କୋରାପୁଟ: ରାଜସ୍ଥାନରେ ଟ୍ୟାଙ୍କ ଫାୟାରିଂ ଅଭ୍ୟାସ ବେଳେ ଓଡ଼ିଆ ଯବାନ ଶହୀଦ । ଶହୀଦ ଯବାନ ହେଉଛନ୍ତି ଈଶ୍ଵର ତଲିଆ l ତାଙ୍କ ଘର କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ବଡାଗୁଡା ଗ୍ରାମରେ । ଗତକାଲି (ଶନିବାର) ତାଙ୍କର ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମବାସୀ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଗାଡ଼ ଅଫ ଅନର ଦିଆଯିବା ସହିତ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।
ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ:
ଶହୀଦ ଈଶ୍ଵର ତଲିଆ 2011 ମସିହାରେ ଆର୍ମୀରେ ଯୋଗଦେଇଥିଲେ । ସେ ଜମ୍ମୁରେ 46 ଆର୍ମୀ ଆରମୋଡ୍ ରେଜିମେଣ୍ଟରେ ଏଲ.ଡି ପଦବୀରେ କାର୍ଯ୍ୟରତ ଥିଲେ । ତାଙ୍କୁ ଫାୟାରିଂ ଅଭ୍ୟାସ ପାଇଁ ରାଜସ୍ଥାନର ପୋଖରନ ପଠାଯାଇଥିଲା । ସେଠାରେ ରେଞ୍ଜରେ ଟ୍ୟାଙ୍କ ଫାୟାରିଂ ଅଭ୍ୟାସ ଚାଲିଥିବା ବେଳେ ହଠାତ୍ ଟ୍ୟାଙ୍କ ଭିତରୁ ବୋମା ବିସ୍ଫୋରଣ ହୋଇଥିଲା l ଫଳରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ୍.ଡି.ଏମ୍. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ.ଡି. ଜିତେନ୍ଦ୍ର କୁମାରଙ୍କ ଘଟଣାସ୍ଥଳରେ ଶହୀଦ ହୋଇଯାଇଥିଲେ l ଈଶ୍ୱର ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଯବାନ ଈଶ୍ୱରଙ୍କୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।