ଭୁବନେଶ୍ବର: ଚିଲିକାରେ ଦୁଇଟି ଗ୍ରେଟର ଫ୍ଲାମିଂଗୋକୁ ସଫଳତାର ସହ ଧରି ଟ୍ୟାଗ୍ କରାଯାଇଛି। ଦୁଇଟି ଫ୍ଲାମିଂଗୋକୁ ୩୦ ଗ୍ରାମ ଓଜନର ଏକ ସୌରଚାଳିତ ଟ୍ରାନ୍ସମିଟର ସହିତ ଟ୍ୟାଗ୍ କରାଯାଇଛି । ଯାହା ପ୍ରତି ୧୦ମିନିଟ୍ ରେ ପକ୍ଷୀମାନଙ୍କର ଉପସ୍ଥିତି ରେକର୍ଡ କରାଯାଇପାରିବ। ଏହି ଉପକରଣଟି ଶୀତ ଋତୁରେ ଫ୍ଲାମିଙ୍ଗୋମାନଙ୍କର ଚିଲିକା ଜଳରାଶି ଆଭ୍ୟନ୍ତରୀଣ ଚଳପ୍ରଚଳ ଓ ବ୍ୟବହାରକୁ ବୁଝିବାରେ ସହାୟକ ହେବ। ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍) ଶୀତ ଦିନେରେ ଚିଲିକାର ପ୍ରମୁଖ ଆକର୍ଷଣ ଅଟେ। ଏହି ପ୍ରବାସୀ ପକ୍ଷୀ ଶୀତଋତୁରେ ଉପକୂଳବର୍ତ୍ତୀ କ୍ଷରିଆ ଜଳ ହ୍ରଦକୁ ଆସିଥାଏ।
ଟ୍ରାକିଂ ହେବେ ଗ୍ରେଟର ଫ୍ଲାମିଙ୍ଗୋ
ଏହି ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡାଃ ଆର. ସୁରେଶ କୁମାରଙ୍କ ନେତୃତ୍ୱରେ ଏବଂ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ଜାନୁଆରୀ ୮ ଏବଂ ୯ ତାରିଖରେ ଚିଲିକାର ନଳବଣରୁ ଦୁଇଟି ଗ୍ରେଟର ଫ୍ଲାମିଂଗୋକୁ ସଫଳତାର ସହ ଧରି ଟ୍ୟାଗ୍ କରାଯାଇଅଛି। ଦୁଇଟି ଫ୍ଲାମିଂଗୋକୁ ୩୦ ଗ୍ରାମ ଓଜନର ଏକ ସୌରଚାଳିତ ଟ୍ରାନ୍ସମିଟର ସହିତ ଟ୍ୟାଗ୍ କରାଯାଇଛି ଯାହା ପ୍ରତି 10 ମିନିଟ୍ ରେ ପକ୍ଷୀମାନଙ୍କର ଉପସ୍ଥିତି ରେକର୍ଡ କରିବ। ଏହି ଉପକରଣଟି ଶୀତ ଋତୁରେ ଫ୍ଲାମିଙ୍ଗୋମାନଙ୍କର ଚିଲିକା ଜଳରାଶି ଆଭ୍ୟନ୍ତରୀଣ ଚଳପ୍ରଚଳ ଓ ବ୍ୟବହାରକୁ ବୁଝିବାରେ ସହାୟକ ହେବ। ଯାହା ବନ ବିଭାଗକୁ ଗ୍ରେଟର ଫ୍ଲାମିଙ୍ଗ ମାନଙ୍କର ବାସସ୍ଥାନ ପରିଚାଳନା ଏବଂ ସଂରକ୍ଷଣ ଉପରେ ପ୍ରମାଣ-ଭିତ୍ତିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ଏହି ପକ୍ଷୀମାନେ କେଉଁଠାରୁ ଆସିଥାନ୍ତି ଏବଂ ଚିଳିକାରୁ ପ୍ରସ୍ଥାନ ସମୟରେ ସେମାନେ କେଉଁ ପଥ ଗ୍ରହଣ କରନ୍ତି ତାହାର ରହସ୍ୟ ମଧ୍ୟ ପ୍ରକାଶ କରିବ।
କେଉଁଠୁ ଆସୁଛନ୍ତି ଫ୍ଲାମିଙ୍ଗୋ
