ବ୍ରହ୍ମପୁର:କଥାରେ ଅଛି ବାଡ ଯଦି ଫସଲ ଖାଏ ତେବେ ଗୁହାରୀ କହିବ କାହାକୁ...ଏହି ଲୋକକଥା ଉକ୍ତିର ପ୍ରମାଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଗଞ୍ଜାମ ଜିଲ୍ଲାର ଦୁଇ ପରିବହନ ଅଧିକାରୀ ବର୍ଷ ବର୍ଷ ଧରି ବରିଷ୍ଠ ଅଧିକାରୀଙ୍କ ନାଁରେ ଆଦାୟ କରୁଥିଲେ ମୋଟା ଅଙ୍କର ଜରିମାନା । ଶେଷରେ ଏମାନଙ୍କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ବେଆଇନ ଅର୍ଥ ଆଦାୟ ଅଭିଯୋଗରେ 5ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 2 ଅଧିକାରୀ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ ଏମ ।
ଗିରଫଙ୍କ ମଧ୍ୟରେ ଅତିରିକ୍ତ RTO ଅଧିକାରୀ:
ଗିରଫ 5 ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପରିବହନ ବିଭାଗରେ କାର୍ଯ୍ୟରତ ଥିବା ଅତିରିକ୍ତ ଆର.ଟି.ଓ କେ.ଭେଙ୍କେଟେସ୍ ,କନିଷ୍ଠ ଏମ୍.ଭି.ଆଇ ରତିକାନ୍ତ ନାହକଙ୍କ ସମେତ ଏଭଳି କର୍ଯ୍ୟ କରି ଆସୁଥିବା ତିନି ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଅନ୍ୟ ଜଣେ ଦଲାଲ କୌଶଳ କ୍ରମେ ଖସି ଯାଇଥିବା ବେଳେ ଏହି ରାକେଟରେ ଜଣେ ଅବସରପ୍ରାପ୍ତ ପରିବହନ ବିଭାଗର ଅଧିକାରୀ ରହିଥିବା ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ ଏମ୍ ।
ଜାତୀୟ ରାଜପଥରୁ କରୁଥିଲେ ବେଆଇନ ଅର୍ଥ ଆଦାୟ:
ଓଡିଶା-ଆନ୍ଧ୍ର ସୀମାନ୍ତରେ ରହିଥିବା ପୁରାତନ ଗିରିସୋଲା ତନଖି ଫାଟକରେ କିଛି ବ୍ୟକ୍ତିବିଶେଷ ବେଆଇନ ଭାବରେ କିଛି ଅସାଧୁ ବ୍ୟକ୍ତିବିଶେଷ ଅର୍ଥ ଆଦାୟ କରୁଥିବା ନେଇ ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନା ନିକଟରେ ଅଭିଯୋଗ ପହଞ୍ଚିଥିଲା । ଯାହାକୁ ନେଇ ପୋଲିସ ଟିମ୍ ସାଧା ପୋଷାକରେ ଘଟଣାସ୍ଥଳରେ ପହଞ୍ଚି ତାହାକୁ ଅନୁଧ୍ୟାନ କରିବା ସମୟରେ ତିନି ଜଣ ଯୁବକ ସେଭଳି କାର୍ଯ୍ୟ କରୁଥିବା ଖବର ପାଇ ଅଟକ ରଖିଥିଲା । ପୋଲିସ ତଦନ୍ତ ସମୟରେ ଏହି ଦଲାଲଙ୍କ ସହିତ ଗଞ୍ଜାମ ଜିଲ୍ଲାର ପରିବହନ ବିଭାଗର