ଓଡିଶା

odisha

ETV Bharat / state

ହସ୍ତତନ୍ତ ବସ୍ତ୍ରରେ ପ୍ରାକୃତିକ ରଙ୍ଗ, ସ୍ବାବଲମ୍ବୀ ସହ ରୋଜଗାର ସମ୍ଭାବନା

କୋରାପୁଟ ମହିଳା-ଯୁବତୀଙ୍କୁ ନୂଆ ସୁଯୋଗ ଦେଇଛି ‘ଫୋକ-ଓ୍ବିଭ୍‌’ ସଂଗଠନ । ତନ୍ତରେ ବସ୍ତ୍ର ବୁଣିବା ସହ ବ୍ୟବହାର କରୁଛନ୍ତି ଜଙ୍ଗଲଜାତ ଦ୍ରବ୍ୟରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ ।

କୋରାପୁଟ ହେବ ପ୍ରାକୃତିକ ରଙ୍ଗରେ ଭରା ହସ୍ତତନ୍ତ ବସ୍ତ୍ରର କେନ୍ଦ୍ରବିନ୍ଦୁ
କୋରାପୁଟ ହେବ ପ୍ରାକୃତିକ ରଙ୍ଗରେ ଭରା ହସ୍ତତନ୍ତ ବସ୍ତ୍ରର କେନ୍ଦ୍ରବିନ୍ଦୁ (ETV Bharat Odisha)

By ETV Bharat Odisha Team

Published : 4 hours ago

କୋରାପୁଟ:ହସ୍ତତନ୍ତ ଓ ପ୍ରାକୃତିକ ରଙ୍ଗ ପାଇଁ ଜିଲ୍ଲାର କୋଟପାଡ ଅଞ୍ଚଳ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବେଳେ ଏବେ ପାରମ୍ପରିକ ବୟନଶିଳ୍ପରେ କୋରାପୁଟରେ ଦେଖିବାକୁ ମିଳିଛି ଆଉ ଏକ ଭିନ୍ନ ପ୍ରୟାସ । ଏବେ ହାତବୁଣା ତନ୍ତରେ ବ୍ୟବହୃତ ହେଉଛି ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟରୁ ପ୍ରସ୍ତୁତ ଏକାଧିକ ପ୍ରକାରର ପ୍ରାକୃତିକ ରଙ୍ଗ । ଏବେ ପ୍ରାକୃତିକ ରଙ୍ଗ ଉତ୍ପାଦନ ଓ ହସ୍ତତନ୍ତ କ୍ଷେତ୍ରରେ ଏହାର ବ୍ୟବହାରକୁ ନେଇ ଏକ ନୂତନ ଖ୍ୟାତି ଅର୍ଜନ କରିବା ଦିଗରେ ଆଗକୁ ବଢୁଛି କୋରାପୁଟ ଜିଲ୍ଲା । ଏ ଦିଗରେ ସ୍ଥାନୀୟ ଆଦିବାସୀ ଯୁବତୀ ଓ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରିବା ପାଇଁ ‘ଫୋକ-ଓ୍ବିଭ’ ନାମକ ଏକ ସଂଗଠନ ଅଣ୍ଟା ଭିଡିଛି ।

  • ତାଲିମ ନେଉଛନ୍ତି ଶତାଧିକ ମହିଳା ଓ ଯୁବତୀ

ବୈପାରିଗୁଡାର ରାମଗିରି ଜଙ୍ଗଲ ମଧ୍ୟରେ କୋଟପାଡ ସମେତ ବୈପାରିଗୁଡା, ଲମତାପୁଟ, ନନ୍ଦପୁର ଓ କୋରାପୁଟ ବ୍ଲକର ଶତାଧିକ ମହିଳାଙ୍କୁ ଏ ନେଇ ପ୍ରତ୍ୟକ୍ଷ ଅନୁଭୂତି ଦିଆଯିବା ସହ ଅନୁଷ୍ଠାନ ତରଫରୁ ତାଲିମ ପ୍ରଦାନ କରାଯାଇଛି । ମହିଳା ଓ ଯୁବତୀମାନେ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ବୃକ୍ଷର ଛାଲ, ପତ୍ର, ଫଳ ଓ ଫୁଲକୁ ସଂଗ୍ରହ କରିବା ସହିତ ସେଗୁଡିକୁ ନେଇ କିପରି ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିହେବ, ସେ ସଂକ୍ରାନ୍ତରେ ତାଲିମ ଗ୍ରହଣ କରିଛନ୍ତି ।

କୋରାପୁଟ ହେବ ପ୍ରାକୃତିକ ରଙ୍ଗରେ ଭରା ହସ୍ତତନ୍ତ ବସ୍ତ୍ରର କେନ୍ଦ୍ରବିନ୍ଦୁ (ETV BhETV Bharat Odishaarat Odisha)
  • ପୂର୍ବରୁ ଗୋଟିଏ ଗଛର ଛାଲରୁ ପ୍ରସ୍ତୁତ ହେଉଥିଲା ରଙ୍ଗ

