ଗଜପତି: ଜିଲ୍ଲାରେ ଦେଖା ଦେଇଛି କପାର ଅଭାବୀ ବିକ୍ରି । ଦୀର୍ଘ ଦିନର ଦାବି ପରେ ଜିଲ୍ଲାରେ ଖୋଲିଛି କପା ମଣ୍ଡି । ହେଲେ କପା ଉତ୍ପାଦନ ହେଉଥିବା ଅଞ୍ଚଳ ବଦଳରେ ଏହାକୁ ପାରଳାଖେମୁଣ୍ଡିରେ ଏହା ଖୋଲା ଯାଇଛି । ଯାହାକୁ ନେଇ କପା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମଣ୍ଡିକୁ କପା ଆଣିବା ପାଇଁ ପରିବହନ ବାବଦରେ ଅଧିକ ଖର୍ଚ୍ଚ ହେଇଥିବା ବେଳେ ଫାଇଦା ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ । ଚାଷୀଙ୍କ ଘର ସମ୍ମୁଖରୁ କପା ସଂଗ୍ରହ କରିବା ସହ ତୁରନ୍ତ ଟଙ୍କା ଦେଉଥିବାରୁ ଚାଷୀମାନେ ବାଧ୍ୟ ହୋଇ ଶାଗମାଛ ଦରରେ ଆନ୍ଧ୍ର ବ୍ୟବସାୟୀଙ୍କୁ ଦେବାକୁ ବାଧ୍ୟ ହେଉଛନ୍ତି ।
ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ । ପାରଳାଖେମୁଣ୍ଡି, କାଶୀନଗର ଏବଂ ଗୋଷାଣି ଅଞ୍ଚଳର ଚାଷୀମାନେ ଧାନ ଚାଷ କରିଥାନ୍ତି । ଗୁମ୍ମା, ରାୟଗଡ଼,ନୂଆଗଡ, ରା.ଉଦୟଗିରି ଏବଂ ମୋହନା ବ୍ଲକର କିଛି ଚାଷୀ ଧାନ ଚାଷ କରୁଥିଲେ ମଧ୍ୟ ଅନ୍ୟ ଚାଷୀମାନେ ପନିପରିବା, ମକା ଓ ଅନ୍ୟାନ୍ୟ ଚାଷ କରୁଛନ୍ତି । ପୂର୍ବରୁ ରାୟଗଡ ବ୍ଲକର ଅଧିକାଂଶ ଚାଷୀ ପନିପରିବା ଚାଷ କରୁଥିଲେ । କିନ୍ତୁ ପ୍ରାୟ ୩୦ବର୍ଷ ହେଲା ଏହି ଅଞ୍ଚଳର ଚାଷୀ କପା ଚାଷ କରୁଛନ୍ତି । କପା ଚାଷ ଆରମ୍ଭ ହେବା ଦିନ ଠାରୁ ଏହି ଅଞ୍ଚଳର କପା ଚାଷୀମାନେ ମଣ୍ଡି ଅଭାବର ଶିକାର ହେଉଛନ୍ତି ।
ପୂର୍ବରୁ ଗୁଣପୁରରେ ଥିବା ମଣ୍ଡି ଉପରେ ଚାଷୀ ନିର୍ଭର କରୁଥିଲେ । ହେଲେ ବାରମ୍ବାର ଦାବି ପରେ ଗତ ଦୁଇ ବର୍ଷ ହେଲା ଗଜପତି ଜିଲ୍ଲାରେ କପା ମଣ୍ଡି ଆରମ୍ଭ ହୋଇଛି । କିନ୍ତୁ ଏହାକୁ ପାରଳାଖେମୁଣ୍ଡି ଠାରେ ରହିଛି । କିନ୍ତୁ କପା ଉତ୍ପାଦିତ ଅଞ୍ଚଳ ଭାବେ ପରିଚିତ ରାୟଗଡରୁ କପା ମଣ୍ଡିକୁ ଆଣିବା ସମୟରେ ପରିବହନ ବାବଦରେ ଯାହା ଖର୍ଚ୍ଚ ଅଧିକ ହେଉଛି । ଯାହା ଚାଷୀଙ୍କ ପକେଟକୁ ବାଧୁଛି ଅଭିଯୋଗ କରିଛନ୍ତି । ତେଣୁ ରାୟଗଡ଼ ବ୍ଲକରେ ଏକ କପା ମଣ୍ଡି ଖୋଲିବା ପାଇଁ ଦାବି କରିଛନ୍ତି ।