ହାଇଦ୍ରାବାଦ: ଆଜିକାଲି ସମୟରେ ଲୋକମାନଙ୍କ ଖାଦ୍ୟ ଅଭ୍ୟାସ ଏବଂ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଅଧିକ ତେଲଯୁକ୍ତ ଖାଦ୍ୟ, ମସଲାଯୁକ୍ତ ଓ ଜଙ୍କଫୁଡ୍ ଖାଇବା ଦ୍ବାରା ଲୋକଙ୍କଠାରେ ହାଇ କୋଲେଷ୍ଟ୍ରଲ ସମସ୍ୟା ଦେଖାଦିଏ । ଏଭଳି ଖାଦ୍ୟଶୈଳୀ ପାଇଁ ମେଦବହୁଳତା ଓ ହାଇ କୋଲେଷ୍ଟ୍ରଲ ଭଳି ସମସ୍ୟା ସୃଷ୍ଟି ହୁଏ । ଫଳରେ ହୃଦଘାତ ହେବାର ଆଶଙ୍କା ବଢିଥାଏ । ଶରୀରରେ କୋଲେଷ୍ଟ୍ରଲ ଲେବଲ ଅଧିକ ଥିବା ନେଇ ଅନେକ ଲୋକ ବହୁତ ଡେରିରେ ଜାଣିବାକୁ ପାଆନ୍ତି । ସେତେବେଳକୁ ସ୍ଥିତି ଅଧିକ ଗମ୍ଭୀର ହୋଇଯାଏ । ତେବେ ରାତିରେ ଶୋଇବା ବେଳେ ଶରୀରରେ ଏଭଳି କିଛି ଲକ୍ଷଣ ଦେଖାଦିଏ, ଯେଉଁଥିରୁ ଜାଣି ହେବ ଯେ, ଶରୀରରେ କୋଲେଷ୍ଟ୍ରଲର ସ୍ତର ଅଧିକ ଅଛି । ତେବେ ବ୍ରିଟିଶ ହାର୍ଟ ଫାଉଣ୍ଡେସନ ଅନୁସାରେ, ରାତି 10ଟାରେ ଶୋଇବା ସମୟରେ ଏଭଳି କିଛି ଲକ୍ଷଣ ଦେଖାଗଲେ ତାହା ହାଇ କୋଲେଷ୍ଟ୍ରଲର କାରଣ ହେଇପାରେ । ଜାଣନ୍ତୁ ସେ ଲକ୍ଷଣଗୁଡିକ କ'ଣଲ ?...
ଛାତିରେ ଯନ୍ତ୍ରଣା:
ବିଶେଷଜ୍ଞଙ୍କ ମତରେ, ରାତିରେ ଶୋଇବା ପରେ ହାଇ କୋଲେଷ୍ଟ୍ରଲ ଥିବା ଲୋକମାନେ ଛାତିରେ ଯନ୍ତ୍ରଣା ଅନୁଭବ କରନ୍ତି । ହାର୍ଟକୁ ରକ୍ତ ଯୋଗାଣ କରୁଥିବା ନାଳୀରେ କୋଲେଷ୍ଟ୍ରଲ୍ ଜମା ହେବା ଫଳରେ ରକ୍ତ ସଞ୍ଚାଳନରେ ସମସ୍ୟା ଦେଖାଦିଏ । ଫଳରେ ଶୋଇବା ସମୟରେ ଛାତି ଟାଣି ହେବା, ଯନ୍ତ୍ରଣା ଏବଂ ଭାରି ଅନୁଭବ ହେବା ଭଳି ଅନୁଭବ ହୋଇଥାଏ । ଏହା ହାଇ କୋଲେଷ୍ଟ୍ରଲ ଲକ୍ଷଣ ହୋଇପାରେ । ଏପରି ସ୍ଥିତିରେ, ଅନେକ ସମୟରେ ଏହା ହୃଦଘାତର କାରଣ ହୋଇପାରେ । ତେଣୁ ସମସ୍ୟା ଗମ୍ଭୀର ହେବା ପୂର୍ବରୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ହାର୍ଟର ରକ୍ତବାହୀ ନଳୀରେ କୋଲେଷ୍ଟ୍ରଲ୍ ଜମା ହେବା ଦ୍ୱାରା ହାର୍ଟ ଶରୀରକୁ ସଠିକ୍ ଭାବରେ ରକ୍ତ ଯୋଗାଣ କରିପାରେ ନାହିଁ । ଏହା ଯୋଗୁଁ ଶରୀରର କୋଷ (Cell)ଗୁଡ଼ିକ ଠିକ୍ ଭାବରେ ଅମ୍ଳଜାନ ପାଇପାରନ୍ତି ନାହିଁ । ଏପରି ସ୍ଥିତିରେ ନିଶ୍ୱାସ ନେବା କଷ୍ଟକର ହୋଇଯାଏ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଯଦି ଶରୀରରେ ଏଭଳି ଅନୁଭବ ହେଉଥିବ ତେବେ ଯଥାଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ ନେବା ଆବଶ୍ୟକ । ବିଶେଷକରି ଯଦି ଶୋଇବା ସମୟରେ ନିଶ୍ୱାସ ନେବାରେ ଲଗାତାର କଷ୍ଟ ହୁଏ ଏବଂ ବସିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହୁଏ ତେବେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ରାତିରେ ଥକ୍କାପଣ ଓ ଅଳସୁଆ ଅନୁଭବ:
ରାତିରେ ପ୍ରବଳ ଥକ୍କା ଲାଗିବା ଓ ଅଳସୁଆ ଅନୁଭବ ହେବା ଭଳି ସମସ୍ୟା ହାଇ କୋଲେଷ୍ଟ୍ରଲର କାରଣ ହୋଇପାରେ । କାରଣ କୋଲେଷ୍ଟ୍ରଲ ପ୍ରଭାବରେ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ । ଶରୀରର କୋଷ (Cell)ଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ପାଆନ୍ତି ନାହିଁ, ଯାହା ଫଳରେ ଶରୀର କ୍ଳାନ୍ତ ହୋଇଯାଏ । ରାତିରେ ଶୋଇବା ସମୟରେ ଏହି ସମସ୍ୟା ଅଧିକ ଦେଖାଯାଏ । ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁସାରେ, ଯଦି ଆପଣ ଦିନସାରା କଠିନ ପରିଶ୍ରମ ନ କରି ମଧ୍ୟ ରାତିରେ ଅଳସୁଆ ଅନୁଭବ କରୁଛନ୍ତି ତେବେ ଆପଣଙ୍କୁ ତୁରନ୍ତ ଡାକ୍ତରୀ ଯାଞ୍ଚ କରାଇବା ଉଚିତ ।
ମୁଣ୍ଡ ବୁଲାଇବା:
ମସ୍ତିଷ୍କକୁ ରକ୍ତ ଯୋଗାଣ କରୁଥିବା ଛୋଟ ଛୋଟ ରକ୍ତନଳୀରେ କୋଲେଷ୍ଟ୍ରଲ୍ ଜମା ହୋଇଯିବା ଫଳରେ ରାତିରେ ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୁଏ । ମସ୍ତିଷ୍କକୁ ରକ୍ତ ଯୋଗାଣର ଅଭାବ ଯୋଗୁଁ, ମୁଣ୍ଡ ବୁଲାଇବା ଏବଂ ମୁଣ୍ଡରେ ଯନ୍ତ୍ରଣା ହୁଏ । ଏସବୁ ସହ ଯଦି ଛାତିରେ ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟ ଭଳି ଲକ୍ଷଣ ମଧ୍ୟ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ହାତ ଏବଂ ପାଦ ଟାଣି ହେବା ଓ ଝିମ୍ଝିମ୍ ହେବା:
ଯେତେବେଳେ ଶରୀରରେ ରକ୍ତ ଯୋଗାଣ ଠିକ୍ ଭାବରେ ହୋଇନଥାଏ ସେତେବେଳେ ଗୋଡ ଏବଂ ହାତ ଟାଣିହେବା ସହ ଝିମ୍ଝିମ୍ ହେବା ଭଳି ସମସ୍ୟା ଉପୁଜେ । ବିଶେଷଜ୍ଞଙ୍କ ମତରେ, କୋଲେଷ୍ଟ୍ରଲ୍ ରକ୍ତବାହୀ ନଳୀରେ ବାଧା ସୃଷ୍ଟି କରେ । ଯଦି କାହା ପାଖରେ ଏହି ଲକ୍ଷଣ ରାତିରେ ବାରମ୍ବାର ଦେଖାଦିଏ ତେବେ ସେମାନଙ୍କୁ କୋଲେଷ୍ଟ୍ରଲ୍ ପରୀକ୍ଷା କରାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ପରିସ୍ରାରେ ଫେଣ ହେଉଛି କି ? ହୋଇପାରେ ଏସବୁ ରୋଗର ଲକ୍ଷଣ - FOAMY URINE ଏହା ମଧ୍ୟ ପଢ଼ନ୍ତୁ...7 ଦିନରେ କମ୍ ହୋଇପାରିବ କି କୋଲେଷ୍ଟ୍ରଲ ? ଜାଣନ୍ତୁ କ'ଣ କହୁଛି ମେଡିକାଲ ସାଇନ୍ସ |
ଧ୍ଯାନରେ ରଖନ୍ତୁ ଏକଥା:
ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଉପରୋକ୍ତ ଲକ୍ଷଣଗୁଡ଼ିକ ଅନ୍ୟ ରୋଗ ଏବଂ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ହୋଇପାରେ । ତେଣୁ, ଉପଯୁକ୍ତ ଡାକ୍ତରୀ ପରୀକ୍ଷା ଏବଂ ଔଷଧ ବ୍ୟବହାର କରିବା ଉଚିତ । ଏହାସହ ଦୈନିକ ବ୍ୟାୟାମ, ସୁସ୍ଥ ଖାଦ୍ୟ ଏବଂ ଚାପ ନିୟନ୍ତ୍ରଣ ଦ୍ୱାରା ଏଭଳି ସ୍ୱାସ୍ଥ୍ୟ ସମସ୍ୟାକୁ ଏଡାଯାଇପାରିବ ।
Disclaimer: (ଏଠାରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସାକଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । ଏଗୁଡିକ ଅନୁସରଣ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ ।)