ଯାଜପୁର:ରାଜ୍ୟରେ ୨୪ ବର୍ଷର ସରକାରର ପତନ ହୋଇଛି । ବିଜେଡିର ଅନେକ ନେତାମନ୍ତ୍ରୀ ହେଭିୱେଟ ମାଟି କାମୁଡିଛନ୍ତି । ବିଜେଡିର ସେହି ପରାଜିତ ତୁଙ୍ଗ ନେତାମାନଙ୍କ ମଧ୍ୟରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କଠାରୁ ହାରି ଯାଇଛନ୍ତି ପ୍ରଣବ । ସେପଟେ ତାଙ୍କର ମାଆ ସନ୍ଧ୍ୟାରାଣୀ ଦାସ କୋରେଇରୁ ପରାସ୍ତ ହୋଇଛନ୍ତି । ଏମିତିକି ଭିଣୋଇ ତଥା ସିନେ ଅଭିନେତା ଅରିନ୍ଦମ ରାୟ, ଯିଏକି ବିଜେପି ଟିକଟରୁ ସାଲେପୁରରୁ ଛିଡା ହୋଇଥିଲେ ସେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛନ୍ତି । ରାଜ୍ୟ ରାଜନୀତିରେ ଦବ୍ଦବା ରଖୁଥିବା ପ୍ରଣବଙ୍କ ପରିବାର ବିଭିନ୍ନ ଆସନରୁ ହାରିବା ପରେ ଏବେ ଏହି ରାଜନେତାଙ୍କ ରାଜନୀତି ଭବିଷ୍ୟତକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି ।
ଏଥର ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ, ଭି.କେ ପଣ୍ଡିଆନଙ୍କ ପରେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ଚେହେରା ଥିଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ । ଦଳର ନିଷ୍ପତ୍ତିକ୍ରମେ ସେ ଯାଜପୁର ଛାଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ହୋଇଥିଲେ । ସେଠି ନିକଟତମ ପ୍ରତିଦ୍ବନ୍ଦୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି ପ୍ରଣବ l ତେବେ ନିଜର ରାଜନୈତିକ କ୍ୟାରିୟକୁ ବଞ୍ଚେଇବାକୁ ଯାଇ ନିଜ ମାଆଙ୍କୁ କୋରେଇରୁ ଛିଡା କରିଥିଲେ ହେଁ ସେଠୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ଏହାପରଠୁ ପ୍ରଣବ ଓରଫ ବବିଙ୍କ ଆଗାମୀ ରାଜନୈତିକ ଭୂମିକାକୁ ନେଇ ସସପେନ୍ସ ଲାଗି ରହିଛି ।
ରାଜ୍ୟ ରାଜନୀତିରେ କ'ଣ ରହିବ ପ୍ରଣବଙ୍କ ଆଗାମୀ ଭୂମିକା ? ନିର୍ବାଚନ ହାରିବା ପରେ ବି ବିଜେଡି ଦଳର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ରଣବଙ୍କ ଦବ୍ଦବା ଅକ୍ଷୁର୍ଣ୍ଣ ରହିବ କି ? ଏଭଳି ଅନେକ କଳ୍ପନା ଜଳ୍ପନା ଜାରି ରହିଛି । ଏହାକୁ ନେଇ ରାଜନୀତି ସମୀକ୍ଷକ ଶରତ ପୋଥାଳ କହିଛନ୍ତି, ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ଜନତା ଦଳ ରାଜ୍ୟ ସଭାପତି ଅଶୋକ ଦାସଙ୍କ ପୁତ୍ର । ବିଜୁ ବାବୁଙ୍କ ଶାସନ କାଳରେ ତାଙ୍କର ବେଶ୍ ପତିଆରା ଥିଲା । ଏବେ ରାଜ୍ୟରେ ବିଜେଡି ଶାସନରୁ ଗାଦିଚ୍ୟୁତ ହୋଇଛି । ତଥାପି ବବି କଦାପି ରାଜନୀତିରୁ ଓହରି ଯିବେ ନାହିଁ, କାରଣ ସେ ରାଜନୀତି ପରିବାରରୁ ଆସିଛନ୍ତି । ଆଗାମୀ ଦିନରେ ମଧ୍ୟ ସେ ତାଙ୍କର ରାଜନୈତିକ ଯାତ୍ରା ଜାରି ରଖିବେ ବୋଲି ସେ ବିଭିନ୍ନ ଉଦାହରଣ ଦେଇ କହିଛନ୍ତି ।