ବାଲେଶ୍ବର: ଶାରୀରିକ ଭାବେ ସେ ସିନା ଅକ୍ଷମ ହେଲେ ମାନସିକ ସ୍ତରରେ ସେ ବେଶ ସୁଦୃଢ଼ । ଜୀବନ ଯୁଦ୍ଧରେ ନିଜର ଅକ୍ଷମତା ପ୍ରକାଶ ନ କରି ନିଜେ ନିଜକୁ ଜଣେ ସଶକ୍ତ ଯୋଦ୍ଧା ଭାବେ ଦୁନିଆ ଦାଣ୍ଡରେ ଠିଆ କରାଇ ପାରିଛନ୍ତି । ଟିଉସନ କରି ଯାହା ଦୁଇ ପଇସା ମିଳେ ସେଥିରେ ଘର ପରିବାର ଠିକ ଭାବେ ଚଳି ପାରୁନଥିବାରୁ ଶେଷରେ ଏକ ବ୍ୟାଟେରୀ ଚାଳିତ ଅଟୋ କିଣିଥିଲେ । ଏବେ ଦୈନିକ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି । ୨ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇଥିବା ବେଳେ ସେ କିନ୍ତୁ କେବେ ଜୀବନ ରାସ୍ତାରେ ଚାଲିବା ପାଇଁ ଥକି ପଡ଼ି ନାହାନ୍ତି । ମାନସିକ ସ୍ତରରେ ନିଜକୁ ଦିବ୍ୟାଙ୍ଗ ନଭାବି ସଂଘର୍ଷ ଭିତରେ ବି ସେ ସାଉଁଟି ପାରିଛନ୍ତି ଅନେକ ଖୁସି । ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ବରୁଣସିଂ ଅଞ୍ଚଳର ଗୋପୀନାଥ ବାରିକ ।
ସମାଜ ପାଇଁ ଉଦାହରଣ ଗୋପୀନାଥ:
ବରୁଣସିଂ ଅଞ୍ଚଳର ଗୋପୀନାଥ ବାରିକ । ସ୍ଥାନୀୟ ଅଞ୍ଚଳରେ ଗୋପୀନାଥ ମିଟୁ ସାର ବୋଲି ବେଶ ଜଣାଶୁଣା । ଏବେ ସେ ରେମୁଣା ନୋସି ବିଜିନେସ ପାର୍କ ପାଖରେ ଏକ ଘର କରି ରହୁଛନ୍ତି । ସପ୍ତାହକୁ ଥରେ ଗାଁକୁ ଯାଇ ସେଠାରେ ରହୁଥିବା ବାପା ମାଙ୍କ କଥା ବୁଝି ପୁଣି ଫେରି ଆସନ୍ତି କର୍ମକ୍ଷେତ୍ରକୁ । ତେବେ ଦିନେ ସବୁ ପିଲାଙ୍କ ମିଟୁ ସାର ଆଜି କାହିଁକି ଏକ ଅଟୋ ଚଳାଇ ପେଟ ପୋଷିବା ପାଇଁ ମନସ୍ଥ କଲେ । ନିଜର କର୍ମକ୍ଷେତ୍ର ଏବଂ ସଂଘର୍ଷର କାହାଣୀ ବିଷୟରେ ଗୋପୀନାଥ ବାରିକ କହିଛନ୍ତି, "ଆଜିକୁ ଦୀର୍ଘ ୨୫ ବର୍ଷ ହେଲା ଟିଉସନ କରି ବହୁ କଷ୍ଟରେ ଚଳୁଥିଲି । ଏବେ ଏକ ଅଟୋ ଆଣି ଚଲାଉଛି, ସମସ୍ତଙ୍କର ଉପକାର ହେଲା ଭଳି ଓ ସୁହାଇବା ଭଳି ରେଟ କରି ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛି । ଆଜିକୁ ୪ ମାସ ହେବ ମୁଁ ଅଟୋ ଚଳେଇଲିଣି । କେବଳ ରାତିରେ ଟିଉସନ କରୁଛି । ଯେହେତୁ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଅଛି ଛାଡିବା ଅସମ୍ଭବ ହୋଇ ପଡ଼ିବ । ଗାଡ଼ି ଚଳାଇବା ସହ ସପ୍ତାହକୁ ତିନିଦିନ ଟିଉସନ ।"
'ଦିନକୁ ରୋଜଗାର ୧୫୦୦ ଟଙ୍କା' :
ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଅଟୋ ଚଲାଏ । ପରେ ଘରକୁ ଯାଇ ଗାଡ଼ିକୁ ଚାର୍ଜ ବସାଇ ପୁଣି ୩ଟା ପୁଣି ଅଟୋ ନେଇ ଆସେ । ସବୁଦିନ ପ୍ରାୟ ୧୫୦୦ରୁ ୧୬୦୦ ଟଙ୍କା ରୋଜଗାର ହୁଏ । ଅଟୋ କିସ୍ତି ଦେବା ପରେ ଟଙ୍କା ବଞ୍ଚେ ଆଉ ଭଲରେ ଚଳୁଛି । ଅଟୋ ଚଳାଇ ପରିବାର ପ୍ରତିପୋଷଣ ହୋଇପାରୁଛି । ଆତ୍ମସନ୍ତୋଷ ମଧ୍ୟ ମିଳୁଛି । ଯିଏ ନିଜର ଅକ୍ଷମତାକୁ ଭାବେ ଅକ୍ଷମ ବୋଲି ସେ ହେଉଛି ଦିବ୍ୟାଙ୍ଗ । ଜୀବନକୁ ବଦଳାଇବାକୁ ହେଲେ ଗୋଟେ ପ୍ରୋଜେକ୍ଟ ଦରକାର । ସରକାରଙ୍କୁ ଅନୁରୋଧ କରୁଛି ଯେ ଯଦି ପ୍ରାଇଭେଟ କ୍ଷେତ୍ରରେ ଆମର ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କୁ ସେମାନଙ୍କ ଯୋଗ୍ୟତା ଭିତ୍ତିରେ ଚାକିରି ଦିଅନ୍ତେ ତେବେ ସେମାନେ ଭିକ ମାଗିବା ପାଇଁ ଆଉ ରାସ୍ତାକୁ ଆସନ୍ତେ ନାହିଁ ।"