ଫିଲ୍ଟର- ଫିଡିଂ ପାଇଁ ଉପଯୋଗୀ, ଏହାର ଅନନ୍ୟ ଥଣ୍ଟ ଓ ଲମ୍ବା ଗୋଡ ଏହି ଚଢେଇଙ୍କୁ ଅନ୍ୟ ପକ୍ଷୀ ମାନଙ୍କ ତୁଳନାରେ ଭିନ୍ନ କରିଥାଏ। ଏଥିପାଇଁ ଏହି ପକ୍ଷୀ ଦେଖଣାହରିଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ପାଇଥାଏ। ପ୍ରତିବର୍ଷ ନଭେମ୍ବର -ଡିସେମ୍ବର ମାସରେ ସବୁ ବର୍ଗର ହଜାର ହଜାର ସଂଖ୍ଯାରେ ପକ୍ଷୀ ଚିଲିକାକୁ ଆସିଥାନ୍ତି। ଏପ୍ରିଲ- ମେ ମାସରେ ସେମାନଙ୍କର ପ୍ରଜନନ ଅଞ୍ଚଳକୁ ଚାଲିଯାଆନ୍ତି । କିନ୍ତୁ ଅଦ୍ୟାବଧି ଫ୍ଲାମିଂଗୋ କେଉଁଠାରୁ ଆସିଥାନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ। ଗ୍ରେଟର ଫ୍ଲାମିଂଗୋ ଗୁଜୁରାଟ କଚ୍ଛର ରନ୍ ରେ "ଫ୍ଲେମିଙ୍ଗୋ ସିଟି" ଭାବରେ ପରିଚିତ ଏକ ଅଞ୍ଚଳରେ ପ୍ରଜନନ କରନ୍ତି । ଶୀତଦିନରେ ଆସୁଥିବା ଫ୍ଲାମିଂଗୋ ପକ୍ଷୀ ସମ୍ଭବତଃ ସେହି ଅଂଚଳରୁ ଆସୁଥାଇ ପାରନ୍ତି । ତଥାପି, ସେମାନେ ଏସିଆ ମହାଦେଶର ଇରାନ , କାଜ଼ାକସ୍ଥାନ ଅଞ୍ଚଳରୁ ଆସିଥାଇ ପାରନ୍ତି ବୋଲି BNHS ର ପୂର୍ବ ଗବେଷଣାରୁ ଜଣାପଡିଛି । ତେଣୁ ଏହି ଗବେଷଣାରୁ ଉପଲବ୍ଧ ତଥ୍ୟକୁ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ପରୀକ୍ଷା ଓ ପ୍ରମାଣିତ କରିବାପାଇଁ ଓଡିଶା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ବନ୍ୟପ୍ରାଣୀ ସଂଗଠନ , ଡେରାଡୁନ ସ୍ଥିତ ଭାରତୀୟ ବନ୍ୟଜୀବ ସଂସ୍ଥାନର ବୈଷୟିକ ସହାୟତାରେ GSM-GPS ସମ୍ବଳିତ ଟ୍ୟାଗିଂ ଅନୁସନ୍ଧାନ ଆରମ୍ଭ କରିଛନ୍ତି ।
ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ପାଳନ ଅବସରରେ ଚିଲିକାରୁ ଗ୍ରେଟର ଫ୍ଲାମିଙ୍ଗର ଟ୍ରାକିଂ ପ୍ରକ୍ରିୟା ରାଜ୍ୟରେ ପ୍ରଥମ ଭାବରେ ସମ୍ପାଦିତ ହୋଇଯାଇଛି । ଏହି ପଦକ୍ଷେପ ଦ୍ୱାରା ଚିଲିକା ହ୍ରଦକୁ ଆସୁଥିବା ପରିବ୍ରାଜକ ପକ୍ଷୀମାନଙ୍କ ଆଗମନ ଓ ପ୍ରସ୍ଥାନ ସମ୍ପର୍କିତ ତଦାରଖ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ରୂପେ ବିବେଚନା କରାଯାଉଅଛି ।
ଶିକାରୀଙ୍କ ପାଇଁ ଚକ୍ରବ୍ୟୁହ
ଚିଲିକାକୁ ବିଦେଶୀ ପକ୍ଷୀ ଆସିଲେ ଶିକାରୀମାନେ ସକ୍ରିୟ ହୋଇପଡିଥାନ୍ତି । ବିଶେଷ ଭାବେ ପକ୍ଷୀ ମାନଙ୍କୁ ମାରି ଅଧିକ ଦରରେ ବିକ୍ରି କରିଥାନ୍ତି । ସେଥିପାଇଁ ଚଳିତବର୍ଷ ଶିକାରୀଙ୍କ ଉପରେ ରହିଛି କଡା ନଜର । ଏହା ସହ କିଛି ଶିକାରୀଙ୍କୁ ଚିହ୍ନଟ କରାଯାଇଛି । କେଉଁଠାରେ ବିଦେଶୀ ଚଢେଇଙ୍କୁ ଶିକାର କରାଯାଉଛି । ସେନେଇ ମଧ୍ୟ ନଜର ରଖାଯାଇଛି। ଏହା ସହ ବିଭିନ୍ନ ସ୍ଥାନରେ ଇନଫରମର ରଖାଯାଇଛି । ଯଦି କୌଣସି ସ୍ଥାନରେ ଏଭଳି ଦେଖାଯାଏ ତେବେ ତୁରନ୍ତ ଖବର ଜଣାଇବାକୁ କୁହାଯାଇଛି । ତେବେ ପାଖାପାଖି ୨୦ ଜଣ ଶିକାରୀ ଗିରଫ ହୋଇଛନ୍ତି ।
କେଉଁ ବର୍ଷ କେତେ ବିଦେଶୀ ପକ୍ଷୀ ଆସିଛନ୍ତି ଚିଲିକା:
ରାଜ୍ୟ ବନ୍ୟାପ୍ରାଣୀ ସଂଗଠନ ତଥ୍ୟ ଅନୁଯାୟୀ,
୨୦୨୪ ମସିହାରେ ଚିଲିକାକୁ ୧୮୯ ପ୍ରଜାତିର ୧୧୩୭୭୫୯ ବିଦେଶୀ ପକ୍ଷୀ ଆସିଛନ୍ତି
୨୦୨୩ ମସିହାରେ ଚିଲିକାକୁ ୧୮୪ ପ୍ରଜାତିର ୧୧୩୧୯୨୯ ବିଦେଶୀ ପକ୍ଷୀ ଆସିଥିଲେ
୨୦୨୧-୨୨ ମସିହାରେ ଚିଲିକାକୁ ୧୦୭ ପ୍ରଜାତିର ୧୦.୭୪ ଲକ୍ଷ ବିଦେଶୀ ପକ୍ଷୀ ଆସିଥିଲେ
୨୦୨୦-୨୧ ମସିହାରେ ଚିଲିକାକୁ ୧୧୧ ପ୍ରଜାତିର ୧୨.୦୪ ଲକ୍ଷ ବିଦେଶୀ ପକ୍ଷୀ ଆସିଥିଲେ
୨୦୧୯-୨୦ ମସିହାରେ ୧୦୯ ପ୍ରଜାତିର ୧୦.୭୧ ଲକ୍ଷ ବିଦେଶୀ ପକ୍ଷୀ ଆସିଥିଲେ
୨୦୧୮-୧୯ ମସିହାରେ ୧୦୫ ପ୍ରଜାତିର ୧୦.୨୧ ଲକ୍ଷ ବିଦେଶୀ ପକ୍ଷୀ ଆସିଥିଲେ
୨୦୧୭-୧୮ ମସିହାରେ ଚିଲିକାକୁ ୯୫ ପ୍ରଜାତିର ୮.୬୮ ଲକ୍ଷ ବିଦେଶୀ ପକ୍ଷୀ ଆସିଥିଲେ
୨୦୧୬-୧୭ ମସିହାରେ ଚିଲିକାକୁ ବିଦେଶୀ ପକ୍ଷୀ ଆସିଛନ୍ତି ୧୦୦ ପ୍ରଜାତିର ୯.୨୪ ଲକ୍ଷ
ଏହା ମଧ୍ୟ ପଢନ୍ତୁ: ଚିଲିକା ବିହଙ୍ଗ ଉତ୍ସବ, ପ୍ରବାସୀ ଭାରତୀୟ ହେବେ ବ୍ରାଣ୍ଡ ଆମ୍ବାସଡର ପ୍ରବାସୀ ଭାରତୀୟ ସାଉଁଟିବେ ଓଡ଼ିଶାର ପର୍ଯ୍ୟଟନର ଅନୁଭୂତି, ବୁଲିବେ ଚିଲିକା-ସାତପଡା |
ଇଟିଭି ଭାରତ, ଭୁବନେଶ୍ବର