ବୁନ୍ଦି: ଅଧିକାଂଶ ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଭାରତ । କିନ୍ତୁ ଏହି ଇଟାଲୀ ପର୍ଯ୍ୟଟକଙ୍କ ପାଇଁ ଏକ ଭ୍ରମଣ ସ୍ଥାନ ଠୁ ଅଧିକ ଭାରତ । ଏଥରକୁ ମିଶାଇ 5 ଥର ଭାରତ ଭ୍ରମଣରେ ଆସିଲେଣି ଇଟାଲୀ ଦମ୍ପତି ଆଡାମ ଓ ଜେନି । ଏତେଥର ଭାରତ ଭ୍ରମଣ ଯଦିଓ ନୂଆ କଥା ନୁହେଁ କିନ୍ତୁ ପରିବହନର ନୂଆ ବାଟ ସେମାନଙ୍କ ପାଇଁ ଚର୍ଚ୍ଚା ଆଣିଦେଇଛି । ଟ୍ରେନ କି ଟ୍ୟାକ୍ସିରେ ନୁହେଁ ଅଟୋରେ ସେମାନେ ଅଧା ଭାରତ ବୁଲି ସାରଲେଣି । ଇଟିଭି ଭାରତ ଟିମ୍ ସେମାନଙ୍କ ସହ ଯୋଗାଯୋଗ କରିବା ସମୟରେ ସେମାନେ ରାଜସ୍ଥାନର ବୁନ୍ଦି ସହରରେ ପହଞ୍ଚିଥିଲେ । ଚେନ୍ନାଇର ଚେଙ୍ଗାଲପଟ୍ଟୁରୁ ଅଟୋ ରାଜାକୁ ନେଇ ସେମାନେ ଭାରତ ଭ୍ରମଣରେ ବାହାରିଛନ୍ତି । ଇଟାଲୀ ଯିବା ପୂର୍ବରୁ ସେମାନେ ଅଟୋକୁ ବିକି ଦେବେ ବୋଲି ସ୍ଥିର କରିଛନ୍ତି।
- ଅଟୋରେ 6 ହଜାର କିଲୋମିଟର ବୁଲି ସାରିଲେଣି
ସେମାନେ ଚେନ୍ନାଇରୁ ବାହାରି ଭାରତ ମଧ୍ୟରେ 6 ହଜାର କିଲୋମିଟର ପର୍ଯ୍ୟନ୍ତ ବୁଲି ସାରିଲଣି । ପ୍ରଥମେ ଚେନ୍ନାଇରୁ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ ପରେ ଏବେ ସେମାନେ ରାଜସ୍ଥାନର ବୁନ୍ଦି ସହରରେ ପହଞ୍ଚିଛନ୍ତି । ବୁନ୍ଦିର ରାଣିଜୀ ବାୱଡି, ଗଢ ପ୍ୟାଲେସ, ଚିତ୍ରଶାଳା ବୁଲିସାରିଲେଣି । ଆହୁରି ମଧ୍ୟ ରାଜସ୍ଥାନର ଐତିହ୍ୟ ସ୍ଥାନକୁ ଯିବାପାଇଁ ସେମାନେ ଲକ୍ଷ୍ୟ ରଖିଛନ୍ତି ।
‘‘ଏଠାକାର ଲୋକେ ବହୁତ ଭଲ । ଆମେ କେବେ ନିଜକୁ ପର୍ଯ୍ୟଟକ ଭାବିନାହୁଁ । ଆମେ ଦୁଇ ବର୍ଷ ବହୁତ କାମ କଲୁ । ଏହାପରେ ଭାରତ ଭ୍ରମଣ ପାଇଁ କିଛି ସଞ୍ଚୟ କଲୁ । ଏହାପରେ ଆମେ ଆସି ଭାରତରେ ପହଞ୍ଚିଛୁ । ଆମେ ଭାରତୀୟ ସଂସ୍କୃତିକୁ ଅତି ନିକଟରୁ ଦେଖିବାକୁ ଚାହୁଁଥିଲୁ । ଏଥିପାଇଁ ଆମେ 60 ଦିନର ପର୍ଯ୍ୟଟକ ଭିସା ଆଣିଛୁ’’ ବୋଲି କହିଛନ୍ତି ଇଟାଲୀ ଦମ୍ପତି । ଜେନ କହିଛନ୍ତି ‘‘ଏଥର ଆମେ 10 ହଜାର କିଲୋମିଟର ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଏବେ ଏଠାରେ ଛଅ ମାସ ଯାଏଁ ଅଛୁ। କିନ୍ତୁ ଆଗାମୀ ବର୍ଷକ ପରେ ପୁଣିଥରେ ଭାରତ ଭ୍ରମଣରେ ଆସିବୁ । ଏହି ଦେଶରେ ଅନେକ ପ୍ରକାରର ଭାଷା କୁହାଯାଉଛି । ଯେତେ ଅଧିକ ରାଜ୍ୟ ସେତେ ଅଧିକ ଭାଷା ଓ ଭିନ୍ନ ଚାଲିଚଳଣୀ । ଆମକୁ ଯଦି ସୁଯୋଗ ମିଳେ ଭାରତ ବିଷୟରେ ଆହୁରି ଅଧିକ କଥା ଜାଣିବାକୁ ଚାହିଁବୁ । ଆମେ ଏଠିକି ପ୍ରତିବର୍ଷ ଆସିବାକୁ ଚାହିଁବୁ’’ ।
- ଅଟୋରେ ଓଡିଶା ବି ଆସିବେ
ଅଟୋ ରାଜାରେ ବସି ସେମାନେ ବୁନ୍ଦି ସହରରୁ ଜୟପୁର ଅଭିମୁଖେ ବାହାରିଛନ୍ତି । ଏହାପରେ ସେମାନେ ପଞ୍ଜାବ,ହରୟାଣା, ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର,ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଓ ଆନ୍ଧ୍ରପ୍ରଦେଶ ଯିବେ । ଏହାପରେ ସେମାନେ ତାମିଲନାଡୁରେ ପହଞ୍ଚି ଭାରତ ଛାଡିବେ ।