ପୁରୀ: ଆଜି ଅନବସରର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ବାରା ଖଡ଼ି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ମହାପ୍ରଭୁଙ୍କ ଖଡି ପ୍ରସାଦ ବିଜେ ହୋଇଥିଲା । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡ଼ି ପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବାୟତମାନେ ରୂପା ଥାଳିରେ ଆଣି ଗଜପତିଙ୍କୁ ଅର୍ପଣ କରିଛନ୍ତି । ସେପଟେ ଆଉ ମାତ୍ର ଦିନକ ପରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ତିନି ରଥର ନିର୍ମାଣ କାର୍ଯ୍ୟକୁ ନିର୍ମାଣକାରୀମାନେ ଶେଷ ସ୍ପର୍ଶ ଦେଉଛନ୍ତି ।
ଆଜି ଅନବସରର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଖଡି ପ୍ରସାଦ ବିଜେ ସହ ବନକଲାଗି କାର୍ଯ୍ୟ ଆରମ୍ଭ କରାଯାଇଛି । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡି ପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବାୟତମାନେ ରୂପା ଥାଳିରେ ଆଣି ଗଜପତିଙ୍କୁ ଅର୍ପଣ କରିଛନ୍ତି । ଏହାସହ ଦତ୍ତମହାପାତ୍ର ସେବାୟତମାନେ ପାରମ୍ପରିକ ରଙ୍ଗ ହେଙ୍ଗୁଳ, ହରିତାଳ, କେଶର, କସ୍ତୁରୀ ରଙ୍ଗ ବ୍ୟବହାର କରି ବନକଲାଗି କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କ ଏହି ଶ୍ରୀମୁଖ ଶୃଙ୍ଗାର କାର୍ଯ୍ୟ ଆଜି ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ଜାରି ରହିବ । ତେବେ ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ ଓ ନବଯୌବନ ସହ ରଥଯାତ୍ରା ପଡୁଥିବାରୁ ଭକ୍ତମାନେ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ । ରଥଯାତ୍ରା ଦିନ ହିଁ ଭକ୍ତମାନେ ରଥ ଉପରେ ନିଜର ଅତିପ୍ରିୟ କାଳିଆ ଠାକୁରଙ୍କ ଦର୍ଶନ ସହ ରଥ ଟାଣିବାର ସୁଯୋଗ ପାଇବେ । ସେହିପରି ଆସନ୍ତାକାଲି ଶ୍ରୀମନ୍ଦିର ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବା ପରେ 3 ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ ।