ଭୁବନେଶ୍ବର: କୃଷ୍ଣ ଉପରେ ବସି ବୁଲୁଛି କଂସ । ଏକଥା ଶୁଣିବାକୁ କାନକୁ ଟିକେ ଅଡୁଆ ଲାଗୁ ଥାଇପାରେ କିନ୍ତୁ ଏଭଳି ଦେଖିବାକୁ ମିଳିଛି ପ୍ରବାସୀ ଭାରତୀୟ ଦିବସରେ । ଆମେ ଏଠାରେ ଭଗବାନଙ୍କ କୃଷ୍ଣଙ୍କ କଥା କହୁ ନାହୁଁ । ନା ଏହି କୃଷ୍ଣ ନାଟକର ଜଣେ ଚରିତ୍ର । ଏ କୃଷ୍ଣ ହେଉଛି ଏକ ରୋବୋଟିକ ମେସିନ । ଆଜ୍ଞା ହଁ ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷା ଦେବାକୁ ଆସିଛି ରୋବୋଟିକ୍ ଫାୟାର ମନିଟର କୃଷ୍ଣ। ଏତେ ବଡ ସମ୍ମିଳନୀରେ କାଳେ କେଉଁଠି ଅଘଟଣ ଘଟିଯିବ ଅଗ୍ନିଶମ ବିଭାଗ ପକ୍ଷରୁ କୃଷ୍ଣକୁ ନିୟୋଜିତ କରାଯାଇଛି । ରାଜଧାନୀରେ ଏବେ ଭିଭିଆଇପିଙ୍କ ଭିଡ। ସମ୍ମିଳନୀର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିବାବେଳେ ଉଦଯାପନୀ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ଦେଶ ଓ ବିଦେଶରୁ ଅତିଥି ଭୁବନେଶ୍ବରରେ ପହଞ୍ଚିଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସମସ୍ତ ଉଦ୍ୟମ ଚଳାଇଛନ୍ତି ।
‘କୃଷ୍ଣ’କୁ ଦେଖିବାକୁ ପ୍ରବଳ ଭିଡ
ଫାୟାର ଫାଇଟିଂ ମନିଟର କୃଷ୍ଣକୁ ନିୟୋଜିତ କରିଛି ଅଗ୍ନିଶମ ବିଭାଗ । ଯେଉଁଠି କେହି ପହଞ୍ଚି ପାରିବେନି ସେହି ସ୍ଥାନରେ କେବଳ ପହଞ୍ଚି ପାରିବ କୃଷ୍ଣ । ନା ଅଗ୍ନିଶମର ଗାଡି ନା କର୍ମଚାରୀ ବିନା କାହାର ସହାୟତାରେ ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ଆୟତ୍ତ କରିଥାଏ ଏହି ରୋବୋଟିକ୍ ମନିଟର । ରିମୋଟ ସହାୟତାରେ ଦୂରରେ ବସି ଏହାକୁ ଅଗ୍ନିଶମ ବିଭାଗ ଚଳାଇ ପାରିବେ । ଓଡିଶାରେ ମୋଟ୍ 24ଟି ରୋବୋଟିକ ମନିଟର ରହିଥିବାବେଳେ ଭୁବନେଶ୍ବର କେବଳ 2ଟି ଅଛି । ଏହି ରୋବୋଟିକ ମନିଟର ରିମୋଟ ସାହାଯ୍ୟରେ ପରିଚାଳିତ ହୋଇଥାଏ । ଛୋଟ ଟ୍ୟାଙ୍କର ସଦୃଶ ଦେଖାଯାଉଥିବା ଏହି ମନିଟରକୁ ଦେଖିବା ପାଇଁ ଜନତା ମଇଦାନରେ ପ୍ରବଳ ଭିଡ ଜମିଥିଲା ।
ଏକ କିଲୋମିଟର ଯାଏଁ ଏହି ରୋବୋଟ ପାଣି ସିଞ୍ଚନ କରିବାର କ୍ଷମତା ରଖୁଛି । ମନିଟର୍କୁ ଥଣ୍ଡା ରଖିବା ପାଇଁ 6ଟି ସ୍ପ୍ରିଙ୍କଲର ରଖାଯାଇଛି । ଗୋଟିଏ ଦମକଳ ଗାଡିର ପାଣି ସ୍ପ୍ରେ କ୍ଷମତା 1800 ଲିଟର ଥିବାବେଳେ ଏହି ରୋବୋଟିକ ମନିଟର କୃଷ୍ଣ ଦୁଇରୁ ଅଢେଇ ହଜାର ଲିଟର ପାଣି ସ୍ପ୍ରେ କରିପାରିବ । ଅନ୍ଧାର କିମ୍ବା ଧୂଆଁ ଭର୍ତ୍ତି ସ୍ଥାନରେ କୌଣସି ପଦାର୍ଥ ବା କେହି ମଣିଷ ରହିଯାଇଥିଲେ ତାକୁ କୃଷ୍ଣରେ ଲାଗିଥିବା ଥର୍ମାଲ କ୍ୟାମେରା ଚିହ୍ନଟ କରିପାରିବ । ଏପରିକି ନିଆଁ ଲାଗିଥିବା ସିଢିରେ ମଧ୍ୟ ଏହା ସହଜରେ ଚଢିଯାଇପାରିବ । ଭୟଙ୍କର ଅଗ୍ନିକାଣ୍ଡ ବେଳେ କାହାକୁ ଘଟଣାସ୍ଥଳକୁ ଯିବାକୁ ପଡିବ ନାହିଁ । ଆତଙ୍କବାଦୀ ଆକ୍ରମଣ ହେଲେ ବି କୃଷ୍ଣର କିଛି କ୍ଷତି କରିପାରିବନି।
ରୋବୋଟିକ ଫାୟାର ମନିଟର୍ କଣ ?
ରୋବୋଟିକ ଫାୟାର ମନିଟର ଛୋଟ ଟ୍ୟାଙ୍କର ସଦୃଶ ଏକ ମେସିନ । ଏହି ମେସିନର ଓଜନ 20ରୁ 25 କିଲୋଗ୍ରାମ ମଧ୍ୟରେ ରହିଥାଏ । ଅପହଞ୍ଚ ଇଲାକାରେ ପହଞ୍ଚିବା ଲକ୍ଷ୍ୟ ନେଇ ମେସିନକୁ ଡିଜାଇନ କରାଯାଇଛି । ଏହି ରୋବୋଟ ସିଢି ଚଢିପାରିବା ସହ ନିଆଁ ଲିଭାଇ ପାରିବ । ଗହଳି ସ୍ଥାନ ହେଉକି ବିପଦପୂର୍ଣ୍ଣ ସ୍ଥାନ ସବୁଠି ପହଞ୍ଚିବାର କ୍ଷମତା ରଖୁଛି । ଜଣେ ସାଧାରଣ ଲୋକ ଯେତିକି ତାପମାତ୍ରାରେ ନିଆଁ ଲିଭାଇବାକୁ ଚେଷ୍ଟା କରେ ତାର ଅଧିକ ତାପମାତ୍ରା ନିଆଁ ଭିତରେ ଯାଇ ନିଆଁ ଲିଭାଇଥାଏ ଏହି ମେସିନ । ଏହି ମେସିନ 20ରୁ 30 ଜଣଙ୍କ କାମ କରିଥାଏ ।
ଅଧିକ ପଢନ୍ତୁ: ସତ୍ୟନଗରରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ
ପ୍ରବାସୀ ଭାରତୀୟ ସମ୍ମିଳନୀ, 27 ପ୍ରବାସୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
135 ଅଗ୍ନିଶମ ଗାଡି ନିୟୋଜିତ
ପ୍ରବାସୀ ଭାରତୀୟ ଦିବସରେ ଅନେକ ହେବିଓ୍ବେଟ ସାମିଲ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆତଙ୍କୀ ହମଲା କିମ୍ବା ସେଭଳି କିଛି ଘଟଣା ଘଟିଲେ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି ଅଗ୍ନିଶମ ବିଭାଗ । ଜନତା ମଇଦାନର ଚତୁଃପାର୍ଶ୍ୱରେ ସେଭଳି କିଛି ଅଘଟଣ ଘଟିଲେ ତାର କିଭଳି ମୁକାବିଲା କରିହେବ ସେଥିପାଇଁ ସମସ୍ତେ ପ୍ରସ୍ତୁତ । ଅଗ୍ନିଶମ ବିଭାଗର 300 ରୁ ଅଧିକ କର୍ମଚାରୀ ନିୟୋଜିତ ଥିବାବେଳେ ଘଟଣାସ୍ଥଳରେ 135ଟି ଅଗ୍ନିଶମ ଗାଡି ରହିଛି । ସେହିପରି 3ଟି ରୋବୋଟିକ ଫାୟାର ମନିଟର କୌଣସି ଦୁର୍ଘଟମାକୁ ଏଡାଇବା ପାଇଁ ମହଜୁଦ ରହିଛି । ପ୍ରବାସୀ ଭାରତୀୟଙ୍କ ସମସ୍ୟା ବୁଝିବା ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥା କରାଯାଇଛି । ଅଗ୍ନିଶମ ବିଭାଗ ଭଳି ଟେରୋରିଷ୍ଟ ସ୍କ୍ୱାର୍ଡ, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, ବମ୍ ସ୍କ୍ୱାର୍ଡ, ଡଗ ସ୍କ୍ୱାର୍ଡ ପ୍ରବାସୀ ଭାରତୀୟ ସୁରକ୍ଷା ଦାୟିତ୍ବ ରହିଛନ୍ତି ।
କୃଷ୍ଣ ଉପରେ ବସି ବୁଲୁଛି କଂସ