‘ଫୋକ-ଓ୍ବିଭ’ ସଂଗଠନର ପ୍ରତିଷ୍ଠାତା ମୁଖ୍ୟ ଅନୁରାଧା କହିଛନ୍ତି, ‘‘ଏ ପର୍ଯ୍ୟନ୍ତ କେବଳ ‘ଆଲ ଗଛ’ର ଚେରରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି କୋଟପାଡ଼ ଅଞ୍ଚଳର ବୁଣାକାରମାନେ ଅନ୍ତର୍ଜାତୀୟ ସ୍ତରରେ ବସ୍ତ୍ର ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି । ମାତ୍ର ପର୍ଯ୍ୟାପ୍ତ ପରିମାଣରେ ‘ଆଲ ଗଛ’ର ଚେର ମିଳିବା ଏକ ସମସ୍ୟା ଭାବେ ସାମ୍ନାକୁ ଆସିଛି । ଏହି କମ ଉପଲବ୍ଧତା ଅନେକ ସମୟରେ ଏହି ଶିଳ୍ପରେ ପ୍ରତିବନ୍ଧକ ସୃଷ୍ଟି କରିଛି । କୋରାପୁଟ ଜିଲ୍ଲାର ବଣ ଜଙ୍ଗଲରେ ସାଧାରଣ ଭାବେ ଦେଖାଯାଉଥିବା ଆମ୍ବ, ବିଜା, ସିନ୍ଦୁର ଭଳି ଗଛର ବିଭିନ୍ନ ଅଂଶରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରାଯାଇ ପାରୁଥିବା ଯୋଗୁଁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତି କ୍ଷେତ୍ରରେ କୋରାପୁଟ ଜିଲ୍ଲା ରାଜ୍ୟରେ ଅଗ୍ରଣୀ ସ୍ଥାନ ଅଧିକାର କରିବ ।’’

କୋରାପୁଟ ହେବ ପ୍ରାକୃତିକ ରଙ୍ଗରେ ଭରା ହସ୍ତତନ୍ତ ବସ୍ତ୍ରର କେନ୍ଦ୍ରବିନ୍ଦୁ (ETV Bharat Odisha)
  • ଚାରିରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ସମ୍ଭାବନା

କେବଳ ଗ୍ରୀଷ୍ମ ସମୟରେ ଚାରିମାସ ଆଲ ଚେରରୁ ରଙ୍ଗ ପ୍ରସ୍ତୁତ କରିବା ସହ ଏହାକୁ ତନ୍ତ ବୁଣା ବସ୍ତ୍ରରେ ବ୍ୟବହାର କରି କୋଟପାଡରେ ‘ଫୋକ-ଓ୍ବିଭ୍‌’ ସଂସ୍ଥା ସହଯୋଗରେ ମହିଳାମାନେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଥିଲେ । ତେବେ ବର୍ତ୍ତମାନ ବର୍ଷ ତମାମ ବିଭିନ୍ନ ବୃକ୍ଷରୁ ରଙ୍ଗ ପ୍ରସ୍ତୁତ କରି ଏହି ମହିଳାମାନେ ପ୍ରତ୍ୟେକ ଚାରିରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାରକ୍ଷମ ହେବେ ବୋଲି ଡ. ଅନୁରାଧା ଆଶା ପୋଷଣ କରିଛନ୍ତି । ‘ଫୋକ-ଓ୍ବିଭ’ ସଂସ୍ଥାର ଏହି ଅଭିନଵ ପ୍ରୟାସ ଯୋଗୁଁ ଗାଁ-ଗଣ୍ଡାରେ ଏ ପର୍ଯ୍ୟନ୍ତ ସିଲେଇ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଥିବା ବୈପାରିଗୁଡାର ମହିଳାମାନେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତିର ତାଲିମ ପାଇବା ସହ ବସ୍ତ୍ର ବୁଣିଵାର ତାଲିମ ନେବା ପାଇଁ ଆଗ୍ରହ ପ୍ରକାଶ କଲେଣି । ଏହା ସେମାନଙ୍କୁ ରୋଜଗାରକ୍ଷମ କରି ସ୍ବାବଲମ୍ବୀ ହେବାର ନୂତନ ଧାରା ପ୍ରଦାନ କରିବ ବୋଲି ନୂଆ ଆଶା ସଂଚାର ହୋଇଛି । ତାଲିମପ୍ରାପ୍ତ ମହିଳାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ‘ଫୋକ ଓ୍ବିଭ’ ସଂସ୍ଥା ମଧ୍ୟ ସେମାନଙ୍କୁ ସୂତା ଯୋଗାଇ ଦେବା ସହ ଜାତୀୟ ସ୍ତରରେ ବଜାର ସୁବିଧା ଉପଲବ୍ଧ କରାଇବା ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିବା କହିଛନ୍ତି ଅନୁରାଧା ।

