କେନ୍ଦ୍ରାପଡା: ଯାତ୍ରାରେ ଆଇଟମ ଡ୍ୟାନ୍ସକୁ ନେଇ ତୁମୁଳୁକାଣ୍ଡ। ଉତକ୍ଷିପ୍ତ ହେଲେ ଦର୍ଶକ ଆଉ ଭାଙ୍ଗିଲା ଚେୟାର । ଯାତ୍ରା କମିଟି ଓ ଯୁବଗୋଷ୍ଠୀ ହାତାହାତି । ଏବେ ଥାନାରେ ପହଞ୍ଚିଛି ମାମଲା । ଉଭୟ ପକ୍ଷ ଉଭୟଙ୍କ ନାଁରେ ଥାନାରେ କଲେ ଅଭିଯୋଗ । ଅଶ୍ଲୀଳ ନୃତ୍ୟକୁ ବିରୋଧ କରୁଥିବା ଯୁବଗୋଷ୍ଠୀ ଓ ଯାତ୍ରା କମିଟି ସଭ୍ୟ ପରସ୍ପରର ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବକ କୁଦାନଗରି ଥାନାର ଦ୍ୱାରସ୍ଥ ହେବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି।
ଯୁବକଙ୍କ ଏତଲା ଆଗରୁ ଯାତ୍ରା କମିଟି ସଦସ୍ୟ ଏବଂ ସଭାପତି ସମ୍ପାଦକ ଅଶ୍ଲୀଳତାକୁ ବିରୋଧ କରୁଥିବା ଯୁବକମାନଙ୍କ ନାଁରେ ହତ୍ୟା ଉଦ୍ୟମ ନେଇ କୁଦାନଗରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ କୁଦାନଗରୀ ଥାନା ପକ୍ଷରୁ 47 ଓ 48 ନମ୍ବରରେ କେସ୍ ହୋଇଥିବା ଥାନା ଅଧିକାରୀ ଅମ୍ବିକା ମହାକୁଡ଼ ସୂଚନା ଦେଇଛନ୍ତି।
ପୂର୍ବରୁ ଖଣ୍ଡଗିରିରେ ଅଶ୍ଲୀଳ ନୃତ୍ୟକୁ ମନା ପରେ ଦେଖାଦେଇଥିଲା ବିବାଦ। ଖଣ୍ଡଗିରି ଯାତ୍ରା ପୂର୍ବରୁ ପୋଲିସ,ବିଏମସି ଓ ଯାତ୍ରା କମିଟି ମଧ୍ୟରେ ଏକ ବୈଠକ ବସି ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ କୌଣସି ଗାଇଡଲାଇନ ଜାରି ନ ହୋଇଥିଲେ ମଧ୍ୟ ଓଡିଶାର ସଂସ୍କୃତିକୁ ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଯାହା ଫଳରେ ଖଣ୍ଡଗିରିରେ 3 ଆଇଟମ କୁଇନ ନିଶା ମହାରଣା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀଙ୍କୁ ବ୍ୟାନ୍ ପରେ ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଡୁଥିବା ଯାତ୍ରାରେ ଆଇଟମ ଡାନ୍ସ କରୁଛନ୍ତି ।
- ଘଟଣା ସମ୍ପର୍କରେ କଣ କୁହନ୍ତି ନିଶା:
