ଓଡିଶା

odisha

ETV Bharat / state

ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ହେବେ ଜୁନିୟର ରକ୍ଷକ - Junior Rakshak Program - JUNIOR RAKSHAK PROGRAM

Junior Rakshak Program: ଭୁବନେଶ୍ୱରରେ ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ ଉଦଘାଟିତ । ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ହେବେ ଜୁନିୟର ରକ୍ଷକ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Jun 1, 2024, 8:53 AM IST

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ୱରରେ ଉଦଘାଟିତ ହୋଇଛି ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ । ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ 540 ଜଣ ବାଳିକା କ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ପରିବହନ ବିଭାଗ ପକ୍ଷରୁ ଜୁନିୟର ରକ୍ଷକ ମାନ୍ୟତା ପ୍ରଦାନ କରାଯାଇଛି । ଶିବିରରେ ବାଳିକା ଏନିସିସି କ୍ୟାଡେଟମାନଙ୍କୁ ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ପ୍ରାଥମିକ ଚିକିତ୍ସା ସଂପର୍କରେ ପ୍ରଶିକ୍ଷିତ କରାଯାଇଛି । ଏହାସହ ଜୁନିୟର ରକ୍ଷକମାନେ ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ଦାୟିତ୍ୱ ନିର୍ବାହ କରିବେ । ସେମାନେ ନିଜେ ସମସ୍ତ ନିୟମ ମାନିବା ସହ ନିଜ ପରିବାର, ଆଖପାଖ ଲୋକେ, ସାହିପଡ଼ିଶାରେ ମଧ୍ୟ ସଡ଼କ ସଚେତନତାର ବାର୍ତ୍ତା ବାଣ୍ଟିବେ ।

ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାରେ ଗୋଲ୍ଡେନ ଆଓ୍ୱାର ବା ଦୁର୍ଘଟଣା ଘଟିବାର ପରବର୍ତ୍ତୀ ଏକ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ କିଭଳି ପ୍ରାଥମିକ ଚିକିତ୍ସା ପ୍ରଦାନ କରିହେବ ଓ ତୁରନ୍ତ ହସ୍ପିଟାଲ ପହଞ୍ଚାଯାଇପାରିବ ସେଦିଗରେ ପ୍ରଶିକ୍ଷଣ ଦିଆଯାଇଛି । ମାଷ୍ଟର ଟ୍ରେନର ସାଧନା ଶତପଥୀ ଓ ଜ୍ୟୋତିରଂଜନ ମହାପାତ୍ର ପ୍ରଶିକ୍ଷଣ ଦେଇଛନ୍ତି ।

ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ହେବେ ଜୁନିୟର ରକ୍ଷକ (ETV Bharat Odisha)

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ଦିଗରେ ଏନସିସି ସହଭାଗିତାରେ ପରିବହନ ବିଭାଗର ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ । ପୂର୍ବରୁ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେଥିରେ ସଫଳତା ମିଳିବା ପରେ ଏହି ପ୍ରୟାସକୁ ବ୍ୟାପକ କରିବାକୁ ଜୁନିୟର ରକ୍ଷକ କାର୍ଯ୍ୟକ୍ରମ କରାଯାଉଛି । ମାର୍ଚ୍ଚ 6ରେ ଏ ସଂକ୍ରାନ୍ତରେ ଲୋକସେବା ଭବନରେ ପରିବହନ ବିଭାଗ ଓ ଏନସିସି ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି । ଚଳିତ ବର୍ଷ ସାରା ରାଜ୍ୟରେ 32 ହଜାର ଏନସିସି କ୍ୟାଡେଟଙ୍କୁ ଜୁନିୟର ରକ୍ଷକ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି । ପ୍ରଥମ ପର୍ଯ୍ୟାୟରେ ପୁରୀରେ ଗତ 18 ତାରିଖରେ 575 ଏନସିସି କ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ହେବେ ଜୁନିୟର ରକ୍ଷକ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ଆଇଆଇଟି-ଆଇଏଲଏସ ମଧ୍ୟରେ ଚୁକ୍ତିନାମା, ଯକ୍ଷ୍ମା ଉପରେ ହେବ ଗବେଷଣା - MoU Between IIT And ILS

ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ହେବେ ଜୁନିୟର ରକ୍ଷକ (ETV Bharat Odisha)

କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ସଡ଼କ ଦୁର୍ଘଟଣା ଓ ଏ ସଂପର୍କିତ ମୃତ୍ୟୁ ସଂଖ୍ୟା ହ୍ରାସ ଆମ ସମସ୍ତଙ୍କ ଲକ୍ଷ୍ୟ । ଏନସିସି ସେବା କ୍ଷେତ୍ରରେ ଏକ ପ୍ରତିବଦ୍ଧ ଓ ଶୃଙ୍ଖଳିତ ସଂସ୍ଥା । ତେଣୁ ଏନସିସି କ୍ୟାଡେଟ ସଡ଼କ ସୁରକ୍ଷାକୁ ମଧ୍ୟ ସଠିକ ଢଙ୍ଗରେ ପାଳନ କରିବେ । ଏହାସହ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର, ଅତିରିକ୍ତ ପରିବହନ କମିସନର ଲାଲମୋହନ ସେଠୀ, ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି, ଏସଟିଏ ସଚିବ ଚିନ୍ମୟୀ ବିଶ୍ଵାଳ, ଏନସିସି ଗ୍ରୁପ କମାଣ୍ଡର ସତ୍ୟବ୍ରତ ସ୍ୱାଇଁ ଯୋଗ ଦେଇଛନ୍ତି । ଏଥିରେ ଦୁଇଟି ସେସନରେ ପ୍ରଶିକ୍ଷଣ ଦିଆଯାଉଛି । ଏହାସହ ସଡ଼କ ସୁରକ୍ଷା ସଚେତନତା ସଂପର୍କରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details