ଓଡିଶା

odisha

ETV Bharat / state

କୁଆଁରୀମାନେ କାହିଁକି ପାଳନ କରନ୍ତି 'ଜହ୍ନିଓଷା' ? ଆସନ୍ତୁ ଜାଣିବା...

ଭଲ ବର ମିଳିବା ପାଇଁ ମା' ବୃନ୍ଦାବତୀଙ୍କ ନିକଟରେ କୁଆଁରୀମାନେ ‘ଜହ୍ନିଓଷା’ କରନ୍ତି । ଶିବଙ୍କୁ ପାଇବା ପାଇଁ ପାର୍ବତୀ ମଧ୍ୟ କରିଥିଲେ 'ଜହ୍ନିଓଷା' ।

By ETV Bharat Odisha Team

Published : 6 hours ago

JANHI OSHA CELEBRATE IN GAJAPATI
JANHI OSHA CELEBRATE IN GAJAPATI (ETV Bharat Odisha)

ପାରଳାଖେମୁଣ୍ଡି: ପାର୍ବଣ ପାଇଁ ଉତ୍ସବମୁର ପୁରପଲ୍ଲୀ । ଗାଁ ଗାଁରେ ପାଳନ ହେଉଛି ଜହ୍ନି ଓଷା । ଜହ୍ନି ଫୁଲ ଠୋ ଠା କାକୁଡି ଫୁଲ ଠୋ ଠା' ଗୀତରେ ପ୍ରକମ୍ପିତ ହେଉଛି ପରିବେଶ । ତେବେ କୁଆଁରୀ ଝିଆମାନେ କାହିଁକି ଜହ୍ନିଓଷା ବ୍ରତ ପାଳନ କରନ୍ତି ? ଆସନ୍ତୁ ଜାଣିବା କ'ଣ ରହିଛି ଜହ୍ନି ଓଷାର ବିଶେଷତ୍ବ । ମା' ବୃନ୍ଦାବତୀଙ୍କ ନିକଟରେ ହେଉଥିବା ଏହି ବ୍ରତକୁ ଦକ୍ଷିଣ ଓଡିଶାର କୁଆଁରୀ ଝିଅ ମାନେ ବିଶେଷ କରି ଗଜପତି ଏବଂ ଗଞ୍ଜମ ଜିଲ୍ଲାରେ ପାଳନ କରିଥାନ୍ତି ।

'ଜହ୍ନିଓଷା' କାହିଁକି ପାଳନ କରାଯାଏ ?

ଭାଦ୍ରବ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ପୂଜା କୁମାର ପୂର୍ଣ୍ଣିମାରେ ଶେଷ ହୋଇଥାଏ । ଏହି ଏକ ମାସ ଧରି ପାଳନ କରାଯାଉଥିବା ଏହି ଓଷା ସମୟରେ ବ୍ରତଧାରୀ କୁଆଁରୀ ମାନେ ମା' ବୃନ୍ଦାବତୀଙ୍କ ନିକଟରେ ପୂଜା କରିବା ସହ ଗୋଟିଏ ଓଳି ସାତ୍ବିକ ଭୋଜନ କରିଥାନ୍ତି । ଏହି ବ୍ରତ ସମୟରେ ଜହ୍ନି ଖାଇବା କିମ୍ବା ଗଛରୁ ଜହ୍ନି ଫୁଲ କିମ୍ବା ଫଳ ତୋଳିବା ମନା ହୋଇଥାଏ । ଯଦିଓ ମା'ଙ୍କୁ ଜହ୍ନି ଫୁଲ ଦେଇ ପୂଜା କରାଯାଇଥାଏ ତଥାପି ଅନ୍ୟ କେହି ଏହାକୁ ତୋଳି ଆଣିଥାନ୍ତି ।ପରିବାରରେ ସୁଖ, ଭାଇକୁ ଭଲରେ ରଖିବା ସହ ଭଲ ବର ଏବଂ ଭଲ ଘର ପାଇବା ପାଇଁ କୁଆଁରୀ କନ୍ୟା ମାନେ ପାଳନ କରିଥାନ୍ତି ।

JANHI OSHA CELEBRATE IN GAJAPATI (ETV Bharat Odisha)