ସେହି ଠାଣି ସେହି ଚାହାଣୀ । ହାତରେ ବିଶାଳ ଗଦା । ଯିଏ କଂସ ମହାରାଜଙ୍କୁ ଦେଖୁଛି ଘଡିଏ ଅଟକି ଯାଉଛି । ବରଗଡରେ ଚାଲିଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । କିନ୍ତୁ ଧନୁଯାତ୍ରା ଛାଡି ପ୍ରବାସ ଭାରତୀୟ ଦିବସରେ କଣ କରୁଛନ୍ତି କଂସ ମହାରାଜ । ବୋଧ ହୁଏ ପ୍ରବାସୀ ଭାରତୀୟ ଦିବସର ଚାକଚକ୍ୟ ଦେଖି କଂସ ମହାରାଜଙ୍କୁ ଆଉ ବରଗଡରେ ମନ ଲାଗୁନି । ସେପଟେ ମହାରାଜ କଂସଙ୍କୁ ଅଗ୍ନିଶମ ବିଭାଗର ରୋବୋଟିକ ମେସିନ କୃଷ୍ଣରେ ବୁଲୁଥିବା ଦେଖିବାକୁ ମିଳୁଛି । କଂସକୁ ଏଭଳି ଅବସ୍ଥାରେ ଦେଖିବା ପରେ ପ୍ରବାସୀଙ୍କ ପାଟିରେ କେବଳ ଗୋଟିଏ କଥା କୃଷ୍ଣଙ୍କ ଉପରେ ବସି ବୁଲୁଛନ୍ତି କଂସ ମାମୁଁ।
ପ୍ରକୃତରେ କଂସ ମାମୁଁ ଅଗ୍ନିକାଣ୍ଡ ଦୁର୍ଘଟଣା ସମୟରେ କୃଷ୍ଣ ରୋବଟର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି । କିଭଳି ଅଗ୍ନିକାଣ୍ଡରୁ ନେଇ ଦୁର୍ବିପାକ ଯାଏଁ ଅଗ୍ନିଶମ ବାହିନୀ ଆମ ସେବାରେ ଲାଗିଛନ୍ତି ସେନେଇ ବୁଲି ବୁଲି ପ୍ରଶଂସା କରିଛନ୍ତି କଂସ ମାମୁଁ । ‘‘ଧନଜୀବନ ରକ୍ଷା କରିବାରେ ଉଦାହରଣ ସାଜିଛନ୍ତି ଆମ ଅଗ୍ନିଶମ ବାହିନୀ । ଆଉ ଏହି ବାହିନୀରେ ରୋବଟ କୃଷ୍ଣ ଯୋଡି ହେବା ପରେ ଅଗ୍ନିଶମ ବାହିନୀ ଆଉ ଏକ ପାଦ ଆଗକୁ ବଢିଥିବା’’ ସେ କହିଛନ୍ତି ।
ସତ୍ୟନଗର ଗୋଦାମ ନିଆଁ ଲିଭାଇଥିଲା ରୋବୋଟ
ଗତ ଡିସେମ୍ବରରେ ଭୁବନେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡରେ ଜଳିଯାଇଥିଲା ଗୋଦାମ । ଅଗ୍ନିଶମ ବାହିନୀର ମୋଟ 250 କର୍ମଚାରୀଙ୍କ ସମେତ ମୋଟ 15 ଟି ଗାଡିର ବ୍ୟବହାର ହୋଇଥିଲା ନିଆଁ ଆୟତ୍ତ ପାଇଁ । କିନ୍ତୁ ଗୋଦାମ ବହୁତ୍ ବଡ଼ ଏବଂ ଗୋଦାମ ମଧ୍ୟରେ ଅନେକ ଯାନ୍ତ୍ରିକ ଉପକରଣ ରହିଥିବାରୁ ନିଆଁ ଅଧିକ ଜୋରରେ ପରିବ୍ୟାପ୍ତ ହୋଇଥିଲା। ସେପଟେ ଗୋଦାମ ବହୁତ୍ ବଡ଼ ଅଞ୍ଚଳରେ ହୋଇଥିବାରୁ ଗୋଦାମର ମଝିରେ ପାଣି ପଡ଼ିପାରୁ ନଥିଲା । ଯେଉଁଥିପାଇଁ ନିଆଁକୁ ଆୟତ କରିବାକୁ ବେଶୀ ସମୟ ଲାଗିଥିଲା । ତେବେ ପ୍ରଥମ ଥର ପାଇଁ ନିଆଁ ଲିଭାଇବାରେ ରୋବୋଟିକ ଫାୟାର ଫାଇଟର ବ୍ୟବହାର କରାଯାଇଥିଲା ।