କୁଦାନଗରୀ ମାଘମେଳା ଅବସରରେ ହୋଇଥିବା ଯାତ୍ରା ସ୍ବର୍ଣ୍ଣମନ୍ଦିର ମଞ୍ଚକୁ ନିଶା ମହାରଣା ଆସିବା ପରେ ଯାତ୍ରାମଞ୍ଚ ରଣକ୍ଷେତ୍ର ପାଲଟିଥିଲା । ଏହି ଘଟଣାରେ ପ୍ରତିକ୍ରିୟା ରଖି ନିଶା କୁହନ୍ତି,"ମୋର ୮ ତାରିଖରେ କୁଦାନଗରୀ ପ୍ରୋଗ୍ରାମ ଥିଲା। ମୋତେ ଯାତ୍ରାକମିଟି ନିମନ୍ତ୍ରଣ ଦେଇଥିଲେ । ମୁଁ ରାତିରେ ଗଲି, ମୁଁ ଫୁଲ୍ ପୋଷାକ ପିନ୍ଧି ଯାଇଥିଲି। ମୋତେ କମିଟି ଲୋକେ ଯଦି ଶାଢୀ ପିନ୍ଧି ନାଚିବାକୁ କହିଥାନ୍ତେ ତ ମୁଁ ଶାଢ଼ୀ ପିନ୍ଧି ନାଚିଥାନ୍ତି। ମୁଁ ଜଷ୍ଟ ଏଣ୍ଟ୍ରି କରିଛି କିଛି ଗୁଣ୍ଡା (ଝଗଡା କଲେ ତାଙ୍କୁ ଗୁଣ୍ଡା କୁହାଯିବ ମୋ ମତରେ) ହୋହାଲ୍ଲା କଲେ ଯେ ନିଶା ମହାରଣା ଶାଢ଼ୀ ପିନ୍ଧିକି ଆସୁ । ଏଣୁ ମୁଁ ରାଗିଯାଇ ଷ୍ଟେଜ ଉପରେ କହିଲି ଆଉ ଷ୍ଟେଜ ଶୋ କରିବି ନାହିଁ। ଏତିକି କହି ମୁଁ ପଳେଇ ଆସିଲି ପରେ କମିଟି ଲୋକ ମୋତେ ବୁଝାବୁଝି କରି ଷ୍ଟେଜକୁ ପଠାଇଲେ। ମୁଁ ଜଷ୍ଟ ନାଚିବା ଆରମ୍ଭ କରିଛି ତ ସେମାନେ ଚେୟାର ଧରିଥିଲେ କାଳେ ପକାଇ ଦେଇଥାନ୍ତେ ତ ମୁଁ ଷ୍ଟେଜ ଛାଡି ଡାଇରେକ୍ଟ ଘରକୁ ପଳାଇ ଆସିଲି’’।
ସେ ଆହୁରି କହିଛନ୍ତି ‘‘ପରେ ସେମାନଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଖବର ମୁଁ ଗଣମାଧ୍ୟମରୁ ପାଇଲି। କିନ୍ତୁ ସେଦିନ ମୁଁ କୌଣସି ଅଶ୍ଳୀଳ କଥା କହିନାହିଁ କି ଅଶ୍ଳୀଳ ଡ୍ୟାନ୍ସ ମଧ୍ୟ କରିନାହିଁ। ମୁଁ ଡ୍ୟାନ୍ସ କରିବା ଆଗରୁ ଏସବୁ ଝାମେଲା ତାଙ୍କର ହୋଇଛି। ମୋତେ ପ୍ରଥମରୁ ଲମ୍ବା ଶାଲୱାର କି ଶାଢ଼ୀ ପିନ୍ଧି ଆସିବାକୁ କହିବାର ଥିଲା ତାହେଲେ ମୁଁ ଶାଢ଼ୀ ପିନ୍ଧି ଯାଇଥାନ୍ତି। ମୁଁ କମିଟି ଦୋଷ ଦେଉନାହିଁ କି କୌଣସି ଯାତ୍ରା ମାଲିକଙ୍କ ଦୋଷ ଦେଉନାହିଁ। କିନ୍ତୁ ଏହା ମୋତେ ବଦନାମ କରିବା ପାଇଁ ଏକ ପ୍ରି ପ୍ଲାନ ହୋଇଥିଲା। ଦର୍ଶକ ମାନଙ୍କ ଭିତରେ ମା ଭଉଣୀ ଥିଲେ ଯେହେତୁ ଲୋକାଲ ଏରିଆରେ ଏହି ପ୍ରୋଗ୍ରାମ ହେଉଛି ତ ମୁଁ ଅନ୍ଧ ନଥିଲି ମାତ୍ର ୪-୫ ଜଣ ଥିଲେ ଯେଉଁମାନେ ଅସୁବିଧା କରିଥିଲେ। ଏସବୁ ମୋ ବିରୋଧରେ ଷଡଯନ୍ତ୍ର ଓ ବଦନାମ କରିବା ପାଇଁ ଥିଲା। ପ୍ରଥମେ ଷ୍ଟେଜକୁ ଯିବା ପରେ ଏଭଳି ଅସୁବିଧା ହେବାରୁ ମୁଁ ଷ୍ଟେଜରୁ ପଳାଇ ଆସିଥିଲି। କମିଟି ମେମ୍ବର ମୋତେ ବୁଝାଇବା ପରେ ମୁଁ ଗଣ୍ଡଗୋଳ ସୃଷ୍ଟି କରୁଥିବା ଲୋକମାନଙ୍କୁ ଯାତ୍ରାରୁ ବାହାର କରିବା ପାଇଁ କହିଥିଲି ନଚେତ ମୋ ପ୍ରୋଗ୍ରାମ ଶେଷ ହେବା ପର୍ଯ୍ୟନ୍ତ କମିଟି ମେମ୍ବର ମାନେ ସମସ୍ତେ ଯାତ୍ରା ପେଣ୍ଡାଲ ପାଖରେ ରହିବା ପାଇଁ କହିଥିଲି। ଯାତ୍ରାରେ ଅଶ୍ଲୀଳତା କଥା କହିଲେ କଣ ବୁଝାଯାଏ ? ଅଶ୍ଲୀଳତା ସାଙ୍ଗିଆ କଣ? ଯେଉଁମାନେ ଅଶ୍ଲୀଳତା କଥା କହୁଛନ୍ତି ସେମାନେ ଦିନେ ହେଲେ ଯାତ୍ରାକୁ ଯାଇନଥିବେ କେବଳ ମେଣ୍ଢା ମୁଣ୍ଡିଆଙ୍କ ଭଳି ହେଉଛନ୍ତି । ଅଶ୍ଲୀଳତା କଥା କିଛି ନାହିଁ ମୁଁ ଯେମିତି ନାଚେ ସେମିତି ନାଚିବି" ବୋଲି ନିଶା କହିଛନ୍ତି।
- ଯାତ୍ରାରେ ଅଶ୍ଲୀଳତା ବନ୍ଦ ସ୍ବାଗତଯୋଗ୍ୟ ପଦକ୍ଷେପ
କୁଦାନଗରୀ ସ୍ଥିତ ମାଘମେଳା ଶୁକ ପରୀକ୍ଷିତ ସାଂସ୍କୃତିକ ପରିଷଦ ଯାତ୍ରା କମିଟି ଦ୍ୱାରା ଆୟୋଜିତ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ବିରୋଧ ଘଟଣାରେ ପ୍ରତିକ୍ରିୟା ରଖି ଗରଦପୁର ଅଞ୍ଚଳର ବୁଦ୍ଧିଜୀବି ପ୍ରମୋଦ ପତି ବିରୋଧ କରିଥିବା ଯୁବକଙ୍କୁ ସାଧୁବାଦ ଜଣାଇଛନ୍ତି । ସେ କହିଛନ୍ତି,"ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଜଳାଞ୍ଜଳି ଦେଇ ଯେଉଁ କମିଟି ଏଭଳି ବ୍ୟଭିଚାର କରେ ସେ କମିଟିକୁ ମୁଁ ହୀନ ଅବସ୍ଥା କହିବି। ଯଦି ନାଚ କରିବାର ଅଛି ତେବେ ସଠିକ ଭାବରେ ନାଚ କରନ୍ତୁ । ଓଡ଼ିଶାର ସଂସ୍କୃତି ପରମ୍ପରାକୁ ଜଳାଞ୍ଜଳି ଦିଅନ୍ତୁ ନାହିଁ, ମା ଭଉଣୀଙ୍କ ଇଜ୍ଜତ ସହ କମିଟି ମାନେ ଖେଳନ୍ତୁ ନାହିଁ" ।