କେନ୍ଦ୍ରାପଡ଼ା:ବୟସର ଅପରାହ୍ନରେ ମୃତ ସ୍ୱାମୀଙ୍କ ପେନସନ ଟଙ୍କା ପାଇଁ ଲଢ଼ୁଛନ୍ତି ନ୍ୟାୟିକ ଲଢେଇ । ବୟସ ୯୩ ଟପିଲାଣି । ଭଲ କରି ଶୁଣି ପାରୁନାହାନ୍ତି, ହେଲେ ଏବେ ମଧ୍ୟ ନ୍ୟାୟ ପାଇବା ପାଇଁ କୋର୍ଟର କାଠଗଡାରେ ଛିଡା ହେବାକୁ ପ୍ରସ୍ତୁତ କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକର ହାର ସାହୁ । ସ୍ବାମୀଙ୍କ ମୃତ୍ୟୁକୁ ଦୀର୍ଘ ୪୬ ବର୍ଷ ବିତିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ପେନସନ ଟଙ୍କା ମିଳିପାରିନାହିଁ । ଯାହାକୁ ନେଇ ଦୀର୍ଘଦିନ ଧରି ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ତ ହେବା ପରେ ଗତ ୨୨ ତାରିଖ ଦିନ ଉଚ୍ଚ ନ୍ୟାୟାଳୟ ବୃଦ୍ଧାଙ୍କୁ ଏକମାସ ସମୟ ମଧ୍ୟରେ ପେନସନ ଓ ଏରିଅର ଟଙ୍କା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ପଲେଇ ପଞ୍ଚାୟତର ପଲେଇ ଗାଁ (କନ୍ଦରପୁର)ର ବେଣୁଧର ସାହୁ ୧୯୭୧ ମସିହାରେ ଶିକ୍ଷକ ଭାବରେ ତାଙ୍କର ଚାକିରୀ ଜୀବନ କେନ୍ଦ୍ରାପଡା ବ୍ଳକ ସ୍ଥିତ ଦୁହୁରିଆର ରତ୍ନାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଥିଲେ । ସେ ସମୟରେ ତାଙ୍କର ମାସିକ ଦରମା ଥିଲା ୮୦ ଟଙ୍କା । ତେବେ ୧୯୭୭ ମସିହାରେ ବେଣୁଧରଙ୍କୁ ୫୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା । ଏହାପରେ ବେଣୁଧରଙ୍କ ପତ୍ନୀ ହାର ସାହୁ ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ ପାଇଁ ତତ୍କାଳୀନ କଟକ ସିଆଇ ଅଫିସ ଦୌଡିଥିଲେ ହେଁ ନିରାଶ ହୋଇଥିଲେ । ପରେ ୨୦୦୦ ମସିହାରୁ ଏଯାବତ ବିଭିନ୍ନ ଫୋରମରେ ସ୍ୱାମୀଙ୍କ ପେନସନ ପାଇବା ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ସୁଦ୍ଧା ତାଙ୍କୁ କୌଣସି ସୁଫଳ ମିଳି ନଥିଲା । ପରେ ବାଧ୍ୟ ହୋଇ ୨୦୨୩ ମସିହାରେ ହାର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।