ଭୁବନେଶ୍ବର:ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଜାରି କଲେ ରାଜ୍ୟ ସରକାର । ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡକୋ) ପକ୍ଷରୁ ପ୍ରଥମ ପର୍ଯ୍ୟାୟ କାମ ପାଇଁ ଏହି ଟେଣ୍ଡର ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟ କାମ ସରକାରୀ ଓ ଘରୋଇ କମ୍ପାନୀ ଭାଗିଦାରୀ (ପିପିପି ମୋଡ)ରେ ହେବାକୁ ଥିବା ବେଳେ ଏହାର ଖର୍ଚ୍ଚ ଅଟ୍ଟକଳ ରାଶି ରହିଛି 2 ହଜାର 2ଶହ 3 କୋଟି ଟଙ୍କା । ଫେବୃଆରୀ 21 ତାରିଖରୁ ଏହି ଟେଣ୍ଡର ଆବେଦନ ପାଇଁ ଉପଲବ୍ଧ ହେବ । ଏପ୍ରିଲ 20 ତାରିଖ ମଧ୍ୟରେ ଆଗ୍ରହୀ କମ୍ପାନୀ ଏଥିପାଇଁ ଆବେଦନ କରିପାରିବେ । ପୁରୀର ସିପସରୁବାଲିରେ ନିର୍ମାଣ ହେବାକୁ ଥିବା ଏହି ପ୍ରସ୍ତାବିତ ବିମାନ ବନ୍ଦରର ନାମ ‘ଶ୍ରୀ ଜନଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର’ ରଖାଯିବ ।
ଟେଣ୍ଡରରେ ରହିଥିବା ସର୍ତ୍ତାବଳି ଅନୁସାରେ, ଟେଣ୍ଡର ଗ୍ରହଣ କରିବାକୁ ଥିବା କମ୍ପାନୀ ଏହି ପ୍ରକଳ୍ପ କାମ 1,095 ଦିନ ବା ପ୍ରାୟ 3 ବର୍ଷ ମଧ୍ୟରେ ଶେଷ କରିବ । ଏଥିରେ ବାର୍ଷିକ 4.6 ମିଲିୟନ ବା 46 ଲକ୍ଷ ଯାତ୍ରୀଙ୍କ ଯାତ୍ରା କ୍ଷମତା ବିଶିଷ୍ଟ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ରହିବ । ବିଶ୍ବ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ରଖୁଥିବା ଜଗନ୍ନାଥ ଧାମ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ବର୍ଷ 2021ରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସମ୍ପର୍କରେ ଚିଠି ଲେଖି ସହଯୋଗ ମାଗିଥିଲେ ।