କିଛି ଅଧିକାରୀ ସଂପୃକ୍ତ ରହିଥିବା ପୋଲିସ ଜାଣିପାରିଥିଲା । ଏପରିକି ଏହି ଗ୍ୟାଙ୍ଗ ଅତ୍ୟନ୍ତ ସଙ୍ଗଠିତ ଭାବରେ ଏପରି କାର୍ଯ୍ୟ କରୁଥିବା ଏବଂ ଜଣେ ଜଣେ ଦଲାଲ ଅତି କମରେ ୧୦ ଗୋଟି ଗାଡିରୁ ଟଙ୍କା ଆଦାୟ କରୁଥିବା ଏବଂ ଆଦାୟ ଅର୍ଥରୁ କିଛି ଅର୍ଥ ଦଲାଲ ମାନେ ରଖି ବଳକା ଅର୍ଥକୁ ପରିବହନ ବିଭାଗର ଅଧିକାରୀ ମାନଙ୍କୁ ପ୍ରଦାନ କରୁଥିବା ଜଣାପଡିଥିଲା । ଯାହା ଜାଣିବା ପରେ ଏହି ଗ୍ୟାଙ୍ଗର ଦୁଇ ସରକାରୀ ଅଧିକାରୀ ସମେତ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ ।
ଟଙ୍କା ଆଦାୟ ହେଉଥିବା ଗାଡିକୁ ଆଉ ଯାଞ୍ଚ କରୁନଥିଲା ପରିବହନ ବିଭାଗ:
ପ୍ରତ୍ୟେକ ଦିନ ଓଡିଶା-ଆନ୍ଧ୍ର ସୀମାନ୍ତ ଦେଇ ହଜାର ହଜାର ପରିବହନ କାର୍ଯ୍ୟରେ ନିୟୋଜିତ ଟ୍ରକ ଗୁଡିକ ଯାତାୟତ କରୁଥିବା ବେଳେ ସେଥିରୁ ଅତ୍ୟନ୍ତ ଚତୁରତାର ସହିତ ହଜାର ହଜାର ଟଙ୍କା ଆଦାୟ କରୁଥିଲେ ଦଲାଲ ଓ ସରକାରୀ ଅଧିକାରୀ ମାନେ । ଯାହା ପୋଲିସର ଗିରଫଦାରୀ ପରେ ଘଟଣା ସ୍ପଷ୍ଟ ହୋଇଛି । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରର୍ବଣା ବିବେକ ଏମ କହିଛନ୍ତି, ‘ଏହି ଗ୍ୟାଙ୍ଗ ଟଙ୍କା ଆଦାୟ କରୁଥିବା ଗାଡି ଗୁଡିକୁ ଜିଲ୍ଲା ପରିବହନ ବିଭାଗ କେବେ ହେଲେ ମଧ୍ୟ ଯାଞ୍ଚ କରୁନଥିଲା । ଏପରିକି ଏହାକୁ ଯୋଜନାବଦ୍ଧ ଭାବରେ କିପରି ସଫଳତାର ସହିତ ପରିଚାଳନା କରିବେ ସେ ନେଇ ଟଙ୍କା ଆଦାୟ କାର୍ଯ୍ୟରେ ନିୟୋଜିତ ରହୁଥିବା ଦଲାଲ ଏବଂ ଗିରଫ ହୋଇଥିବା ଦୁଇ ଅଧିକାରୀ ମାନଙ୍କୁ ନେଇ ହ୍ବାଟ୍ସଆପ ଗ୍ରୁପ କରାଯାଇଥିଲା । ଏଥିରେ ଟଙ୍କା ଆଦାୟ ହେଉଥିବା ଟ୍ରକର ନମ୍ବର ଗୁଡିକୁ ଦଲାଲ ମାନେ ଅଧିକାରୀଙ୍କ ନିକଟକୁ ପଠାଇ ଦେଉଥିଲେ । ଯାହାକୁ ନେଇ ଆଉ ଟଙ୍କା ଆଦାୟ ହେଉଥିବା ଗାଡିକୁ ଯାଞ୍ଚ କରାଯାଉନଥିବା ଜଣାପଡିଛି ।
କୋଭିଡ ସମୟରୁ ସକ୍ରିୟ ଗ୍ୟାଙ୍ଗ:
ଦିନେ ନୁହେଁ କି ଦୁଇ ଦିନ । ଗତ କୋଭିଡ ସମୟରୁ ଅର୍ଥାତ୍ ଗତ ୨୦୨୨ ମସିହା ଜାନୁୟାରୀ ମାସରୁ ଏହିପରି ଜାତୀୟ ରାଜପଥରୁ ବେଆଇନ ଭାବରେ ଅର୍ଥ ଆଦାୟ କରିବାକୁ ଯୋଜନା କରିଥିବା ଏବଂ ତା ପରବର୍ତ୍ତୀ ସମୟରେ ନିୟମିତ ଭାବରେ ଏହିପରି କାର୍ଯ୍ୟ କରି ଆସୁଥିବା ପୋଲିସ ତଦନ୍ତରେ ସ୍ପଷ୍ଟ ହୋଇଛି । ଏଥିପାଇଁ ଏହି ଗ୍ୟାଙ୍ଗର ତିନୋଟି ହ୍ବାଟ୍ସଆପ ଗ୍ରୁଫ୍ କାର୍ଯ୍ୟ କରି ଆସୁଥିଲା । ହ୍ବାଟ୍ସଆପ ଗ୍ରୁପରୁ ଦଲାଲ ସମେତ ଦୁଇ ଜଣ ସରକାରୀ ଅଧିକାରୀ ରହି ଏହାକୁ ମନିଟରିଂ କରୁଥିଲେ । ଉକ୍ତ ଗ୍ରୁପରୁ ଗୋଟିଏ ଗ୍ରୁପ ୨୦୨୨ ମସିହା ଜାନୁଆରୀରୁ ଆରମ୍ଭ ହୋଇଥିବା ବେଳେ ଅନ୍ୟ ଦୁଇ ଗ୍ରୁଫ୍ ଉକ୍ତ ୨୦୨୨ ମସିହା ମେ ମାସରୁ ଆରମ୍ଭ ହୋଇଥିବା କୁହାଯାଇଛି ।
ଦୁଇ ସରକାରୀ ଅଧିକାରୀଙ୍କ ସମେତ 5 ଗିରଫ :
ଗଞ୍ଜାମ ପରିବହନ ବିଭାଗର ଅତିରିକ୍ତ ଆର୍.ଟି.ଓ କେ.ଭେଙ୍କେଟେସ୍ ,କନିଷ୍ଠ ଏମ୍.ଭି.ଆଇ ରତିକାନ୍ତ ନାହକଙ୍କ ସମେତ ଏଭଳି କାର୍ଯ୍ୟ କରି ଆସୁଥିବା ଏଜେଣ୍ଟ ବା ଦଲାଲ ଭାବରେ ଗିରିସୋଲା ଅଞ୍ଚଳର ପିଣ୍ଟୁ ଓରଫ ଭରତ କୁମାର ସାହୁ ଓ ରବିନ୍ଦ୍ର ସାହୁ ରହିଥିବା ବେଳେ ଅନ୍ୟ ଜଣେ ଦଲାଲ ଇଚ୍ଛାପୁର ଅଞ୍ଚଳର ବି.ବିଜୟ କୁମାର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାରେ ଜଣେ ଅବସରପ୍ରାପ୍ତ ପରିବହନ ବିଭାଗର କର୍ମଚାରୀ ମଧ୍ୟ ନିୟୋଜିତ ରହିଥିବା ପୋଲିସ ତଦନ୍ତ ସମୟରେ ଜାଣିପାରିଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା କୁହାଯାଇଛି ।
ଅନ୍ୟ ଜଣେ ପରିବହନ ବିଭାଗର ଇନିସପେକ୍ଟର ସାମିଲ ଥିବା ମିଳିଛି ଲିଙ୍କ:
ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଆହୁରି କହିଛନ୍ତି, ପରିବହନ ବିଭାଗର ଭୟ ଦେଖାଇ ଜାତୀୟ ରାଜପଥରୁ ବେଆଇନ ଅର୍ଥ ଆଦାୟ କରୁଥିବା ଦୁଇ ସରକାରୀ ଅଧିକାରୀ ସମେତ ପାଞ୍ଚ ଜଣିଆ ଗ୍ୟାଙ୍ଗଙ୍କୁ ବ୍ରହ୍ମପୁର ପୋଲିସ ଧରିବା ପରେ ଏହି ଘଟଣାରେ ଜଣେ ପୂର୍ବତନ ଟ୍ରାନ୍ସପୋର୍ଟ ଇନିସପେକ୍ଟର ମଧ୍ୟ ସାମିଲ ରହିଥିବା ନେଇ ପୋଲିସକୁ ଲିଙ୍କ ମିଳିଛି । ହେଲେ ତାଙ୍କର ଗତିବିଧି ପୋଲିସକୁ ଜଣାପଡିନଥିବା ବେଳେ ତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ପୋଲିସ ତଦନ୍ତ ପରିସରଭୁକ୍ତ କରିବ ।