ଭୁବନେଶ୍ୱର:ଜଙ୍ଗଲ ଜଗୁଛି ଏଆଇ କ୍ୟାମେରା ।ପଣା ସଂକ୍ରାନ୍ତି ସମୟରେ ଶିକାରୀଙ୍କ ଉପରେ ରହିବ କଡା ନଜର । ଶିକାରୀଙ୍କ ଉପରେ ନଜର ରଖିବେ ଏଆଇ ଏବଂ ଏକ୍ସ ଆର୍ମୀ । ଅନ୍ୟପଟେ ଶିମିଳିପାଳ ଓ ଅନ୍ୟାନ୍ୟ ଜଙ୍ଗଲରେ ଶିକାର ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଥିବା ନେଇ କହିଛନ୍ତି ବନ୍ୟପ୍ରାଣୀ ପିିସିସିଏଫ ସୁଶାନ୍ତ ନନ୍ଦ । ଶିକାରୀଙ୍କ ପ୍ରାଦୂର୍ଭାବ କମିଥିବା କହିଛନ୍ତି ପିସିସିଏଫ ।
ବନ୍ୟାପ୍ରାଣୀ ପିପିଏସଫ ସୁଶାନ୍ତ ନନ୍ଦ କହିଛନ୍ତି ଯେ, ଶିମିଳିପାଳରେ ବନ ବିଭାଗ ପକ୍ଷରୁ ଶିକାରୀଙ୍କ ଉପରେ କଡା ନଜର ରଖାଯାଇଛି । ବର୍ତ୍ତମାନ ସମୟରେ ଶିକାରର ମାତ୍ରା କମିଛି । ପଣା ସଂକ୍ରାନ୍ତି ସମୟରେ ଶିକାର ଅଧିକ ହେଉଥିବା ବେଳେ ଚଳିତ ବର୍ଷ ତାହା ବନ୍ଦ ରହିଛି । ବନବିଭାଗ ଟିମ୍ ସହ ଏଆଇ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଶିକାରୀଙ୍କ ଉପରେ କଡା ନଜର ରଖାଯାଇଛି । ଏହା ସହ ଜେଟିଏଫ୍ ଏବଂ ଏକ୍ସ ଆର୍ମୀମାନେ ମଧ୍ୟ ମିଳିତ ଭାବେ ଜଙ୍ଗଲରେ କାମ କରୁଛନ୍ତି । ଯେଉଁଥିପାଇଁ ଶିମିଳିପାଳରେ ଶିକାରୀ ମାନଙ୍କ ପ୍ରାଦୁର୍ଭାବ କମିଛି ।
ସେ ଆଉମଧ୍ୟ କହିଛନ୍ତି ଯେ, କୁଲଢ଼ିଆ ଜଙ୍ଗଲରେ ମଧ୍ୟ ଚଢାଉ ବଢାଇ ଦିଆଯାଇଛି । ଶିକାରକୁ ବନ୍ଦ କରିବା ପାଇଁ ପ୍ରୟାସ କରାଯାଉଛି । କୁଲଢିଆ ଜଙ୍ଗଲରେ ଏକ୍ସଆର୍ମୀମାନଙ୍କୁ ନିୟୋଜିତ କରିବାକୁ ଯୋଜନା ଚାଲିଛି । ଏହି ଜଙ୍ଗଲ ଅଞ୍ଚଳରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ଶିକାରୀମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଉମଧ୍ୟ ସାତକୋଶିଆ ପାଇଁ ଷ୍ଟ୍ରାଇକିଂ ଫୋର୍ସ ଗଠନ କରାଯାଇଛି । ଏହି ଫୋର୍ସ ସାତକୋଶିଆ ଟାଇଗର ରିଜର୍ଭରେ କାମ କରିବେ । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦିଆଯିବ ।