ନିଆଳି:ଭଙ୍ଗା ଘରେ ପଲିଥିନ୍ ତଳେ ଜୀବନ । ଅତି ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି ଚାରି ପ୍ରାଣୀ କୁଟୁମ୍ବ । ସେ ହେଉଛନ୍ତି କଟକ ଜିଲ୍ଲା ନିଆଳି ବ୍ଳକ ନୂଆ ବେତଣ୍ତା ଗ୍ରାମର ଅଗ୍ନି ବିପନ୍ନ ସୁର ମଲିକଙ୍କ ପରିବାର । ଘର ଅବସ୍ଥା ନ କହିବା ଭଲ । ଘରର ଚାରିପଟେ କାନ୍ଥ ପଡ଼ି ରହିଛି । ମୁଣ୍ଡ ଉପରେ ଛପର ନାହିଁ ସୂର୍ଯ୍ୟକିରଣ ପଡ଼ୁଛି । ଖରା, କାକରରେ ଭଙ୍ଗା ଘରେ ୨ ପୁଅ ଓ ପତ୍ନୀଙ୍କୁ ନେଇ ଚଳୁଛନ୍ତି ସୁର ମଲିକ । ଘରର ବାଉଁଶ ଗୁଡ଼ିକ ଭାଙ୍ଗି ବାହାରିଗଲାଣି, ଚଳିବା ପାଇଁ ପଲିଥିନ୍ ସାହା । ଯେମିତି ଏହି ପରିବାର ଲାଗି ସରକାରୀ ଯୋଜନା ସାତସପନ ।
ଗରିବ ଲୋକଙ୍କ ଜୀବନକୁ ସହଜ କରିବାକୁ ସରକାରଙ୍କ ମାଳମାଳ ଯୋଜନା । ହେଲେ ବାସ୍ତବରେ ଏ ଯୋଜନାରୁ ଉପକୃତ ହେଉନାହାନ୍ତି ପରିବାର । ସୁରଙ୍କ ପରିବାର କହିଲେ ସ୍ତ୍ରୀ ଓ ଦୁଇ ପୁଅ । ଛିଣ୍ଡା ପଲିଥିନ ଓ ଭଙ୍ଗା ମାଟି କାନ୍ଥ ତଳେ ବିତୁଛି ଏହି ପରିବାରର ଜୀବନ । ଘରର ମାଟି କାନ୍ଥ ଫାଟି ଆଁ କରିଥିବା ବେଳେ ଦିନରେ ଖରା ଓ ରାତିରେ ସୂର୍ଯ୍ୟ ଦେଖାଯାଉଛି ଏହି ଘର ଭିତରେ । ଅସହାୟଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର କରିଥିବା ମାଳମାଳ ଯୋଜନା ଏମାନଙ୍କ ପାଇଁ ଯେମିତି ସାତ ସପନ । ଫଳରେ ନିଜ ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ପଡି ରହିଛନ୍ତି ସୁରଙ୍କ ପରିବାର ।
ଏହା ମଧ୍ୟ ପଢନ୍ତୁ- କାହା ପାଇଁ ଆବାସ ଯୋଜନା ? ନଜର ଆଢୁଆଳରେ ପ୍ରକୃତ ହିତାଧିକାରୀ
ଗତବର୍ଷ ନଭେମ୍ବର ୨୧ତାରିଖରେ ସୁରଙ୍କ ତିନି ବଖରା ଚାଳଘର ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଯାଇଥିଲା । ଏଥିସହ ସମସ୍ତ ଆବାସ ପତ୍ର ପୋଡି ବାଉଁଶ ହୋଇଯାଇଛି । ହେଲେ ସ୍ଥାନୀୟ ପ୍ରଶାସନ କେବଳ ଖଣ୍ତିଏ ପଲିଥିନ୍ ଏବଂ ଶୁଖିଲା ଖାଦ୍ୟ ଦେଇ ଦାୟିତ୍ଵ ସାରି ଦେଇଥିବା ଅଭିଯୋଗ କରିଛନ୍ତି ସୁର । ଯେଉଁ ଘରେ ସେ ରହୁଛନ୍ତି ସେ ଘରେ ପଶୁ ବି ରହିବେନି କେବଳ ଭଗବାନ ଭରସାରେ ସୁର ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଚଳୁଛନ୍ତି । ସେହିପରି ବର୍ଷା କିମ୍ବା ପବନ ହେଲେ ସୁର ଓ ତାଙ୍କ ପରିବାର ପଡୋଶୀଙ୍କ ଘରେ ଆଶ୍ରା ନେଉଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲାପାଳ ପ୍ରଶାସନ ତୁରନ୍ତ ସୁର ମଲିକଙ୍କ ପରିବାରଙ୍କୁ ସରକାରୀ ପକ୍କା ଘର ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଅଗ୍ନି ବିପନ୍ନ ସୁର ମଲ୍ଲିକ କହିଛନ୍ତି ଯେ, ଗତ ୩ ମାସ ତଳେ ଘର ପୋଡି ଯାଇଥିଲା । ହଇରାଣ ଅସୁବିଧାରେ ସମ୍ମୁଖୀନ ହେଉଛୁ । ସରକାରଙ୍କ ତରଫରୁ ଖଣ୍ଡିଏ ପଲିଥିନ ପାଇଥିଲୁ ସେ ମଧ୍ୟ ଚିରି ଗଲାଣି । ଏନେଇ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ ବୁଝିବେ କହି ଆଜି ପର୍ଯ୍ୟନ୍ତ କୌଣସି ସହାୟତା ଯୋଗାଇ ନାହାନ୍ତି । ତେବେ କେବେ ଏହି ପରିବାର ପାଇଁ ପ୍ରଶାସନର ଆଖି ଖୋଲିବ ଏବଂ କେବେ ନିର୍ମାଣ ହେବ ନୂତନ ସରକାରୀ ବାସଗୃହ.. ତାହା ହିଁ ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ନିଆଳି