ହାଇଦ୍ରାବାଦ: ଫେବୃଆରୀ ୧ ତାରିଖରେ ୨୦୨୫-୨୦୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଜେପି ନେତୃତ୍ବାଧୀନ NDA ସରକାର ୩.୦ରେ ଦ୍ବିତୀୟ ଥର ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ନିର୍ମଳା । ଏହାସହ ଏହା ହେବ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ଅଷ୍ଟମ ବଜେଟ ଉପସ୍ଥାପନ । କେନ୍ଦ୍ର ବଜେଟକୁ ସମସ୍ତଙ୍କ ଅପେକ୍ଷା ରହିଥିବା ବେଳେ, ଓଡ଼ିଶାର ରହିଛି ପୂରା ନଜର ।
କେନ୍ଦ୍ରରେ ବିଜେପି ସରକାର । ଓଡ଼ିଶାରେ ମଧ୍ୟ କ୍ଷମତାରେ ବିଜେପି । ତେଣୁ ଡବଲ ଇଞ୍ଜିନ ସରକାରଙ୍କ ବଜେଟରେ ଓଡ଼ିଶା ଭାଗରେ କେତେ ପଡ଼ିବ ? ବିଶେଷ କରି ରେଳବାଇ କ୍ଷେତ୍ରରେ ଚଳିତ ବଜେଟରେ ଓଡ଼ିଶାକୁ କେତେ ଅର୍ଥ ମିଳିବ ? ପୂର୍ବ ବଜେଟ ତୁଳାନାରେ ଓଡ଼ିଶାକୁ ରେଲୱେରେ କେତେ ଅଧିକ ପାଣ୍ଠି ଆବଣ୍ଟନ କରାଯିବ ? ଏଥର ଓଡ଼ିଶାକୁ ମିଳିବ କି କିଛି ନୂଆ ରେଳବାଇ ପ୍ରକଳ୍ପ ? ଓଡ଼ିଶାରେ ରେଳବାଇର ସଂପ୍ରସାରଣ ଏବଂ ଚାଲିଥିବା ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ କରିବା ପାଇଁ ଅଧିକ ଅର୍ଥ ଆବଣ୍ଟନ ହେବ କି ? କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡ଼ିଶା ପାଇଁ ରେଲୱେ ପ୍ୟାକେଜ ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।
କେବେ ବନ୍ଦ ହେଲା ସ୍ବତନ୍ତ୍ର ରେଳ ବଜେଟ ?
ପୂର୍ବରୁ ରେଳ ବଜେଟ ପୃଥକ ଭାବେ ଉପସ୍ଥାପନ କରାଯାଉଥିଲା । ୨୦୧୬-୨୦୧୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ରେଳ ମନ୍ତ୍ରୀ, ରେଳ ବଜେଟ ଉପସ୍ଥାପନ କରି ଆସୁଥିଲେ । ତେବେ ୨୦୧୭-୨୦୧୮ ଆର୍ଥିକ ବର୍ଷଠାରୁ ଏଥିରେ ପରିବର୍ତ୍ତନ କରାଯାଇଥିଲା । ୨୦୧୭-୨୦୧୮ରେ ତତକାଳୀନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ । ଯେଉଁଥିରେ ରେଳ ବଜେଟ ଅନ୍ୟତମ ଅଂଶ ଭାବେ ରହିଥିଲା । ସେବେଠାରୁ ରେଳ ବଜେଟକୁ ସାଧାରଣ ବଜେଟରେ ଅନ୍ତର୍ଭୁକ୍ତ କରାଯାଇଛି ।
ଓଡ଼ିଶା ଭାଗରେ ରେଳ ବଜେଟ:
ରେଳ ବଜେଟରେ ଓଡ଼ିଶା । କେଉଁବର୍ଷ ଓଡ଼ିଶାକୁ କେତେ ଅର୍ଥ ମିଳିଥିଲା ? ତଥ୍ୟ ଅନୁସାରେ ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ମିଳିଥିଲା । ତେବେ ୨୦୧୪ରୁ ୨୦୧୯ ମଧ୍ୟରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ପୂର୍ବ ଅପେକ୍ଷା ଅଧିକ ଅର୍ଥ ଆବଣ୍ଟନ କରାଯାଇତିଲା । ୨୦୧୪-୨୦୧୯ ସମୟ ମଧ୍ୟରେ ଓଡ଼ିଶାକୁ ବର୍ଷକୁ ହାରାହାରି ୪,୧୨୬ ଟଙ୍କା ରେଳବାଇ କ୍ଷେତ୍ରରେ ପ୍ରଦାନ କରାଯାଇଥିଲା । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷକୁ ହାରାହାରି ୫୩ କିଲୋମିଟର ନୂଆ ରେଳ ଲାଇନ ( Railway Track) ପ୍ରକଳ୍ପ ଦିଆଯାଉଥିଲା । ଅନ୍ୟପକ୍ଷରେ ୨୦୧୪ରୁ ୨୦୨୪ ମଧ୍ୟରେ ଓଡ଼ିଶାରେ ନୂଆ ରେଳ ଲାଇନ ବର୍ଷକୁ ହାରାରାହି ୧୮୩ କିଲୋମିଟର ରହିଛି ।
