ବ୍ରହ୍ମପୁର:ଶିକ୍ଷକଙ୍କ ଘରେ ବୋମାମାଡ଼ ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କରିଲା ପୋଲିସ । ଏଥିସହ ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ, ଖଣ୍ଡା, ତିନୋଟି ମୋବାଇଲ ଫୋନ ଓ ଗୋଟିଏ ବୋମା ଜବତ କରାଯାଇଛି । ଏହି ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ୍ ଗାୟତ୍ରୀ ବିହାର ଅଞ୍ଚଳର ସୁଦର୍ଶନ ପାଢୀ, କାଳୁଆ ସାହିର ସୁମନ ପଟ୍ଟନାୟକ, ଅଟୋନଗର ଅଞ୍ଚଳର ଦୀପକ ଓରଫ ଦୀପୁ ସାହୁ ଏବଂ ତେଲିମଶାଣି ଆପାର୍ଟମେଣ୍ଟ ଅଞ୍ଚଳର କାଳିଆ ସାହୁ ।
ସୂଚନା ଅନୁସାରେ, ଗତ ୧୪ ତାରିଖ ସନ୍ଧ୍ୟା ସମୟରେ ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ରଘୁପତି ନଗର ଦ୍ଵିତୀୟ ଲାଇନରେ ରହୁଥିବା ସିଆରସିସି ଶିକ୍ଷକ ଟୁକୁନା ଭୂୟାଁ ନିଜ ଘରେ ବସିଥିଲେ । ସେହି ସମୟରେ ହଠାତ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ବୋମାମାଡ କରିଥିଲେ । ବୋମାମାଡ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଟୁକୁନାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ବୋମାମାଡରେ ଟୁକୁନାଙ୍କ ଛାତି ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ସେପଟେ ବୋମାମାଡ଼ରେ ଶିକ୍ଷକ ଟୁକୁନା ଗୁରୁତର ହେବା ପରେ ତାଙ୍କ ପୁଅ ଏନେଇ ଥାନାରେ ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ପୁରୀରେ ବୋମାମାଡ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