ଭୁବନେଶ୍ବର: ନୂଆ ବର୍ଷରେ ନୂଆ ସରକାର ଆୟୋଜନ କରିବେ ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ-2025’ । ଏହା ପୂର୍ବରୁ ଗତକାଲି (ଶୁକ୍ରବାର) ‘ଉତ୍କର୍ଷ ଓଡ଼ିଶା’ର ଲୋଗୋ ଉନ୍ମୋଚିତ ହୋଇଯାଇଛି । ଲୋଗୋ ଉନ୍ମୋଚିତ କରି ସାରା ବିଶ୍ୱର ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡିଶାରେ ନିବେଶ କରିବା ପାଇଁ ସ୍ୱାଗତ କରିଛନ୍ତି । ଜାନୁଆରୀ 28 ଓ 29 ଦୁଇ ଦିନ ଧରି ମୋହନ ସରକାର ଆୟୋଜନ କରିବେ ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’ । ଦେଶ ଓ ବିଦେଶର ନିବେଶକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ବିଜନେସ ଲିଡରଙ୍କ ସହ ଆଲୋଚନା କରିବେ ମୋହନ ସରକାର ।
- ଉତ୍କର୍ଷ ଓଡିଶା ପାଇଁ ହେବ ରୋଡ ସୋ:
‘ଉତ୍କର୍ଷ ଓଡିଶା-ମେକ ଇନ ଓଡିଶା କନକ୍ଲେଭ-2025’ ଅବସରରେ ମୋହନ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ରୋଡ଼ ସୋ' କରାଯିବ । ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । ଅକ୍ଟୋବର 3 ତାରିଖରେ ନୂଆଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏହା ପରେ ମୁମ୍ବାଇରେ ମଧ୍ୟ ରୋଡ଼ ସୋ' ଆୟୋଜନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ଦେଶର ଆଉ କିଛି ରାଜ୍ୟରେ ମଧ୍ୟ ନିବେଶକ ସମ୍ମିଳନୀ ଲାଗି ଯୋଜନା କରାଯାଇଥିବା ସୂଚନା ମିଳିଛି ।
- ଶିଳ୍ପ କ୍ଷେତ୍ରରେ ଆମକୁ ଅଧିକ ଉତ୍କର୍ଷତା କରିବାର ଅଛି :
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, "ଆମ ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଭାରତ ବର୍ଷରେ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ଆଜି ଶିଳ୍ପନୀତି ଆଧାରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଗାମୀ ଦିନରେ ହେବାରେ ଅଛି । ସେଥିପାଇଁ ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ-2025’ ର ଲୋଗୋ ଉନ୍ମୋଚନ କରାଯାଇଛି । ଏଥିରେ ଆମ ଓଡ଼ିଶା ପାଇଁ ସମ୍ଭାବନା ଅଛି । ଶିଳ୍ପ କ୍ଷେତ୍ରରେ ଆମକୁ ଅଧିକ ଉତ୍କର୍ଷତା କରିବାର ଅଛି । ସେଥି ପାଇଁ ଆଗକୁ ଅନେକ କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି । ଭାରତ ବର୍ଷରେ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ରତା ଦେବୁ । ଏଥି ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ । ଓଡ଼ିଶା ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଅଛି 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାର ସେଥିରେ ସଫଳତା ପାଇଁ ଆମର ଏହି ନିରନ୍ତର ପ୍ରୟାସ । ଉତ୍କର୍ଷ ଓଡିଶା 2025 କେବଳ ବିନିଯୋଗର ଏକ ପ୍ରମୁଖ ସ୍ଥଳ ଭାବେ କାର୍ଯ୍ୟ କରିବ ନାହିଁ । ଏହା ନିବେଶକଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେବ । ଓଡିଶାକୁ ଏକ ସମୃଦ୍ଧ ବ୍ୟବସାୟିକ ପରିବେଶ ଗଠନ କରିବା ଆମର ଲକ୍ଷ୍ୟ । ଏହା ସହ ନିରନ୍ତର ଶିଳ୍ପ ଅଭିବୃଦ୍ଧି, ପୁଞ୍ଜି ବିନିଯୋଗ, ବିଶ୍ୱ ସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ସମୃଦ୍ଧ ଉତ୍କଳୀୟ ପରମ୍ପରା ବିକାଶ ପାଇଁ ପ୍ରୟାସ କରିବା । ଲୋଗୋ ଉନ୍ନୋଚନ ଆଜି ଓଡିଶାକୁ ଭାରତର ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ପ୍ରତିପାଦିତ କରିବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ''