|
ଓଡ଼ିଶା ପାଇଁ ରେଳବାଇ ବଜେଟ: କେଉଁ ବର୍ଷ କେତେ ଆବଣ୍ଟନ ?
ଏବେ ଜାଣିବା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଓଡି଼ଶାକୁ ରେଳବାଇ କ୍ଷେତ୍ରରେ କେତେ ଟଙ୍କା ମିଳିଥିଲା ।
|
![The budget For The Railway Sector In Odisha](https://etvbharatimages.akamaized.net/etvbharat/prod-images/31-01-2025/23441597_1.png)
|
![The budget For The Railway Sector In Odisha](https://etvbharatimages.akamaized.net/etvbharat/prod-images/31-01-2025/23441597_2.png)
କେବେ ସରିବ ଏସବୁ ରେଳ ପ୍ରକଳ୍ପ ?
୧- ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ: ଏହି ପ୍ରକଳ୍ପର ମୂଳ ବ୍ୟୟ ବରାଦ ଥିଲା ୨୯୨୩.୧୩ କୋଟି ଟଙ୍କା । ତେବେ ଜମି ଅଧିଗ୍ରହଣ ସମେତ ବିଭିନ୍ନ କାରଣରୁ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି । ୧୯୯୪ରେ ଏହି ପ୍ରକଳ୍ପ ଅନୁମୋଦନ ଲାଭ କରିଥିବା ବେଳେ ମୂଳ DOC ବା କାର୍ଯ୍ୟ ଶେଷ ପାଇଁ ୨୦୦୯ ମାର୍ଚ୍ଚ ଧାର୍ଯ୍ୟ କରାଯାଇଥିଲା । ମାତ୍ର ନିର୍ଦ୍ଧାରିତ ସମୟ ସୀମାଠାରୁ ୨୧୩ ମାସ ଅତିକ୍ରମ କରିସାରି ଥିବାବେଳେ, ୨୦୨୬ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ମୋଟ ଦୈର୍ଘ୍ୟ ୩୦୧ କିଲୋମିଟର ହୋଇଥିବା ବେଳେ, ପାଖାପାଖି ୨୦୦ କିଲୋମିଟର ରେଳ ଲାଇନ କାର୍ଯ୍ୟ ସହ ବିଭିନ୍ନ ସୁଡ଼ଙ୍ଗ(ଟନେଲ) କାର୍ଯ୍ୟ ଶେଷ ହୋଇଥିବା ସୂଚନା ରହିଛି । ୨- ତାଳଚେର-ବିମଳାଗଡ଼ ରେଳପଥ: ଏହି ପ୍ରକଳ୍ପ ପାଇଁ ୮୧୦.୭୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ୨୦୨୧ ମସିହାରେ ସଂପୂର୍ଣ୍ଣ ହେବାର ଥିଲା । ଏହାରି ଭିତରେ ନିର୍ଦ୍ଧାରିତ ସମୟଠାରୁ ୫୭ ମାସ ଅଧିକ ସମୟ ନେଇ ସାରିଥିବା ବେଳେ, ୨୦୨୬ ମାର୍ଚ୍ଚ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରେଳବାଇ କର୍ତ୍ତୃପକ୍ଷ । ୩- ଭଦ୍ରକ-ନିରଗୁଣ୍ଡି ତୃତୀୟ ଲାଇନ: ୮୪୩.୦୪ କୋଟି ଟଙ୍କାର ଏହି ରେଳବାଇ ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ୬୦ ମାସ ବିଳମ୍ବ ହୋଇଛି । ୨୦୨୦ ଅକ୍ଟୋବରରେ ଶେଷ ହେବାକୁ ଥିବା ଏହି ତୃତୀୟ ଲାଇନ କାମ ୨୦୨୫ ଅକ୍ଟୋବର ଶେଷ ହେବାର ସମ୍ଭାବନା ରହିଛି । ୪- କୋରାପୁଟ-ସିଙ୍ଗାପୁର ରୋଡ ଡବଲ ଲାଇନ: ୨୦୨୨ ମାର୍ଚ୍ଚରେ ଶେଷ ହେବାକୁ ଥିବା ଏହି ଡବଲ ଲାଇନ ରେଳ ପ୍ରକଳ୍ପ ପାଇଁ ୨୩୬୧.୭୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ମାତ୍ର ଏହା ୪୮ ମାସ ଡେରି ହୋଇ ସାରିଥିବା ବେଳେ, ୨୦୨୬ ମାର୍ଚ୍ଚରେ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ୫- ଜରପଡ଼ା-ବୁଢ଼ାପଙ୍କ ଫ୍ଲାଏ ଓଭର ତାଳଚେର ରୋଡ ତୃତୀୟ ଓ ଚତୁର୍ଥ ଲାଇନ: ଏହି ପ୍ରକଳ୍ପ ପାଇଁ ୭୦୧.୬୧ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିଲା । ମାତ୍ର ଏହା ୯୩ ମାସ ବିଳମ୍ବ ହୋଇ ସାରିଛି । ୨୦୧୮ ନଭେମ୍ବରରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ୨୦୨୬ ନଭେମ୍ବରରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୬-ବୁଢ଼ାପଙ୍କ-ସାଲେଗାଁଓ ଭାୟା ରଜତଗଡ଼ ତୃତୀୟ ଏବଂ ଚତୁର୍ଥ ଲାଇନ: ୨୦୧୮ ଡିସେମ୍ବରରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୧୭୨.୯୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ଏଥିରେ ୭୯ ମାସ ବିଳମ୍ବ ହୋଇ ସାରିଥିବା ବେଳେ, ନୂଆ ସମୟ ସୀମା ୨୦୨୫ ଜୁଲାଇ ମାସ ଧାର୍ଯ୍ୟ କରାଯାଇଛି । ୭- ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ: ୨୩୩୫.୬୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ରେଳବାଇ ପ୍ରକଳ୍ପ ୨୪ ମାସ ବିଳମ୍ବ ହୋଇଛି । ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ, ଡେଡ ଲାଇନ ୨୦୨୬ ଡିସେମ୍ବର ଧାର୍ଯ୍ୟ କରାଯାଇଛି । ୮- MCRL ପାଇଁ କୋଇଲା ପରିବହନ ସଂପର୍କିତ ରେଳ ପ୍ରକଳ୍ପ : ୫୨୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ୨୦୨୦ ମାର୍ଚ୍ଚରେ ଶେଷ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଏହା ୬୯ ମାସ ବିଳମ୍ବ ହୋଇଥିବା ବେଳେ, ୨୦୨୫ ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବା ନେଇ ସମୟ ଧାର୍ଯ୍ୟ କରାଯାଇଛି ।
|
![The budget For The Railway Sector In Odisha](https://etvbharatimages.akamaized.net/etvbharat/prod-images/31-01-2025/23441597_3.png)
କେଉଁସବୁ ରେଳବାଇ ପ୍ରକଳ୍ପରେ ବଢ଼ିଛି ବ୍ୟୟ ଅଟକଳ ?
୧-ତାଳଚେର-ବିମଳାଗଡ଼ : ୨୦୦୫ ଏପ୍ରିଲରେ ଅନୁମୋଦିତ ଏହି ପ୍ରକଳ୍ପ ପାଇଁ ୮୧୦.୭୮ ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ, ବର୍ତ୍ତମାନ ଏହାର ଖର୍ଚ୍ଚ ୧୧୧୭.୨୯ କୋଟି ଟଙ୍କା ଅଧିକ ବୃଦ୍ଧି ପାଇଛି । ୨- ଜରପଡ଼ା-ବୁଢ଼ାପଙ୍କ: ୨୦୧୫ ଏପ୍ରିଲରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ବ୍ୟୟ ବରାଦ ୭୦୧.୬୧ କୋଟି ଟଙ୍କା ଥିବା ବେଳେ, ୧୦୮.୪୧ କୋଟି ଅତିରିକ୍ତ ଖର୍ଚ୍ଚ ହେବାର ରହିଛି । ୩- ତାଳଚେର-ଅନୁଗୋଳ ପ୍ରକଳ୍ପ: ୨୦୧୮ ଜୁଲାଇରେ ଅନୁମୋଦିତ ଏହି ପ୍ରକଳ୍ପ ପାଇଁ ପ୍ରଥମେ ୨୭୮.୯୮ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଅଧିକ ୨୧୫.୧୬ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ୪- ଜୟପୁର-ନବରଙ୍ଗପୁର ନୂଆ ରେଳ ଲାଇନ: ୨୦୧୭ ଜୁଲାଇରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ୪୯୯.୯୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ, ପରବର୍ତ୍ତୀ ସମୟରେ ୨୪୭.୯୨ କୋଟି ଅଧିକ ପାଣ୍ଠି ପ୍ରଦାନ କରାଯାଇଛି । ୫- ବାଘୁଆପାଳ ଫ୍ଲାଏ ଓଭର: ୨୦୧୯ ଅଗଷ୍ଟରେ ଅନୁମୋଦନ ଲାଭ କରିଥିବା ଏହି ପ୍ରକଳ୍ପ ପାଇଁ ସେତେବେଳେ ୧୮୩ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ପରବର୍ତ୍ତୀ ସମୟରେ ଅଧିକ ୭୪.୯୭ କୋଟି ଅତିରିକ୍ତ ବ୍ୟୟ ବରାଦ କରାଯାଇଛି । ୬- ଭଦ୍ରକ-ନିରଗୁଣ୍ଡି ତୃତୀୟ ଲାଇନ: ୨୦୧୩ ମାର୍ଚ୍ଚରେ ଏହି ପ୍ରକଳ୍ପ ପାଇଁ ୮୪୩.୦୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ପରେ ଏଥିପାଇଁ ଅତିରିକ୍ତ ୪୪୧.୦୪ କୋଟି ପ୍ରଦାନ କରାଯାଇଛି । ୭-ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ: ୧୯୯୧ ମସିହାରେ ୨୩୩୫.୬୭ କୋଟି ଟଙ୍କା ବ୍ୟୟ ଅଟକଳ ସହ ଆରମ୍ଭ ହୋଇଥିଲା ଏହି ରେଳବାଇ ପ୍ରକଳ୍ପ । ପରେ ଆହୁରି ୨୪୬୭.୪୯ କୋଟି ଅତିରିକ୍ତ ପାଣ୍ଠି ପ୍ରଦାନ କରାଯାଇଛି । ୮-ବୁଢ଼ାପଙ୍କ-ସାଲେଗାଓଁ ଭାୟା ରଜତଗଡ଼ ତୃତୀୟ ଏବଂ ଚତୁର୍ଥ ଲାଇନ: ଏହି ପ୍ରକଳ୍ପ ୨୦୧୫ରେ ଆରମ୍ଭ ହୋଇଥିବା ବେଳେ, ଏଥିପାଇଁ ୧୧୭୨.୯୨ କୋଟି ମଞ୍ଜୁର ହୋଇଥିଲା । ପରେ ୮୪୯.୮୩ କୋଟି ଅତିରିକ୍ତ ଅର୍ଥ ପ୍ରଦାନ କରାଯାଇଛି । ୯- ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ : ୧୯୯୪ ମସିହାରେ ଅନୁମୋଦିତ ଏହି ରେଳ ପ୍ରକଳ୍ପ ପାଇଁ ପ୍ରଥମେ ୨୯୨୩.