ଦେବଗଡ: ଚାଷଜମିକୁ ଜଳ ଯୋଗାଇବା ଲକ୍ଷ୍ୟରେ ସରକାର ଅଜସ୍ର ଅର୍ଥ ବ୍ୟୟ କରି ନିର୍ମାଣ କରିଥିଲେ ଜଳସେଚନ ପ୍ରକଳ୍ପ । ମାତ୍ର ନିର୍ମାଣରେ ବୈଷୟିକ ତ୍ରୁଟି ଓ ନିମ୍ନମାନର କାର୍ଯ୍ୟ ଯୋଗୁଁ ଦୀର୍ଘ 12 ବର୍ଷ ହେଲା ଚାଷୀଙ୍କ ଉପକାରରେ ଆସୁନି ମାଙ୍କଡ଼ା ଚେକ ଡ୍ୟାମ ପ୍ରକଳ୍ପ । ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତ ଅନ୍ତର୍ଗତ ନୂଆଁଭୂଇଁ ଗ୍ରାମର ଏହି ଚେକ ଡ୍ୟାମ ପ୍ରକଳ୍ପ ।
ନୂଆଁଭୂଇଁ ଗ୍ରାମରେ ବସବାସ କରନ୍ତି 100ରୁ ଊର୍ଦ୍ଧ୍ବ ଚାଷୀ ପରିବାର । ଗ୍ରାମର ସମସ୍ତ ପରିବାର ମୁଖ୍ୟତଃ କୃଷିକାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ଧାନ ଫସଲ ପରେ ପରେ ତୈଳବୀଜ ଓ ପନିପରିବା ଚାଷକରି ଜୀବିକା ନିର୍ବାହ କରିଥାନ୍ତି । ତେବେ ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ମାଙ୍କଡ଼ା ନାଳ ତଟବର୍ତ୍ତୀ ଅଞ୍ଚଳରେ ଚାଷଜମି ରହିଥିବାରୁ ଲୋକେ ଏହି ନାଳରୁ ମୋଟର ଯୋଗେ ଜଳ ସଂଗ୍ରହ କରି କୃଷିକାର୍ଯ୍ୟ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜକୁ 12 ବର୍ଷ ପୂର୍ବରୁ ଅର୍ଥାତ 2011-12 ମସିହା ଆର୍ଥିକ ବର୍ଷରେ ଲୋକଙ୍କ ଚାଷଜମିକୁ ସହଜରେ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପ୍ରାୟ 40 ଲକ୍ଷ ଟଙ୍କା ବ୍ୟୟରେ ମାଙ୍କଡ଼ା ନାଳ ଉପରେ ନିର୍ମାଣ କରିଥିଲେ ଏକ ଚେକ ଡ୍ୟାମ ପ୍ରକଳ୍ପ ।
ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ( Minor Irrigation Project ) ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା । ଏଥିରେ ନୂଆଭୂଇଁ ଗ୍ରାମ ତଥା ଆଖପାଖ ଅଞ୍ଚଳର ମୋଟ 200 ଏକର ଚାଷ ଜମିକୁ ଜଳ ଯୋଗାଇଦେବା ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ପ୍ରକଳ୍ପ ନିର୍ମାଣରେ ଉପଯୁକ୍ତ ସ୍ଥାନ ନିରୂପଣ କରାନଯିବା ତଥା ବୈଷୟିକ ତ୍ରୁଟି ଓ ଅତ୍ୟନ୍ତ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ଚେକ ଡ୍ୟାମ ପ୍ରକଳ୍ପଟି ଚାଷୀଙ୍କ କାର୍ଯ୍ୟରେ ଆସିପାରୁନାହିଁ ।