କେନ୍ଦ୍ରାପଡ଼: ଉପକୂଳ ଓଡିଶାର ଏକ ପ୍ରମୁଖ ଜିଲ୍ଲା କେନ୍ଦ୍ରାପଡ଼ା । ଏହି ଜିଲ୍ଲାକୁ ସଂଯୋଗ କରିଛି ଉଭୟ ରାଜ୍ୟ ଓ ଜାତୀୟ ରାଜପଥ । ୫୩ ନଂ ଜାତୀୟ ରାଜପଥ ଦୈତାରୀଠାରୁ ପାରାଦ୍ୱୀପ ସଂଯୋଗ କରୁଥିବା ବେଳେ ରାଜ୍ୟ ରାଜପଥ ୯ (ଏ) କଟକ-ଚାନ୍ଦବାଲି ରାସ୍ତା ନାମରେ ପରିଚିତ । ତେବେ ଏହି ରାସ୍ତାରେ ସଡ଼ତ ଦୁର୍ଘଟଣା ଦ୍ବାରା ଅନେକ ଧନ,ଜୀବନ ହାନୀ ହେଉଛି । ହେଲେ ମୃତକଙ୍କ ପରିବାରକୁ "ସୋଲାସିୟମ" ଯୋଜନାରେ ମିଳିବାକୁ ଥିବା ସହାୟତା ରାଶି ମିଳୁନଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ୪୦ରୁ ଉର୍ଦ୍ଧ୍ବ "ସୋଲାସିୟମ" ମାମଲା ରହିଥିବା ବେଳେ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳଙ୍କ ନିକଟରେ କୌଣସି ତଥ୍ୟ ନାହିଁ ।
"ସୋଲାସିୟମ" ସହାୟତା କ'ଣ ?:
ସେକ୍ସନ ୧୬୩ (୧),୧୯୮୮ ମୋଟର ଭେଇକିଲ ଆକ୍ଟ ଅନୁଯାୟୀ, ସଡ଼କ ଦୁର୍ଘଟଣାରେ ଯଦି କୌଣସି ବ୍ୟକ୍ତିଙ୍କ ଅଙ୍ଗ ଅଚଳ ହୁଏ ବା ଦୁର୍ଘଟଣାରେ ମୃତ୍ୟୁ ହୁଏ । ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ "ସୋଲାସିୟମ" ଫଣ୍ଡ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ପାଇଁ ୪ ଲକ୍ଷ ଓ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କ ପାଇଁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଉଛି ।"
'ଉପଜିଲ୍ଲାପାଳଙ୍କ ନିକଟରେ ପଡିରହିଛି 'ସୋଲାସିୟମ' ଫାଇଲ':
ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସଡ଼କ ନିରାପତ୍ତା କମିଟି ସଦସ୍ୟ ବିଧୁଭୂଷଣ ମହାପାତ୍ର କହିଛନ୍ତି," ଯେ ପର୍ଯ୍ୟନ୍ତ ମୁଁ ସଡକ ନିରାପତ୍ତା ସମିତିର ସଦସ୍ୟ ଥିଲି ସେ ସମୟରେ 'ସୋଲାସିୟମ' ପଇସା ଦେବାର ବ୍ୟବସ୍ଥା ନଥିଲା । ସେତେବେଳେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଓ ଆହତ ସମ୍ପର୍କରେ କ୍ଷତିପୂରଣ ପାଇଁ ପିଟିସନ ଦେଇଥିବା ବେଳେ ସରକାର ଶୁଣିନଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କୁ ଚିହ୍ନଟ କରାଯାଇ କ୍ଷତିପୂରଣ ଦେବାକୁ ସ୍ଥିର କରାଯାଇଥିଲା । ହେଲେ କେନ୍ଦ୍ରାପଡା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୦ରୁ ଉର୍ଦ୍ଧ୍ବ 'ସୋଲାସିୟମ' ଫଣ୍ଡ ଅନୁଦାନ ପାଇବା ପାଇଁ ଆବେଦନ ହୋଇଥିଲେ ମଧ୍ୟ ଜଣଙ୍କୁ ବି କ୍ଷତିପୂରଣ ମିଳିନାହିଁ । ଉପଜିଲ୍ଲାପାଳଙ୍କ ନିକଟରେ ଫାଇଲ ପଡିରହିଛି ।"
ଏମିତି କହିଲେ ଉପଜିଲ୍ଲାପାଳ:
ଏନେଇ ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନକହିଛନ୍ତି,"ସୋଲାସିୟମ ମାମଲା ଆରଟିଓ(RTO) ଅଫିସରେ ହୁଏ । ନୂଆ ଗାଇଡ ଲାଇନ ଅନୁଯାୟୀ ଉପଜିଲ୍ଲାପାଳଙ୍କ ପାଖକୁ ଆସିଛି । ଏପର୍ଯ୍ୟନ୍ତ ଆମେ ୧୦-୧୫ଟି ଫାଇଲ ଜିଲ୍ଲାପାଳଙ୍କ ନିକଟଙ୍କୁ ପଠାଇଛୁ ।"