ବୌଦ୍ଧ: ଆଜି ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ କରି ଫେରିଛନ୍ତି ଓଡିଶାର ରାଜ୍ୟପାଳ ରଘୁବର ଦାସ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ କଲ୍ୟାଣକାରୀ ଯୋଜନା ସାଧାରଣ ଲୋକ ଙ୍କ ନିକଟରେ ପହଞ୍ଚିଛି କି ନାହିଁ ସେ ନେଇ ସମୀକ୍ଷା କରିଥିଲେ । ରାଜ୍ୟପାଳ ପ୍ରଥମେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ସେଠାରେ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ କେନ୍ଦ୍ରର ଦିଦି ଓ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ରାଜ୍ୟପାଳ ବାଉଶୁଣୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା ମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା ହୋଇଥିଲେ ।
ବିଶେଷ ଭାବରେ ମହିଳା ମାନଙ୍କ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ନେଇ ରାଜ୍ୟପାଳ ଗୁରୁତ୍ବ ଆରୋପ କରିଥିଲେ । ଶିକ୍ଷା ଭଳି ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ତଥା ସମସ୍ତେ ପୂର୍ଣ୍ଣ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ । ତେବେ ସଭା ପରେ ପଞ୍ଚାୟତ କାର୍ଯ୍ୟାଳୟ ବାହାରେ ଅପେକ୍ଷାରତ ସ୍ଥାନୀୟ ନାଗରିକ ମାନଙ୍କ ଗହଣରେ ରାଜ୍ୟପାଳ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ଜଣେ ସ୍ଥାନୀୟ ଅସହାୟ ମହିଳା ନିଜ ଏକମାତ୍ର କନ୍ୟାର ଶିକ୍ଷାକୁ ନେଇ ତଥା ଚିକିତ୍ସା ପାଇଁ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ କାନ୍ଦି କାନ୍ଦି ରାଜ୍ୟପାଳଙ୍କୁ ଗୁହାରି କରିଥିବା ବେଳେ ଜଣେ ସ୍ଥାନୀୟ ଛାତ୍ର ବାଉଶୁଣୀ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା କୁନେଇ ରାଜ୍ୟପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାଉଶୁଣୀ ଅଞ୍ଚଳର ବିକାଶ ପ୍ରଶାସନିକ ଆନ୍ତରିକତା ଅଭାବରୁ ଠିକରେ ଆଗେଇ ପାରୁନଥିବା ବରିଷ୍ଠ ନାଗରିକ ରାଜ୍ୟପାଳଙ୍କ ସହ ଆଲୋଚନା କରିବା ସମୟରେ ବର୍ଣ୍ଣନା କରିଥିଲେ ।