ଭୁବନେଶ୍ବର: ଆସନ୍ତାକାଲି(ଶୁକ୍ରବାର) ଠାରୁ ଭୁବନେଶ୍ୱର ବରମୁଣ୍ଡା ପଡିଆରେ 3 ଦିନ ଧରି ଆୟୋଜିତ ହେବ "କୃଷି ଓଡିଶା 2025"। ସାରା ରାଜ୍ୟରୁ 15 ହଜାର ଚାଷୀ ଯୋଗଦେବେ । ଦିନ ପ୍ରାୟ 11ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଏହି ମେଳାରେ କୃଷି ଉପକରଣ, ଉନ୍ନତ ପ୍ରଣାଳୀର ଚାଷ ପଦ୍ଧତି, ଉନ୍ନତ କିଷମର ବିହନ ଓ ବିଭିନ୍ନ ପ୍ରକାରର କୃଷି ସମ୍ବନ୍ଧୀୟ ଜ୍ଞାନକୌଶଳ ପ୍ରଦର୍ଶିତ ହେବ । ଯାହା ଚାଷୀ ଆୟ ବୃଦ୍ଧିରେ ସହାୟକ ହେବ । କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ସମସ୍ତ କୃଷକଙ୍କ ପାଇଁ କୃଷି ବିଶେଷଜ୍ଞମାନଙ୍କ ଦ୍ୱାରା ତାଲିମ୍ ବ୍ୟବସ୍ଥା ମଧ୍ୟ ରହିଛି ।
- ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ
ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆସନ୍ତାକାଲିଠାରୁ ୩ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ବରମୁଣ୍ଡା, ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଏହାର ଉଦଘାଟନ କରିବେ ଓ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ରହିବେ । କୃଷି ଓଡ଼ିଶା-୨୦୨୫ ର ବିଷୟବସ୍ତୁ ରହିଛି “ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ” । ଆସନ୍ତାକାଲି ବିଷୟବସ୍ତୁ ରହିବ ଜଳବାୟୁ ଉପଯୋଗୀ ଖାଦ୍ୟ ପଦ୍ଧତି ଓ ଜଳବାୟୁ ତ୍ୱରିତ ଉଦ୍ୟାନକୃଷି । ଦ୍ୱିତୀୟ ଦିବସ ମୃତ୍ତିକା ସ୍ୱାସ୍ଥ୍ୟ, ପ୍ରାକୃତିକ କୃଷି ଓ ଏହାର ମୂଲ୍ୟଶୃଙ୍ଖଳା ଏବଂ ତୃତୀୟ ଦିବସର ବିଷୟ ହେଉଛି ପାଣି ପଞ୍ଚାୟତ ପକ୍ଷ ପାଳନ ସହିତ ଧାରାବାହିକ ଜଳ ଶାସନ ନୀତି ।
- ପୋଷଣଯୁକ୍ତ ଖାଦ୍ୟ ପଦ୍ଧତି ସହ ସ୍ଥାନୀୟ ଅର୍ଥନୀତିକୁ ଗୁରୁତ୍ବ
ଓଡ଼ିଶାରେ ପୋଷଣଯୁକ୍ତ ଖାଦ୍ୟ ପଦ୍ଧତି ସହିତ ସ୍ଥାନୀୟ ଅର୍ଥନୀତିକୁ ସଶକ୍ତ କରିବା ସହିତ ଉଭୟ ପରିବେଶ ଓ ସ୍ୱାସ୍ଥ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ । ପାରସ୍ପରିକ ସଂଯୁକ୍ତ ଲକ୍ଷ୍ୟ ମାଧ୍ୟମରେ ଖାଦ୍ୟ ନିରାପତ୍ତା ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଉଛି । ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୩ ଦିନର କାର୍ଯ୍ୟକ୍ରମ ରାଜ୍ୟର ଯୁବବର୍ଗଙ୍କୁ କୃଷି, ଉଦ୍ୟାନକୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ପ୍ରାଣୀ ପାଳନ କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବାକୁ ପ୍ରୋତ୍ସାହିତ କରିବ ।
ଏହା ମଧ୍ୟ ପଢନ୍ତୁ:- |