ଭୁବନେଶ୍ବର: ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ କ୍ଲାସ କରୁନାହାନ୍ତି । ସ୍କୁଲରେ ପାଠ ପଢାଇବା ପରିବର୍ତ୍ତେ ବିଦ୍ୟାଳୟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଏମିତିକି ସ୍କୁଲର ଅନ୍ୟ ଶିକ୍ଷକମାନେ ପଢ଼ାଉଛନ୍ତି କି ନାହିଁ, ତାହା ତଦାରଖ କରିବା ପାଇଁ ପ୍ରଧାନ ଶିକ୍ଷକଙ୍କ ପାଖରେ ମଧ୍ୟ ସମୟ ରହୁନି । ଏନେଇ ଗଣଶିକ୍ଷା ବିଭାଗ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଏଭଳି କିଛି ଅବ୍ୟବସ୍ଥାର ଦୃଶ୍ୟ ଦେଖିବାକୁ ପାଇଛି । ତେଣୁ ଏନେଇ ବିଦ୍ୟାଳୟରେ ଅତିକମରେ ଦୈନିକ ଦୁଇଟି କ୍ଲାସ କରିବାକୁ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ବାଧ୍ୟ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଦେଖାଯାଉଛି ଅନେକ ସମୟରେ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟରେ ଆଦୌ କ୍ଲାସ କରୁନାହାନ୍ତି । ସ୍କୁଲ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ସେମାନଙ୍କର ଅଭିଜ୍ଞତା ଓ ଭଲ ଦକ୍ଷତା ମଧ୍ୟ ରହିଛି । ଶିକ୍ଷାଗତ ଯୋଗ୍ୟତା ବି ଉନ୍ନତ ମାନର । ତା’ ପରେ ବି ସେମାନେ ଆଦୌ କ୍ଲାସ ନନେବା ଚିନ୍ତାର ବିଷୟ ହୋଇଛି । ତେଣୁ ଏଣିକି ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୈନିକ ଅତି କମରେ ଦୁଇଟି ଲେଖାଏଁ କ୍ଲାସ ନେବେ । କ୍ଲାସରୁମରେ ପିଲାଙ୍କୁ ପାଠ ପଢାଇବେ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ପୂର୍ବରୁ ଗଣଶିକ୍ଷା ବିଭାଗ ୨୦୨୧ ମସିହା ଏପ୍ରିଲ ୫ ତାରିଖରେ ନିର୍ଦ୍ଦେଶ ଦେଇଥିଲା । ଯାହା ରାଜ୍ୟରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟଗୁଡିକରେ ରହିଥିବା ସମସ୍ତ ପ୍ରଧାନଶିକ୍ଷକମାନେ ବିଦ୍ୟାଳୟର ଅତି ଅଭିଜ୍ଞ ଶିକ୍ଷକ ଭାବରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବେ । ଯାହା ଦୈନିକ ଅତିକମରେ ଦୁଇଟି କ୍ଲାସ ନେବା ଆବଶ୍ୟକ ରହିଛି । ଯାହାକୁ ନେଇ କୌଣସି ପ୍ରଧାନ ଶିକ୍ଷକମାନେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମାକୁ ମାନୁନଥିବା ଦେଖାଯାଇଥିଲା ।