![Utkarsh Odisha Logo Unveiled](https://etvbharatimages.akamaized.net/etvbharat/prod-images/28-09-2024/od-bbsr-01-make-in-odisha-7209787_28092024004246_2809f_1727464366_635.jpg)
କଣ କହିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ:-
ଶିଳ୍ପମନ୍ତ୍ରୀ କହିଛନ୍ତି, "ଆମ ଦୂରଦୃଷ୍ଟିରୁ ଢେର ଆଗରେ ଉତ୍କର୍ଷ ଓଡିଶା । ଆମର ଚେଷ୍ଟା ହେଉଛି ଭବିଷ୍ୟତ ପାଇଁ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା । ଏହା ସହ ନୂତନ ସର୍ଜନା, ସ୍ଥାୟିତ୍ୱକୁ ନେଇ ନିବେଶକଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇ ଦେବା । ବିଭିନ୍ନ ସ୍ଥାନରେ ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରିବାରେ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନିଜ ଅଞ୍ଚଳରେ ଥିବା ଉଦ୍ୟୋଗକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ନିବେଶ ଅନୁକୂଳ ଭିତିଭୂମିର ବିକାଶ କରିବାକୁ ଅନୁରୋଧ କରିଛନ୍ତି ।"
![Utkarsh Odisha Logo Unveiled](https://etvbharatimages.akamaized.net/etvbharat/prod-images/28-09-2024/od-bbsr-01-make-in-odisha-7209787_28092024004246_2809f_1727464366_581.jpg)
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦୂରଦର୍ଶିତା ଓ ପ୍ରଗତିଶୀଳ ଚିନ୍ତାଧାରାକୁ ନେଇ ଓଡିଶାରେ ଆୟୋଜିତ ହେବ ଉତ୍କର୍ଷ ଓଡିଶା - ମେକ ଇନ ଓଡିଶା କନକ୍ଲେଭ 2025 । ରାଜ୍ୟକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିତ୍ତିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିନିଯୋଗ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ନିବେଶକଙ୍କୁ ସ୍ୱାଗତ କରାଯାଇଛି । ପ୍ରଗତିର ନୂତନ ସୂର୍ଯ୍ୟୋଦୟ 2036 ସୁଦ୍ଧା ହେବ ବିକଶିତ ଓଡ଼ିଶାର ଅଭ୍ୟୁଦୟ । ଏଥିପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ସରକାର । ଶିଳ୍ପ ସମୃଦ୍ଧ ଭାରତରେ ଓଡିଶା ବିକାଶର ଏକ ପ୍ରମୁଖ କ୍ଷେତ୍ର ନିବେଶକଙ୍କ ପ୍ରଥମ ପସନ୍ଦ ଭାବେ ପରିଚୟ ହାସଲ କରିଛି । ଓଡିଶା ସରକାରଙ୍କ ସହଜ ଶିଳ୍ପନୀତି ନିବେଶକଙ୍କୁ ଆକୃଷ୍ଟ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
![Utkarsh Odisha Logo Unveiled](https://etvbharatimages.akamaized.net/etvbharat/prod-images/28-09-2024/od-bbsr-01-make-in-odisha-7209787_28092024004246_2809f_1727464366_335.jpg)
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତି ପରିଡା, ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ ଏମଡି ଭୁପିନ୍ଦର ସିଂ ପୁନିଆ, ଶିଳ୍ପପତି, ସମସ୍ତ ଜିଲ୍ଲାପାଳଙ୍କ ଉପସ୍ଥିତ ଥିଲେ ।
![Utkarsh Odisha Logo Unveiled](https://etvbharatimages.akamaized.net/etvbharat/prod-images/28-09-2024/od-bbsr-01-make-in-odisha-7209787_28092024004246_2809f_1727464366_523.jpg)