କୋରାପୁଟ ହେବ ପ୍ରାକୃତିକ ରଙ୍ଗରେ ଭରା ହସ୍ତତନ୍ତ ବସ୍ତ୍ରର କେନ୍ଦ୍ରବିନ୍ଦୁ (ETV Bharat Odisha)
  • ଦିନେ ଅସୁସ୍ଥ ଥିଲେ, ଏବେ କିନ୍ତୁ ସ୍ବାବଲମ୍ବୀ

ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଗ୍ରାଗୁଡ଼ା ଗ୍ରାମର ଆଦିବାସୀ ଯୁବତୀ ତିଳୋତ୍ତମା ମାଝୀ କିଛି ଦିନ ପୂର୍ବେ ମାନସିକ ଅସୁସ୍ଥତାରେ ପୀଡିତ ଥିଲେ । ଫଳରେ ତାଙ୍କର ପୂରା ପରିବାର ତାଙ୍କୁ ନେଇ ଚିନ୍ତିତ ଥିଲେ । ପରେ ସେ ‘ସ୍ପ୍ରେଡ଼’ ନାମକ ଏକ ସଂଗଠନର ପ୍ରୟାସରେ ଔଷଧ ସେବନ କରି ସୁସ୍ଥ ହୋଇଥିଲେ । ଏବେ ତିଳୋତ୍ତମା ‘ଫୋକ ଓ୍ବିଭ୍‌’ର ପ୍ରତିଷ୍ଠାତା ଅନୁରାଧାଙ୍କ ସହଯୋଗରେ ତନ୍ତବୁଣା ବସ୍ତ୍ରରେ ପ୍ରାକୃତିକ ରଙ୍ଗ ଦେବା ଭଳି କାମ କରି ଦୁଇ ପଇସା ରୋଜଗାର କରିବା ସହ ସ୍ୱାବାଲମ୍ବୀ ହେବାର ସ୍ବପ୍ନ ଦେଖୁଛନ୍ତି ।

କୋରାପୁଟ ହେବ ପ୍ରାକୃତିକ ରଙ୍ଗରେ ଭରା ହସ୍ତତନ୍ତ ବସ୍ତ୍ରର କେନ୍ଦ୍ରବିନ୍ଦୁ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଆୟୁର୍ବେଦ ଗବେଷକଙ୍କ ଉଦ୍ୟମ, ସଂରକ୍ଷଣ କଲେଣି ୩୦୦ ଔଷଧୀୟ ବୃକ୍ଷ ବିହନ

'ଚନ୍ଦ୍ରଗିରି-କାବେରୀ କଫିରେ ଅଧିକ ପୋଷକତତ୍ତ୍ବ', ଗବେଷଣାରୁ ଜଣାପଡ଼ିଲା ଗୁଣାତ୍ମକ ମାନ

ଜଙ୍ଗଲ ରକ୍ଷା-ପରିବେଶ ସୁରକ୍ଷା: କୋରାପୁଟରେ ଜଙ୍ଗଲ ଜଗୁଛନ୍ତି ମହିଳା, ପାଳି କରି ପହରା

କୋରାପୁଟର ସୌର ଗାଁ: ବିଜୁଳି ଅଛି, ନାହିଁ ବିଲ୍‌ ଟେନସନ

  • ସ୍ବାବଲମ୍ବୀ ହୋଇଥିବା ଆଉ ଜଣେ ଯୁବତୀଙ୍କ କାହାଣୀ

ସେହିପରି ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ପୁରୁଣାଗୁଡ଼ା ଗ୍ରାମର ଯୁବତୀ ଡମେଇ ଚାଳାଣ, ବର୍ଷକ ପୂର୍ବେ ସୂତାରେ ରଙ୍ଗ ଦେବା, ଅରଟରେ ସୂତା କାଟିବା ଓ ତନ୍ତରେ ଲୁଗା ବୁଣିବାର ତାଲିମ ନେଇଥିଲେ । ଏବେ ସେ ସ୍ୱାବଲମ୍ବୀ ହୋଇପାରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । କୋରାପୁଟ ନିକଟସ୍ଥ ଦେଉଳାଠାରେ ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ ପ୍ରାକୃତିକ ରଙ୍ଗ ପ୍ରସ୍ତୁତି ଏବଂ ବସ୍ତ୍ର ବୟନ କେନ୍ଦ୍ର କୋରାପୁଟ ଜିଲ୍ଲାର ପରମ୍ପରା ଓ ଐତିହ୍ୟର ସଂରକ୍ଷଣ କରିବା ସହ ମହିଳାଙ୍କ ପାଇଁ ସ୍ୱାବଲମ୍ବୀ ହେବା ପାଇଁ ଏକ ମାଇଲଖୁଣ୍ଟ ସାଜିବ ବୋଲି ‘ଫୋକ ଓ୍ବିଭ୍‌’ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା କେ. ଅନୁରାଧା ଆଶା ପୋଷଣ କରିଛନ୍ତି ।

କୋରାପୁଟ ହେବ ପ୍ରାକୃତିକ ରଙ୍ଗରେ ଭରା ହସ୍ତତନ୍ତ ବସ୍ତ୍ରର କେନ୍ଦ୍ରବିନ୍ଦୁ (ETV Bharat Odisha)

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details