କେନ୍ଦ୍ରାପଡ଼ା: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ମହାପ୍ରଭୁଙ୍କ ପଦ୍ମବେଶ ଓ ବୋଇତ ବନ୍ଦାଣ ଉତ୍ସବ । ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ବଡ଼ ଟାକୁରଙ୍କ ପଦ୍ମ ବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ଜମିଛି । ତେବେ ଆଜି ପ୍ରଭୁଙ୍କର କିପରି ନୀତିକାନ୍ତି ହୁଏ, ସେନେଇ କହିଛନ୍ତି ମନ୍ଦିର ପୂଜାପଣ୍ଡା ସେବାୟତ ।
କାର୍ତ୍ତିକ ପୂର୍ଣ୍ଣିମାରେ କ'ଣ ରହିଛି ବିଶେଷ ପୂଜା ତିଥି:
ତୁଳସୀକ୍ଷେତ୍ର ଶ୍ରୀବଳଦେବଜୀଉ ମନ୍ଦିର ପୂଜାପଣ୍ଡା ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି, "ଆଜି ହେଉଛି କାର୍ତ୍ତିକ ମାସର ଶେଷ ଦିନ । ତିଥି ଅନୁଯାୟୀ, ଆଜି ହେଉଛି ରାହାସ ପୂର୍ଣ୍ଣିମା । ଆଜି ଦିନରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ରହିଛି । ସକାଳୁ ଦ୍ୱାର ଫିଟାଯାଇ ଜୟ ମଙ୍ଗଳା ଆଳତୀ, ନୀତିସ୍ନାନ ଓ ବଲ୍ଲଭ ଭୋଗ ଶେଷ ହୋଇଛି । ସକାଳ ଭୋଗ ପରେ ଦ୍ୱିପ୍ରହର ଭୋଗ ଲାଗି ଏବଂ ସ୍ୱତନ୍ତ୍ର ବେଶ ବା ଦୁର୍ଲ୍ଲଭ ପଦ୍ମ ବେଶରେ ଆଜି ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ । ସ୍ୱତନ୍ତ୍ର ନୀତିକାନ୍ତି ଅନୁଯାୟୀ, ବଳଦେବଜୀଉଙ୍କ ଚଳନ୍ତି ପ୍ରତିମା ଗୋବିନ୍ଦଜୀଉ ଓ ରାଧା କୃଷ୍ଣ ଆଜି ଫୁଲ ରଥକୁ ବିଜୟୀ ହେବେ । ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଯେପରି ରାଧାଙ୍କ ସହିତ ଲୀଳାଖେଳା କରୁଥିଲେ । ଷୋଡଶ ଗୋପାଙ୍ଗନାଙ୍କୁ ଧରି କେଳି କରୁଥିବା ସମସ୍ତ ନୀତିକାନ୍ତି ଆଜି ଫୁଲ ରଥରେ ଅନୁଷ୍ଠିତ ହେବ । ଆଜି ପଞ୍ଚକର ସମସ୍ତ ନୀତି ଗୋଟିଏ ଦିନରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ସଅଳ କରିବା ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତ ତତ୍ପର ଅଛନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।"
ଶ୍ରୀବଳଦେବଜୀଉ ମନ୍ଦିର କିମ୍ବଦନ୍ତୀ:
ପୂଜାପଣ୍ଡା ସେବାୟତ ଜ୍ୟୋତିରଞ୍ଜନ ପତ୍ରୀଙ୍କ କହିବା ଅନୁସାର,ଆଜି ଦିନର ମଧ୍ୟ ମନ୍ଦିର ସହ ସ୍ୱତନ୍ତ୍ର ଇତିହାସ ଓ କିମ୍ବଦନ୍ତୀ ରହିଛି । ଅନଙ୍ଗଭୀମ ଦେବଙ୍କ ସମୟରେ ଆଜିର ଦିନରେ କ୍ଷେତ୍ର ପ୍ରତିଷ୍ଠା ହୋଇଥିବା ଇତିହାସ କୁହେ । ଏହା ୮୦୦ ବର୍ଷର ପରମ୍ପରା । ତେଣୁ ଏହାର ସ୍ୱତନ୍ତ୍ର ହେଉଛି କିମ୍ବଦନ୍ତୀ । ୧୭୦୦ ମସିହାରେ ଆଜିର ଦିନରେ ମହାପ୍ରଭୁ ବଳଦେବଜୀଉ ଇଚ୍ଛାପୁରକୁ ଆସିଥିବା କୁହନ୍ତି ପୂଜାପଣ୍ଡା । ଏହା ପୁର୍ବରୁ ମହାପ୍ରଭୁ ବଳଦେବଜୀଉ ପୁରୁଣା ବସଷ୍ଟାଣ୍ଡର ଏକ ଭବ୍ୟ ମନ୍ଦିରରେ ପୂଜା ପାଉଥିଲେ । ମାତ୍ର ଶାସକ ଔରଙ୍ଗଜେବଙ୍କ ମୋଗଲ ସୁବାଦାର ଖାନ-ଇ-ଦୌରାନ ଦ୍ଵାରା କେନ୍ଦ୍ରାପଡା ସହରର ମଧ୍ୟ ଭାଗରେ ଅବସ୍ଥିତ ପ୍ରାକ୍ତନ ମନ୍ଦିର ୧୬୬୩ ମସିହାରେ ଧ୍ଵଂସ ହୋଇଯାଇଥିଲା । ପରେ ୧୭୦୦ ମସିହା ସୁଦ୍ଧା ରାଜା ତୃତୀୟ ଅନାଙ୍ଗଭୀମ ଦେବଙ୍କ ପ୍ରଚେଷ୍ଟାରେ କୁଜଙ୍ଗ ନରେଶ ଓ ଛେଦରା ବାରଙ୍ଗ ରାଜା, ଗୋପୀନାଥ ନରେନ୍ଦ୍ର ଓ ଜଗନ୍ନାଥ ମହାପାତ୍ରଙ୍କ ମିଳିତ ସହଯୋଗରେ ବର୍ତ୍ତମାନର ମୁଖ୍ୟ ମନ୍ଦିର ନିର୍ମିତ ହୋଇଥିଲା ବୋଲି ଐତିହାସିକ କିମ୍ବଦନ୍ତୀ ରହିଛି । ତେବେ ଆଜି ଦିନରେ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯାଉଛି । ସନ୍ଧ୍ୟା ଧୂପ ପୁର୍ବରୁ ଶ୍ରୀ ବଳଦେବଜୀଉ ପଦ୍ମବେଶରେ ଦର୍ଶନ ଦେବେ ବୋଲି କହିଛନ୍ତି ପୂଜାପଣ୍ଡା ।
ଚଳଚଞ୍ଚଳ ତୁଳସୀକ୍ଷେତ୍ର ଓ ପୁରପଲ୍ଲୀ: