କେନ୍ଦୁଝର:ନାବାଳିକାକୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀଙ୍କୁ ମିଳିଛି ଦଣ୍ଡାଦେଶ । ଫାଷ୍ଟ ଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ମଙ୍ଗଳବାର ମାମଲାର ଚୂଡାନ୍ତ ଶୁଣାଣି କରି ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି । ହଷ୍ଟେଲରେ ରହି ପାଠ ପଢ଼ୁଥିବା ନବମଶ୍ରେଣୀ ଛାତ୍ରୀ ଗ୍ରୀଷ୍ମାବକାଶରେ ଘରକୁ ଯାଇଥିବା ବେଳେ କାଞ୍ଜିପାଣି ଥାନା ଅର୍ନ୍ତଗତ ବୁଢ଼ୀଘର ଗ୍ରାମର ମୁରଲୀଧର ଜୁଆଙ୍ଗ (୨୦) ସମ୍ପୃକ୍ତା ନାବାଳିକାକୁ ତା’ର ସାନଭଉଣୀ ସହାୟତାରେ ଡାକି ଜୋରଜବରଦସ୍ତ ଦୁଷ୍କର୍ମ କରିବା ସହ ଏ ସମ୍ପର୍କରେ କାହାରି ଆଗରେ ପ୍ରକାଶ ନକରିବାକୁ ଧମକ ଦେଇଥିଲା ।
ଏହା ମଧ୍ୟ ପଢନ୍ତୁ...୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା, ଚାଷଜମିରୁ ମିଳିଲା ମୃତଦେହ
ଗ୍ରୀଷ୍ମାବକାଶ ପରେ ଛାତ୍ରୀ ଜଣକ ହଷ୍ଟେଲରେ ରହି ପାଠ ପଢ଼ିବା ବେଳେ ଛାତ୍ରୀ ଜଣକର ଶାରିରୀକ ପରିବର୍ତ୍ତନ ଦେଖି ହଷ୍ଟେଲ ମାଟ୍ରନ ପଚାରିବାରୁ ଗ୍ରୀଷ୍ମାବକାଶରେ ଘରକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ମାଟ୍ରନଙ୍କ ସମ୍ମୁଖରେ ପ୍ରକାଶ କରିଥିଲା । ଛାତ୍ରୀ ଜଣକ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ଜଣାପଡିବା ପରେ ୧୯ ନଭେମ୍ବର ୨୦୨୨ରେ ସ୍ଥାନୀୟ କାଞ୍ଜିପାଣି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ତହିଁ ପରଦିନ ଅର୍ଥାତ ୨୦ ନଭେମ୍ବର ୨୦୨୨ରେ ଅଭିଯୁକ୍ତ ମୁରଲୀ ଜୁଆଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।