ବାଲେଶ୍ବର: ପୂର୍ବାଞ୍ଚଳ ପୋଲିସ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସତ୍ୟବ୍ରତ ଭୋଇ । ଆଜି ଠାରୁ ସେ ଏହି ଦାୟୁତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ୨୦୦୪ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟବ୍ରତ ଭୋଇ । ଆଇଜି ହିମାଂଶୁ ଲାଲଙ୍କ ବଦଳି ପରେ ସତ୍ୟବ୍ରତ ଭୋଇ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।
ତେବେ ସତ୍ୟବ୍ରତ ଜଣେ ନିଷ୍ଠାପର ଓ ଦାୟିତ୍ୱବାନ ଆଇପିଏସ ଅଧିକାରୀ ଭାବେ ପୂର୍ବରୁ ବ୍ରହ୍ମପୁରରେ ପୋଲିସ ମହାନିରୀକ୍ଷକ ଭାବେ ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି । ଗତକାଲି ସନ୍ଧ୍ୟାରେ ସତ୍ୟବ୍ରତ ଭୋଇ ବାଲେଶ୍ୱର ଆଇଜି କାର୍ଯ୍ୟାଳୟରେ ପହଞ୍ଚିବା ପରେ ବାଲେଶ୍ୱର, ମୟୁରଭଞ୍ଜ ଏବଂ ଭଦ୍ରକର ଆରକ୍ଷୀ ଅଧୀକ୍ଷକ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଦାୟିତ୍ୱ ନେବା ପରେ ସତ୍ୟବ୍ରତ କହିଛନ୍ତି, "ପୂର୍ବାଞ୍ଚଳର ୩ ଜିଲ୍ଲାର ପୋଲିସ ଟିମ୍ ପୁରା ସକ୍ରିୟ ରହିଛନ୍ତି । ତେଣୁ ଏଠାରେ ବିଶେଷ କୌଣସି ସମସ୍ୟା ନାହିଁ । ଯେଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସ୍ବଭାବିକ ରହିବ, ଅପରାଧିକ କାର୍ଯ୍ୟକଳାପ କିପରି ନିୟନ୍ତ୍ରଣ କରାଯାଇ ପାରିବ ଏବଂ ଲୋକମାନଙ୍କ ପାଖରେ କିପରି ପୋଲିସ ସେବା ପହଞ୍ଚି ପାରିବ ସେଥିପାଇଁ ଚେଷ୍ଟା କରିବୁ । ସମସ୍ତ ପୋଲିସ କର୍ମଚାରୀ ୟୁନିଟ ହୋଇ କାମ କରିବୁ, ଯାହା ଫଳରେ ଯେପରି ଲୋକଙ୍କ ପାଖରେ ପୋଲିସ ସେବା ଭଲରେ ପହଞ୍ଚି ପାରିବ ।"
ସତ୍ୟବ୍ରତ ଭୋଇ ଏହା ମଧ୍ୟ କହିଛନ୍ତି, "ପୂର୍ବାଞ୍ଚଳ ରେଞ୍ଜରେ ଚାଲିଥିବା ବେଆଇନ ନିଶା କାରବାର ଓ ବିଭିନ୍ନ ପ୍ରକାର ଅପରାଧିକ ଗତିବିଧିକୁ କିଭଳି ରୋକାଯିବ ସେନେଇ ଗୁରୁତ୍ୱ ଦିଆଯିବ । ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ତାହା କିପରି ଠିକ ଭାବେ ପରିଚାଳିତ ହେବ ସେ ନେଇ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ । ଜିଲ୍ଲାରେ ପୁଲିସ ଟିମ୍ ଠିକଠାକ କାମ କରୁଛି । ଏଣୁ ଅପରାଧକୁ ମୂଳପୋଛ କରିବା ଲାଗି ପ୍ରୟାସକୁ ଆହୁରି ଜୋରଦାର କରାଯିବ । ଏହାସହ ମୁ୍ଖ୍ୟମନ୍ତ୍ରୀଙ୍କ ୫T ମନ୍ତ୍ରକୁ ମଧ୍ୟ ପ୍ରାଧାନ୍ୟ ଦେଇ ୫T ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ।"