ଓଡିଶା

odisha

ETV Bharat / state

ସମ୍ବଲପୁରର କାଇଟ୍‌ ଫେଷ୍ଟିଭାଲ, ଆଜୀବନ ମିତ ବସିବାର ନିଆରା ପରମ୍ପରା - KITE FESTIVAL 2025

ଫୋର-ସି ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଛି କାଇଟ ଫେଷ୍ଟିଭାଲ । ପାରମ୍ପରିକ ଖେଳକୁ ମନେ ପକାଇବା ସହ ମିତ ବସିବାର ଭିନ୍ନ ଏକ ପ୍ରଥା ।

Kite Festival
Kite Festival (ETV Bharat Odisha)

By ETV Bharat Odisha Team

Published : Jan 14, 2025, 10:30 PM IST

ସମ୍ବଲପୁର:ଭିନ୍ନତା ଭିତରେ ଏକତାର ନିଦର୍ଶନ ଦେଖାଇଛି ସମ୍ବଲପୁରର କାଇଟ୍‌ ଫେଷ୍ଟିଭାଲ । ମକର ସଂକ୍ରାନ୍ତି ଅବସରରେ ପାରମ୍ପରିକ ଖେଳ ଇତ୍ୟାଦିକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ‘ସମ୍ବଲପୁର ୟୁଥ ଆସୋସିଏସନ’ ପକ୍ଷରୁ ସ୍ଥାନୀୟ ଫୋର-ସି ଗ୍ରାଉଣ୍ଡରେ ଏହି କାଇଟ ଫେଷ୍ଟିଭାଲର ଆୟୋଜନ । ଏଥିରେ ଗୁଡ଼ି ଉଡ଼ାଯିବା ସହ ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ନିଜ ନିଜର ପାରମ୍ପରିକ ନୃତ୍ୟ ଗୀତର ଆସର ଦେଖିବାକୁ ମିଳିଛି ।

  • କାଇଟ୍‌ ଫେଷ୍ଟିଭାଲ :

ସମ୍ବଲପୁରରେ ଅନୁଷ୍ଠିତ ହୋଇଛି କାଇଟ ଫେଷ୍ଟିଭାଲ । ଆଜି ସମ୍ବଲପୁରର ଜେଲ ଛକ ନିକଟ ଫୋର-ସି ଗ୍ରାଉଣ୍ଡରେ ସକାଳ 9ଟାରୁ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛୋଟ ବଡ଼ ବିଭିନ୍ନ ବର୍ଗର ଲୋକେ ଗୁଡ଼ି ଉଡାଇଥିଲେ । ମୁଖ୍ୟତଃ ଛୋଟ ପିଲା ଓ ଛାତ୍ରଛାତ୍ରୀ ଗୁଡ଼ି ଉଡାଇଥିଲେ । ଏହାସହ ଚିତ୍ରାଙ୍କନ ପ୍ରତିଯୋଗୀତା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା । ସମ୍ବଲପୁରୀ, ଓଡିଶୀ ସହ ବିଭିନ୍ନ ପ୍ରକାର ନୃତ୍ୟ ଗୀତର ଆସର ଜମିଥିଲା । ଏହାର ମଜା ନେଇଥିଲେ ସାମିଲ ହୋଇଥିବା ଦର୍ଶକ ।

ଏହା ମଧ୍ୟ ପଢ଼ନ୍ତୁ...

ମକର ଭୋଗରେ ମହକୁଛି ବଡଦାଣ୍ଡ, ମହାପ୍ରଭୁଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ

ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ତୁଳସୀକ୍ଷେତ୍ର, ଶ୍ରୀଜୀଉଙ୍କୁ ଲାଗି ହେଲା ୮୪ ପ୍ରକାର ବ୍ୟଞ୍ଜନ

  • 'ମିତ ବସିବାର ପର୍ବ କାଇଟ ଫେଷ୍ଟିଭାଲ':

ପବିତ୍ର ମକର ସଂକ୍ରାନ୍ତି ହେଉଛି ମିତ୍ରତା ଆଉ ଭାଇଚାରାର ପର୍ବ । ପଶ୍ଚିମ-ଓଡିଶାରେ ଏହି ଦିନରେ ଜଣେ ବ୍ୟକ୍ତିଙ୍କୁ ଜୀବନ ସାରା ପାଇଁ ମିତ୍ର ଭାବେ ସ୍ବୀକାର କରିବାର ପରମ୍ପରା ରହିଛି । ତେବେ ଏହି ପରମ୍ପରାକୁ ଆଜିର ଯୁବପିଢି ପ୍ରାୟତଃ ଭୁଲିବାକୁ ବସିଲେଣି । ମୋବାଇଲ୍‌ ଓ ଇଣ୍ଟରନେଟର ଯୁଗରେ ଜୀବନର ବ୍ୟସ୍ତବହୁଳତା ଯୋଗୁଁ ଅନେକ ମକର ସଂକ୍ରାନ୍ତିର ଏହି ପୂର୍ବ ପ୍ରଚଳିତ ପରମ୍ପରା ଓ ରୀତିନୀତି ବିଷୟରେ ଅବଗତ ନୁହନ୍ତି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବା ପରମ୍ପରା ମଧ୍ୟ କ୍ରମଶଃ ଲୋପ ପାଇବାରେ ଲାଗିଛି । ତେଣୁ ଆଜିର ଯୁବପିଢିଙ୍କୁ ଏହି ରୀତିନୀତି ଓ ପରମ୍ପରା ବିଷୟରେ ଅବଗତ କରେଇବା ଉଦ୍ଦେଶ୍ୟରେ "ସମ୍ବଲପୁର ୟୁଥ" ପକ୍ଷରୁ ଗତ 9ବର୍ଷ ଧରି ସମ୍ବଲପୁରରେ ଏହି କାଇଟ୍‌ ଫେଷ୍ଟିଭାଲ ଅନୁଷ୍ଠିତ ହୋଇ ଆସୁଛି । ଏଥିରେ ବିଭିନ୍ନ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଆସୁଛନ୍ତି ବୋଲି କହିଛନ୍ତି ଆୟୋଜକ ।

  • କାର୍ଯ୍ୟକ୍ରମରେ ସାମିଲ ହେଲେ ରାଜସ୍ବ ମନ୍ତ୍ରୀ

ଆଜିର ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି, "ଏହି ପର୍ବ ହେଉଛି ମିତ୍ରତା କରିବାର ପର୍ବ । ସମାଜକୁ ରୁଦ୍ଧିମନ୍ତ କରିବା ପାଇଁ, ବ୍ୟକ୍ତିଗତ ତିକ୍ତତାକୁ ଭୁଲି ମଣିଷ ମଣିଷ ଭିତରେ ସମ୍ପର୍କ ଯୋଡିବା ପାଇଁ, ପରସ୍ପରକୁ ଭଲ ପାଇବା ପାଇଁ, ସାରା ମାନବ ସମାଜକୁ ସ୍ନେହର ଡୋରିରେ ବାନ୍ଧିବା ପାଇଁ ଏହି ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ଅଛି ।"

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details