ଭୁବନେଶ୍ବର:ରାଜ୍ୟରେ ଆରମ୍ଭ ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଜଙ୍ଗଲ ସଫାରୀ । ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ପୁରୀ ବାଲୁଖଣ୍ଡରେ ଜଙ୍ଗଲ ସଫାରୀ ଆରମ୍ଭ କରିବାକୁ ଯାଉଛି ବନ ବିଭାଗ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ଚନ୍ଦକା ଜଙ୍ଗଲରେ ବୁଲିବାର ମଜା ନେଉଛନ୍ତି । ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏଠାରେ ସନ୍ଧ୍ୟାରେ ସମୟ କାଟୁଛନ୍ତି ସ୍କୁଲ ପିଲା । ଅନ୍ୟପଟେ ମୟୂରଭଞ୍ଜର ଶିମିଳିପାଳ ଟାଇଗର ରିଜର୍ଭ ନିକଟରେ ଓଡି଼ଶା ଏକ ସ୍ୱତନ୍ତ୍ର ମେଲାନିଷ୍ଟିକ୍ ଟାଇଗର ସଫାରୀ ସ୍ଥାପନ କରିବାକୁ ଯାଉଛି । ଏହି ମେଲାନିଷ୍ଟିକ ବିରଳ ବାଘଙ୍କୁ ଦେଖିବାକୁ ପର୍ଯ୍ୟଟକମାନେ ସୁଯୋଗ ମଧ୍ୟ ପାଇପାରିବେ ।
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ପୁରୀ ବାଲୁଖଣ୍ଡରେ ହେବ ଜଙ୍ଗଲ ସଫାରୀ - Jungle Safari - JUNGLE SAFARI
Jungle Safari: ପୁରୀ ବାଲୁଖଣ୍ଡରେ ହେବ ଜଙ୍ଗଲ ସଫାରୀ । ପର୍ଯ୍ୟଟକଙ୍କୁ ମିଳିବ ଜଙ୍ଗଲ ବୁଲିବାର ଅନୁଭୂତି । କେବେଠୁ ଏହାର ମଜା ନେଇପାରିବେ ପର୍ଯ୍ୟଟକ ଜାଣନ୍ତୁ ।
Published : Jul 6, 2024, 9:58 PM IST
ଏନେଇ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, "ରାଜ୍ୟରେ ବିଭିନ୍ନ ସ୍ଥାନରେ ବା ଅଭୟାରଣ୍ୟରେ ଥିବା ଚିତ୍ରା ହରିଣଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି । ଯେତେବେଳେ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ କରାଯାଇଥିଲା ସେଥିରେ କେବଳ କୃଷ୍ଣସାର ମୃଗ କିମ୍ବା ବାଲି ହରିଣଙ୍କ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ବାଲି ହରିଣ ସେଠାରେ କମିବାରେ ଲାଗିଛନ୍ତି । ଯେଉଁଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ କୃଷ୍ଣସାର ମୃଗ ସମେତ ଚିତ୍ରା ହରିଣଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ତେବେ ସେଠାରେ ଅକ୍ଟୋବର ମାସ ସୁଦ୍ଧା ଜଙ୍ଗଲ ସଫାରୀ ଆରମ୍ଭ ହେବ । ତେବେ ପର୍ଯ୍ୟଟକ ମାନଙ୍କର ଏହା ଏକ ନୂଆ ଅନୁଭୂତି ଯୋଗାଇ ଦେବ । ପୁରୀକୁ ମଧ୍ୟ ବହୁତ ପର୍ଯ୍ୟଟକଙ୍କ ଯିବାଆସିବା ଦ୍ଵାରା ଏହି ସଫାରୀରେ ମଜା ନେଇପାରିବେ ବୋଲି କହିଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ।"
ଏହା ବି ପଢନ୍ତୁ...ଓଡ଼ିଶା ଆସିବେ ୫ ମହାବଳ, ଅନ୍ୟ ଜୀବଜନ୍ତୁ ହେବେ ଅଦଳବଦଳ - Odisha To Welcome Wild Animals
ସୂଚନା ଅନୁଯାୟୀ, ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଲମ୍ବିଛି ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ । ବଙ୍ଗୋପସାଗର କୂଳରେ ପ୍ରାୟ ୮୭ ବର୍ଗ କିଲୋମିଟର ରହିଛି ବାଲୁଖଣ୍ଡ ଅଭୟାରଣ୍ୟ । ଝାଉଁବଣ ସାଙ୍ଗକୁ କାଜୁ, ଆକାଶିଆ ଆଦି ଗଛ ସହ ବିଭିନ୍ନ ପ୍ରଜାତିର ଉଦ୍ଭିଦ ଶୋଭା ବର୍ଦ୍ଧନ କରୁଛନ୍ତି । ଏହାସହ ବନ୍ୟପ୍ରାଣୀଙ୍କ ପାଇଁ ରହିଛି ସୁରକ୍ଷିତ ଆଶ୍ରୟସ୍ଥଳ । ରାଜ୍ୟରେ ଯେଉଁ ଅଳ୍ପ କେତୋଟି ଜାଗାରେ କୃଷ୍ଣସାର ମୃଗଙ୍କୁ ଦେଖିବାକୁ ମିଳୁଥିଲା, ସେଥି ମଧ୍ୟରେ ପୁରୀର ବାଲୁଖଣ୍ଡ ଅଭୟାରଣ୍ୟ ଅନ୍ୟତମ ରହିଥିଲା । କାଳକ୍ରମେ ପ୍ରତିକୂଳ ପରିବେଶ, ବନ୍ୟଜନ୍ତୁ ଶିକାର ଓ ବଂଶ ରକ୍ଷା କରିବାରେ ବନ୍ୟପ୍ରାଣୀ ବିଭାଗର ବିଫଳତା ଯୋଗୁ ୨୦୧୪ ମସିହାରେ ଏଠାରୁ କୃଷ୍ଣସାର ମୃଗଙ୍କ ବଂଶ ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଲାଣି । ଏବେ କେବଳ ଚିତ୍ରା ହରିଣଙ୍କ ସହ ବଣଭୁଆଁ, ଗଧିଆ, ବିଲୁଆ, ନେଉଳ, ଓଧ ଆଦି ବନ୍ୟଜନ୍ତୁ ବସବାସ କରୁଛନ୍ତି। ଏଣୁ ପୁଣିଥରେ ବାଲୁଖଣ୍ଡ ଅଭୟାରଣ୍ୟକୁ କୃଷ୍ଣସାର ମୃଗଙ୍କ ମୁକ୍ତ ବିଚରଣର ଆଶ୍ରୟସ୍ଥଳୀ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି।
ଇଟିଭି ଭାରତ, ଭୁବନେଶ୍ବର