ 12B ଫର୍ମ ଆବେଦନ କରିଛନ୍ତି । କିନ୍ତୁ ପୋଷ୍ଟ ଅଫିସ ମାଧ୍ୟମରେ ଯେଉଁ 13B ଫର୍ମ ତାଙ୍କ ପାଖରେ ପହଞ୍ଚିବା କଥା ତାହା ପହଞ୍ଚିପାରୁ ନାହିଁ । ତେଣୁ ଅନ ସ୍ପଟ ସରକାରୀ କର୍ମଚାରୀଙ୍କୁ ଭୋଟ ଦେବା ପାଇଁ ସୁବିଧା କରାଯାଉ । ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ଦାୟିତ୍ଵ ନିଅନ୍ତୁ ବୋଲି କହିଛନ୍ତି ବିଜେପି ନେତା ସମୀର ମହାନ୍ତି ।
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟର ମାନେ ଶାନ୍ତି ଶୃଙ୍ଖଳା ସହିତ ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରୁଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୩ଟା ସୁଦ୍ଧା ୪୮.୪୪ % ମତଦାନ ହୋଇଛି । ଆନନ୍ଦପୁରରେ ୫୭.୨୫%, ଚମ୍ପୁଆରେ ୫୨.୩୫ %, ଘସିପୁରାରେ ୫୩.୮୫%, କରଞ୍ଜିଆରେ ୫୧.୦୫%, କେନ୍ଦୁଝରରେ ୪୯.୮୬%, ପାଟଣାରେ ୫୫.୨୩%, ତେଲକୋଇରେ ୫୩.୨୧% ମତଦାନ ହୋଇଛି ।