ଭୁବନେଶ୍ବର: ଭରତପୁର ଘଟଣାକୁ ନେଇ ରାଜନୀତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ନେତା । ବିଜେଡି ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ଥିଲା ବୋଲି ଅଭିଯୋଗ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେପଟେ ବିଜେପି ସରକାରର ସଦସ୍ୟ ଆଜି ଯାଏଁ ବିଜେଡି ସରକାର ଚାଲିଛି ବୋଲି ଭାବୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ବିଜେପି ନେତା ଜାଣନ୍ତୁ, ଏବେ ଦାୟିତ୍ୱରେ ଅଛନ୍ତି:
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ଭରତପୁର ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ରାଜ୍ୟ ସରକାର ଘୋଷଣାକୁ ବିଜେଡି ସ୍ୱାଗତ କରୁଛି । ହାଇକୋର୍ଟ ମନିଟରିଂ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ହେଲେ ହାଇକୋର୍ଟ ମନା କରିଛନ୍ତି । ଆଇନ ମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ କଥା ରାଜନୈତିକ ଢାଞ୍ଚାରେ କହିବାକୁ ଚେଷ୍ଟା କରୁଛନ୍ତି । ଆମେ ଏହାକୁ ନିନ୍ଦା କରୁଛୁ । ମହିଳା ସମ୍ମାନକୁ ନେଇ ମନ୍ତ୍ରୀ ରାଜନୀତି ଟିପ୍ପଣୀକୁ ଆମେ ନିନ୍ଦା କରୁଛୁ । ଏ ଯାଏଁ ବିଜେପି ସରକାରର ସଦସ୍ୟ ଆଜି ଯାଏଁ ବିଜେଡି ସରକାର ଚାଲିଛି ବୋଲି ଭାବୁଛନ୍ତି । ସେମାନେ ଜାଣନ୍ତୁ ଏବେ ଦାୟିତ୍ୱରେ ଅଛନ୍ତି । ୨୪ ବର୍ଷ କହି ନିଜକୁ ହାସ୍ୟାସ୍ପଦ ନ କରନ୍ତୁ ।"
ଯାଦୁଆ କିଏ, ମଲମ କିଏ ବିକୁଛି:
ଲେନିନ ମହାନ୍ତି ଏହା ମଧ୍ୟ କହିଛନ୍ତି, "ନବରଙ୍ଗପୁର, ରାଉଲକେଲା, ଖୋର୍ଦ୍ଧା, ବାଲେଶ୍ଵରରେ ଆଇନ ଶୃଙ୍ଖଳା ଓ ମହିଳା ଅତ୍ୟାଚାର ଘଟଣା ଘଟିଛି । ଆଇନ ଶୃଙ୍ଖଳା ନ ମାନିଲେ ଚଳିବ ବୋଲି ସବୁ ଭାବିଲେଣି । କାରଣ ରାଜ୍ୟପାଳଙ୍କ ପୁଅ ବିରୋଧରେ ଆକ୍ସନ ହେଲାନାହିଁ । ଭରତପୁର ଘଟଣାରେ କେଉଁ ସୋର୍ସରୁ ଭିଡିଓ ଆସୁଛି । ପୋଲିସ ଜାଣିଶୁଣି ଏହା କରୁଛି । ଏହା ଓଡ଼ିଆ ସଂସ୍କୃତି ନୁହେଁ । ପୀଡିତାକୁ ନୀଚ ଦେଖାଇବାକୁ ଚେଷ୍ଟା କରାଯାଉଛି । ଆଇନ ମନ୍ତ୍ରୀ ହାସ୍ୟାସ୍ପଦ ଟିପ୍ପଣୀ ନ ଦିଅନ୍ତୁ । ଯାଦୁଆ କିଏ, ମଲମ କିଏ ବିକୁଛି, ଆଇନ ମନ୍ତ୍ରୀ କୁହନ୍ତୁ । ଭିଡିଓ ଭାଇରାଲ କରିବା ଘଟଣାରେ ପୋଲିସ କାହିଁକି ଚୁପ ।"
ବିଜେଡି ସରକାରରେ ନାରୀ ଅତ୍ୟାଚାର ଗଣତି ହୋଇପାରିବ ନାହିଁ :
ସେପେଟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "୨୪ ବର୍ଷର ସରକାରରେ ବିଜେଡି ନାରୀ ଅତ୍ୟାଚାରର ଅନେକ ଘଟଣା ଘଟେଇଛନ୍ତି । ଇତିଶ୍ରୀଙ୍କଠୁ ନେଇ ମମିତା ମେହେର ପର୍ଯ୍ୟନ୍ତ ଅନେକ ଘଟଣା ଘଟି ସାରିଛି । ଏହାର ଗଣତି ହୋଇପାରିବ ନାହିଁ । ପ୍ରତି ମାମଲାରେ ମିଛ କହି ସରକାର ଚାଲୁଥିଲେ । ଅପରାଧୀଙ୍କୁ ଘଣ୍ଟ ଘୋଡେଇବା ବ୍ୟବସ୍ଥା ବିଜେଡି ସରକାର କରିଥିଲେ । ମାହାଙ୍ଗା ମାମଲା ଏହାର ଉଦାହରଣ । ଏହି ଘଟଣାକୁ ନେଇ ବିରୋଧୀ ଦଳ ଯେଉଁ ଆଭିମୁଖ୍ୟ ଦେଖାଉଛନ୍ତି, ଶାସନ ବ୍ୟବସ୍ଥାରେ ଥିବା ସମୟରେ ଏହା ସାମନ୍ୟତମ ଆନ୍ତରିକତା ଦେଖାଇଥିଲେ ଅନେକ ସମସ୍ୟା ସମାଧାନ ହୋଇପାରିଥାନ୍ତା । କିନ୍ତୁ ସେ କଥା ନକରି ଏବେ ରାଜନୈତିକ ରୋଟି ସେକିବା ଲାଗି ବ୍ୟବସ୍ଥା କରୁଛନ୍ତି । ଓଡିଶାବାସୀ ବିଜେଡିର କୁମ୍ଭୀର କାନ୍ଦଣା, ଚରିତ୍ର ଓ ଚାଲି ଚଳଣ ଜାଣିଛନ୍ତି । ମହିଳା ନିର୍ଯାତନା କିମ୍ବା ଆଇନ ଶୃଙ୍ଖଳା ବାବଦରେ କିଛିବି ବିଜେଡି ନେତା କହିବାକୁ ଲୋକେ ଦେଖି ହସୁଛନ୍ତି । ହାସ୍ୟାସ୍ପଦ ଭାବୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର