କଟକ: ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟଙ୍କ ନୋଟିସ୍ । ନବଦିଗନ୍ତ ଚିଟଫଣ୍ଡ ମାମଲାରେ ସିବିଆଇର ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି । ୨୦୨୨ରେ ଦୁର୍ନୀତି ନିବାରଣ ଆଇନରୁ ହାଁସଦାଙ୍କୁ ଦୋଷମୁକ୍ତ କରଯାଇଥିଲା । ଏହି ଦୋଷମୁକ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛି ସିବିଆଇ । ତେବେ ଏହି ଚିଟଫଣ୍ଡ ମାମଲାରେ ହାଁସଦାଙ୍କୁ ପୂର୍ବରୁ ଡିସଚାର୍ଜ କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ।
କାହିଁକି ନୋଟିସ ଜାରି କଲେ ହାଇକୋର୍ଟ:
ଚିଟଫଣ୍ଡ ମାମଲାରେ ପୂର୍ବତନ ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତ (ସିବିଆଇ) ୨୦୨୨, ଜୁଲାଇ ୬ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏହି ମାମଲାର ପ୍ରତିପକ୍ଷ ହାଁସଦାଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କ ବିରୋଧରେ ସିବିଆଇ ଦାୟର କରିଥିବା ଆବେଦନ ସହିତ ଏହି ମାମଲାର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ନବଦିଗନ୍ତ କ୍ୟାପିଟାଲ ସର୍ଭିସ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ରାମଚନ୍ଦ୍ର ହାଁସଦାଙ୍କୁ ୨୦୧୪, ନଭେମ୍ବରରେ ସିବିଆଇ ଗିରଫ କରିଥିଲା । ଗିରଫ ହେବା ପରେ ସେ ଝାରପଡା ଜେଲରେ ଥିଲେ । ଏହି ମାମଲାରେ ହାଁସଦା ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା । ପୂର୍ବତନ ସାଂସଦଙ୍କ ବିରୋଧରେ ଆଇପିସିର ଦଫା ୧୦୨-ବି, ୪୦୯, ୪୨୦, ପ୍ରାଇଜ ଚିଟ୍ସ ଆଣ୍ଡ ମନି ସାର୍କୁଲେସନ୍ ସ୍କିମ୍ (ବ୍ୟାନିଂ) ଆଇନର ଧାରା ୪, ୫, ୬ ଓ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୧)(ଡି(୩)ରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା । ପରବର୍ତ୍ତୀ ସମୟରେ ରାମଚନ୍ଦ୍ର ହାଁସଦା ଏହି ମାମଲାରେ ଜାମିନ ପାଇଥିଲେ ।
ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରେ OHRDC ମାମଲା, ରାୟକୁ ସଂରକ୍ଷିତ ରଖିଲେ କୋର୍ଟ