ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ସେହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ମହିଳା ମାନଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନିଜ ବିବାହକୁ ନିଜେ ରୋକିଥିବା କାରଣରୁ ଜଣେ ନାବାଳିକାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଛି । ତେବେ ସମାଜରେ ମହିଳାଙ୍କୁ ସମାନ ଅଧିକାର, ପ୍ରତିଟି କ୍ଷେତ୍ରରେ ତା'ର ଯୋଗଦାନ, ନ୍ୟାୟ ପ୍ରଦାନ ଏବଂ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଘରଠୁ ନେଇ ରାସ୍ତା-ଘାଟ, ସ୍କୁଲ୍-କଲେଜ, କର୍ମକ୍ଷେତ୍ର ସବୁ ସ୍ଥାନରେ ନାରୀକୁ ସହଯୋଗ ଓ ସମର୍ଥନ ଜଣାଇବାର ଶିକ୍ଷା ଦେଇଥାଏ ଏହି ଦିବସ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହିଳା ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ପୁରୁଷ ପ୍ରଧାନ ସମାଜରେ ମହିଳା ମାନଙ୍କୁ ସମାନ ଅଧିକାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାବାଳିକାଙ୍କ ବିବାହ ଯୋଗୁଁ ଆଜିର ଦିନରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ବୌଦ୍ଧ ଜିଲ୍ଲାର ୬୯ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଭାବରେ ଘୋଷଣା କରାଯାଇଥିବା ସତ୍ତ୍ୱେ ସାମାଜିକ ଓ ଆର୍ଥିକ ଦୁର୍ବଳତା ଯୋଗୁଁ ଅନେକ ପରିବାର ଆବଶ୍ୟକ ବୟସ ପୂର୍ବରୁ ପୁଅ ଝିଅଙ୍କ ବିବାହ କରି ଦେଉଛନ୍ତି ।