ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ । ମାନସିକଧାରୀ କାଉଡିଆମାନେ ପାଣି ଉଠାଇ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଜଳାଭିଷେକ କରୁଛନ୍ତି । ଏହି ମାସ ଭଗବାନ ଶିବଙ୍କର ପ୍ରିୟମାସ ବୋଲି କୁହାଯାଏ । ଏହି ମାସରେ ଶିବଙ୍କ ଉଦ୍ଦେଶ୍ୟରେ ବ୍ରତ ରଖି ଜଳାଭିଷେକ କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ତେବେ ଚଳିତ ବର୍ଷ ଶ୍ରାବଣ ମାସରେ ଦୁର୍ଲଭ ସଂଯୋଗ ଦେଖାଯାଇଛି । ପ୍ରଥମ ଦିନ ସୋମବାରରୁ ଆରମ୍ଭ ହୋଇଥିବା ବେଳେ ଶେଷ ଦିନ ମଧ୍ୟ ସୋମବାରରେ ଶେଷ ହେଉଛି ।
ହର ହର ମହାଦେବ, ବୋଲବମ ନାରାରେ କମ୍ପୁଛି ଶୈବ ମନ୍ଦିର । ଶ୍ରାବଣର ପ୍ରଥମ ଦିନର ଭକ୍ତମାନେ ଶିବମନ୍ଦିରରେ ଭିଡ ଜମାଇଛନ୍ତି । ମାନସିକଧାରୀ କାଉଡିଆମାନେ ଶିବଶକ୍ତି ଉଦ୍ଦେଶ୍ୟରେ ଜଳାଭିଷେକ କରିବା ପାଇଁ ଶିବାଳୟରେ ଲମ୍ବା ଲାଇନ ଲଗାଇଛନ୍ତି । ସେ କୋପେ ବର ନଚେତ ତପେ ବର । ମହାଦେବଙ୍କ ଉଦ୍ଦେଶ୍ୟରେ ସମସ୍ତ ଭକ୍ତଙ୍କ ମୁହଁରେ ଏହି କଥା ଶୁଣିବାକୁ ମିଳେ । ସେ କୋପରେ ବର ଦିଅନ୍ତି ନଚେତ ତପ କରି ମଧ୍ୟ ମହାଦେବଙ୍କ ମନ ଜିଣିହୁଏ । ନିଜ ମନବାଞ୍ଛା ପୂରଣ କରିବା ପାଇଁ ଭକ୍ତମାନେ ଅତି ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ଶ୍ରାବଣ ମାସ ପାଳନ କରିଥାନ୍ତି । ଅଧିକାଂଶ ମହିଳା ଏବଂ ପୁରୁଷ ଏହି ମାସରେ ପଡୁଥିବା ସମସ୍ତ ସୋମବାରରେ ଭଗବାନ ମହାଦେବଙ୍କୁ ପୂଜା କରିବା ସହ ଉପବାସ ରଖିଥାଆନ୍ତି । ସୋମବାର ଉପବାସ ସମୟରେ ଲୋକମାନେ କେବଳ ଥରେ ଖାଦ୍ୟ ଖାଆନ୍ତି । ତାହା ମଧ୍ୟ ଶୁଦ୍ଧ ଶାକାହାରୀ ଖାଦ୍ୟ ହୋଇଥାଏ । କେବଳ ଏତିକି ନୁହେଁ, ଏହି ମାସରେ ଲୋକମାନେ ସାତ୍ତ୍ବିକ ଖାଦ୍ୟ ଖାଆନ୍ତି ।