ଭୁବନେଶ୍ବର: ରାଜାଧାନୀରେ ଆନ୍ତଃରାଜ୍ୟ କାର ଚୋରି ରାକେଟ୍ । କାର ରିମୋର୍ଟ ହ୍ୟାକ୍ କରି ଚୋରି କରୁଥିଲେ ଦାମି କାର । ସନ୍ଦେହ ନହେବା ପାଇଁ ଫ୍ୟାମିଲି ଟ୍ରାଭେଲ ଆଳରେ ବୁଲୁଥିଲେ । ୫୦ ଲକ୍ଷର ଫର୍ଚ୍ୟୁନରକୁ ୧୫ ଲକ୍ଷରେ ବିକ୍ରି ଯୋଜନା ବେଳେ ଧରିଲା ପୋଲିସ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବାବେଳେ ମାଷ୍ଟରମାଇଣ୍ଡ ଜଣକ ବିବିଏ ପାଠ ପଢିଥିବା ସୂଚନା ଦେଇଛନ୍ତି ଜୋନ ୬ ଏସିପି ରମେଶ ବିଶୋଇ ।
ତେବେ ଅଭିଯୁକ୍ତମାନେ ଚୋରି ପାଇଁ ଆପଣାଇଥିଲେ ଭିନ୍ନ ଟ୍ରିକ । ବିବାହ ମଣ୍ଡପ ପାର୍କିଂରୁ ଚୋରି କରୁଥିଲେ ଦାମି ଗାଡି । କାର ରିମୋର୍ଟ ଫ୍ରିକ୍ୟୋନ୍ସି ହ୍ୟାକ୍ କରି ଚୋରାଉଥିଲେ ଗାଡି । ଗାଡିର ନମ୍ବର ପ୍ଲେଟ ବଦଳାଇ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପାର ହେଉଥିଲେ । ପରେ ନିଜର କିଛି ଚୋରା ଗାଡିର ନେଟୱାର୍କରେ ଆଣି ଗାଡ଼ି ବିକ୍ରି କରୁଥିଲେ । ଏଥିପାଇଁ ଟାର୍ଗେଟରେ ଥିଲେ ବ୍ଲାକ୍ମନି ବିଜନେସ ମ୍ୟାନ୍ । ଯେଉଁମାନଙ୍କୁ କମ ଦାମରେ କରୁଥିଲେ ଗାଡ଼ି ଡେଲିଭେରି । ଏଥିପାଇଁ ବିଲଡର୍, ଜମି ମାଫିଆ ଓ କୁଜି ନେତାଙ୍କ ଥିଲା ଡିମାଣ୍ଡ । ଦିଲ୍ଲୀର ନାରାୟଣା ଥାନା ଅଞ୍ଚଳରୁ ଚୋରି କରି ଆଣି ଭୁବନେଶ୍ବରରେ ବିକ୍ରି ଯୋଜନା ବେଳେ ଖବର ପାଇଥିଲା ପୋଲିସ । ପଟିଆ ଅଞ୍ଚଳରେ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୀର୍ଘ ୮ ଦିନ ହେବ ବିନା ନମ୍ବର ପ୍ଲେଟରେ ବୁଲୁଥିବାର ଖବର ପାଇ ପୋଲିସ ଭେରିଫିକେସନ ବେଳେ ଧରାପଡ଼ିଛନ୍ତି ୫ ଅଭିଯୁକ୍ତ । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଦମ୍ପତି ଓ ଜଣେ ଯୁବକ । ସେମାନେ ହେଲେ ତାମିଲନାଡୁର ଜାହିଦ ହୁସେନ ଓ ତାର ପତ୍ନୀ ସବାନା ସିଦ୍ଦିକ୍ । ସେହିପରି ପଶ୍ଚିମବଙ୍ଗର ଏମ୍ଡି ଫରାଜ ଓ ତାର ପତ୍ନୀ ସାମନ୍ତା ନଶରିନ ବେଗମ ଓ ଅନ୍ୟତମ ଯୁବକ ଇଶାନ କ୍ଲାର୍ଶଇ ।