ଉଠ ଉଠ ବାବୁ କେଶବ ହରି...ବଗଷ୍ଠକୁ ଯିବା ବାଛୁରି ଧରି.../ ସୁଧ ସୁବର୍ଣ୍ଣରେ ମଣ୍ଡପ, ଚନ୍ଦନ କାଠେ କୋଠି ...ଲକ୍ଷ୍ମୀ ନାରାୟଣ ଜୁଆ ଖେଳନ୍ତି ହସ୍ତେ କଉଡି ମୁଠି.../ ଜହ୍ନି ଲୋ ଜହ୍ନି ଜହ୍ନି ଆଞ୍ଜୁଳି, ନିତି ପୂଜା କଲେ ତିନି ଆଞ୍ଜୁଳି.../ କୁଆଁରୀ କନ୍ୟାଙ୍କ ସୁଳଳିତ କଣ୍ଠରେ ଏମିତି କିଛି ଗୀତ ଗଜପତି ଜିଲ୍ଲାର ପୁରପଲ୍ଲୀରେ ଶୁଣିବାକୁ ମିଳୁଛି । ପରିବାରରେ ସୁଖ, ଭାଇକୁ ଭଲରେ ରଖିବା ସହ ଭଲ ବର ଏବଂ ଭଲ ଘର ପାଇବା ପାଇଁ କୁଆଁରୀ କନ୍ୟା ମାନେ ପାଳନ କରୁଥିବା ଜହ୍ନି ଓଷାର ଏସବୁ ଗୀତ ପରିବେଷକୁ ଆଧ୍ୟାତ୍ମିକତାରେ ଭରି ଦେଉଛି । ଏହି ପୂଜା କଲେ ଭଲ ବର ମିଳିବା ସହ ବାପା ଓ ଭାଇଙ୍କ ଅଭିବୃଦ୍ଧି ହୋଇଥାଏ ବୋଲି ବିଶ୍ବାସ ରହିଛି । ଅଧୁନିକତଚାର ଛାପରେ ଅନେକ ସଂସ୍କୃତି ଓ ପରମ୍ପରା ହଜିଯାଉଥିବା ବେଳେ ଏହି ବିଶ୍ବାସ ଆଜି ବି ବଞ୍ଚି ରହିଛି ।

JANHI OSHA CELEBRATE IN GAJAPATI (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ପୁରୀ ଶ୍ରୀମନ୍ଦିରରେ ଦୀପ ହେଉ କି ପ୍ରସାଦ ଓମଫେଡ ଘିଅ ବ୍ୟବହାର, ଆଇନ ମନ୍ତ୍ରୀ କହିଲେ ଆଶ୍ଵସ୍ଥ ହେବେ ଭକ୍ତ

ଏହା ମଧ୍ୟ ପଢନ୍ତୁ ...ବିରାଜିବେ ଧନଦାତ୍ରୀ, ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର କେନ୍ଦ୍ରାପଡା

ଏହା ମଧ୍ୟ ପଢନ୍ତୁ ...ଆସିଛନ୍ତି ଧନଦାତ୍ରୀ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

କୁମାର ପୂର୍ଣ୍ଣିମାରେ ଶେଷ ହୁଏ :

କୁଆଁରୀ କନ୍ୟା ମାନେ ପ୍ରତିଦିନ ସକାଳେ ଉଠି ନିତ୍ୟକର୍ମ ସାରି ବୃନ୍ଦାବତୀଙ୍କ ନିକଟରେ ଜଳ ପ୍ରଦାନ କରିବା ପରେ ହିଁ ଅନ୍ୟ କିଛି କାର୍ଯ୍ୟ କରିଥାନ୍ତି ।ତେବେ ଦଶହରା ଠାରୁ ନୂଆ ଚାଙ୍ଗୁଡିରେ ନଦୀବାଲି ରଖି 7 ପ୍ରକାର ଡାଲି ଜାତୀୟ ପଦାର୍ଥ ବୁଣିଥାନ୍ତି ଏବଂ ମାନସିକ ନଡିଆ ଓ କଦଳୀ ବାନ୍ଧିଥାନ୍ତି । ଶେଷରେ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ପୂଜା ସହ ଓଷା ଉଦଯାପନ ହୋଇଥାଏ । ଏହାକୁ ନିୟମ ସହ ପାଳନ କଲେ ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ଝିଅମାନେ କହିଛନ୍ତି ।

JANHI OSHA CELEBRATE IN GAJAPATI (ETV Bharat Odisha)

ଶିବଙ୍କୁ ପାଇବା ପାଇଁ ପାର୍ବତୀ କରିଥିଲେ ଜହ୍ନିଓଷା :

ପଣ୍ଡିତ ଜଗନ୍ନାଥ ରଥଶର୍ମା କହିଛନ୍ତି,"ଶିବଙ୍କୁ ପାଇବା ପାଇଁ ପାର୍ବତୀ ଏହି ଓଷା କରିଥିଲେ । ଏହି ଓଷା କାହିଁ କେଉଁ କାଳରୁ କରାଯାଉଥଲେ ମଧ୍ୟ ଓଡିଶାର ଅନ୍ୟ ପ୍ରାନ୍ତରେ ଏହା ଏତେ କରାଯାଏ ନାହିଁ । ଦକ୍ଷିଣ ଓଡିଶାରେ ବିଶେଷ କରି ଗଜପତି ଜିଲ୍ଲାର କୁଆଁରୀ ମାନେ ଏହାକୁ ପାଳନ କରିଥାନ୍ତି । ବିଭିନ୍ନ ସଂସ୍କୃତି ଏବଂ ପରମ୍ପରାକୁ ନେଇ ଆମ ରାଜ୍ୟ ପରିଚିତ । ସେଥିମଧ୍ୟରୁ କିଛି ହଜି ଯାଇଥିବା ବେଳେ ଆଉ କିଛି ଏବେବି ବଞ୍ଚି ରହିଛି ।ଦକ୍ଷିଣ ଓଡିଶାର ଜହ୍ନିଓଷା ପରମ୍ପରା ଓ ସଂସ୍କୃତି ଆଜି ବି କୁଆଁରୀ ମାନଙ୍କ ଦ୍ବାରା ପାଳିତ ହୋଇଆସୁଛି । "

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details