୧୩ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଅତିରିକ୍ତ ୨୧୬୬.୨୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ୧୦- ବୃନ୍ଦାମାଳ-ଝାରସୁଗୁଡ଼ା ଫ୍ଲାଏ ଓଭର: ୨୦୦୯ ଡିସେମ୍ବରରେ ୪୮.୪୪ କୋଟି ଟଙ୍କା ବ୍ୟୟ ବରାଦରେ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ । ପରେ ଏଥିପାଇଁ ଅତିରିକ୍ତ ୨୪୮.୫୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ୧୧- ରାଉରକେଲା-ବଣ୍ଡମୁଣ୍ଡା ଏ କ୍ୟାବିନ ପଞ୍ଚମ ଲାଇନ: ୨୦୨୨ରେ ଏହି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଥିଲା । ଆରମ୍ଭରେ ଏଥିପାଇଁ ୨୦୯.୭୫ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ, ପରେ ଅତିରିକ୍ତ ୩୫.୨୪ କୋଟି ଟଙ୍କା ଦିଆଯାଇଥିଲା । |
![Indian Railway](https://etvbharatimages.akamaized.net/etvbharat/prod-images/31-01-2025/23441597_railway_train.jpeg)
ଓଡ଼ିଶାରେ ପ୍ରମୁଖ ରେଳ ପ୍ରକଳ୍ପ :
1: ୨୦୨୫ ଜାନୁଆରୀ ୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ରାୟଗଡ଼ା ରେଳ ଡିଭିଜନ'ର ଭିତ୍ତି ପ୍ରସ୍ତର ପକାଇଥିଲେ । ଏହା ପୂର୍ବରୁ ପୂର୍ବତଟ ରେଳବାଇ (East Coast Railway) ଅଧିନରେ ଆସୁଥିବା ବେଳେ, ଏବେ ରାୟଗଡ଼ା ନୂଆ ରେଳବାଇ ଡିଭିଜନ ମାନ୍ୟତା ପାଇଛି । 2: ୨୦୨୪ ଡିସେମ୍ବର ୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ୬ଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାନପନ କରିଥିଲେ । ଏଥିରେ ରହିଛି ତିନିଟି ନୂଆ ରେଳ ଲାଇନ ପ୍ରକଳ୍ପ । ସେଗୁଡ଼ିକ ହେଲା, ୧-ବାଙ୍ଗିରିପୋଷି-ଗୋରୁମହିଷାଣୀ ପ୍ରକଳ୍ପ, ୨- ବୁରାମରା-ଚକୁଳିଆ ଏବଂ ୩- ବାଦାମପାହାଡ଼-କେନ୍ଦୁଝର ଗଡ଼ ରେଳ ଲାଇନ । 3: ୨୦୨୪ ସେପ୍ଟେମ୍ବର ୧୭: ଓଡ଼ିଶାରେ ୪ଟି ରେଲବାଇ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ୨୮୭୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । 4: ୨୦୨୪ ସେପ୍ଟେମ୍ବର ୧୫: ଓଡ଼ିଶା ପାଇଁ ୩ଟି ନୂଆ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଗୁଡ଼ିକ ହେଲା, ୧- ବ୍ରହ୍ମପୁର-ଟାଟାନଗର, ୨-ରାଉରକେଲା- ହାୱଡ଼ା ଏବଂ ୩- ରାୟପୁର- ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ । 5: ୨୦୨୪ ଅଗଷ୍ଟ ୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟି, ରେଳ ମନ୍ତ୍ରଣାଳୟର ୮ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୪,୬୫୭ କୋଟି ଟଙ୍କା । କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ଏସବୁ ପ୍ରମୁଖ ରେଳ ଲାଇନ ଲାଇନ ପ୍ରକଳ୍ପ ମଧ୍ୟରେ ରହିଛି, ଗୁଣୁପୁର-ଥିରୁବାଲି (ନୂଆ ରେଳ ଲାଇନ), ଜୁନାଗଡ଼-ନବରଙ୍ଗପୁର, ବାଦାମପାହାଡ଼-କେନ୍ଦୁଝରଗଡ଼, ବାଙ୍ଗିରିପୋଷି-ଗୋରୁମାହିଷାଣି , ମାଲକାନଗିରି- ପାଣ୍ଡୁରଙ୍ଗାପୁରମ (ଭାୟା- ଭଦ୍ରାଚଳମ) , ବୁରାମରା-ଚକୁଳିଆ, ଜାଲନା-ଜଳଗାଓଁ ଏବଂ ବିକ୍ରମଶୀଳା-କଟାରିୟା ରେଳ ପ୍ରକଳ୍ପ । 6: ୨୦୨୩ ସେପ୍ଟେମ୍ବର ୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ ପୁରୀରୁ ରାଉରକେଲା ମଧ୍ୟ ଯାତାୟତ କରୁଛି । 7: ୨୦୨୩ ମେ ୧୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୁରୀ ଏବଂ ପଶ୍ଟିମବଙ୍ଗର ହାୱଡ଼ା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ । |
![The budget For The Railway Sector In Odisha](https://etvbharatimages.akamaized.net/etvbharat/prod-images/31-01-2025/23441597_4.png)
ଓଡ଼ିଶାରେ ରେଳ ଷ୍ଟେସନ ଉନ୍ନତିକରଣ:
ଓଡ଼ିଶାରେ ରେଳ ଲାଇନ ସଂପ୍ରସାରଣ ସହିତ ରେଳ ଷ୍ଟେସନଗୁଡ଼ିକର ଉନ୍ନତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଅମ୍ରିତ ଭାରତ ଷ୍ଟେସନ ଯୋଜନା (Amrit Bharat Station Scheme) ଅଧିନରେ ଓଡ଼ିଶାର ୫୯ଟି ଷ୍ଟେସନକୁ ଚିହ୍ନଟ କରାଯାଇଛି । ଏସବୁର ବିକାଶ କରିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଯୋଜନା ମଧ୍ୟ କରାଯାଇଛି । ସେସବୁ ରେଳ ଷ୍ଟେସନ ହେଲା-
ଅନୁଗୋଳ, ବାଦାମପାହାଡ଼, ବଲାଙ୍ଗୀର, ବାଲେଶ୍ବର, ବାଲୁଗାଁ , ବଡ଼ବିଲ, ବରଗଡ଼ ରୋଡ, ବାରିପଦା, ବରପାଲି, ବେଲପାହାଡ଼, ବେତନଟି, ଭଦ୍ରକ, ଭବନୀପାଟଣା, ଭୁବନେଶ୍ୱର, ବିମଲାଗଡ, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡ଼ି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର, ହିମଗିରି, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ, ଜଳେଶ୍ୱର, ଜାରୋଲି, ଜୟପୁର, ଝାରସୁଗୁଡା, ଝାରସୁଗୁଡ଼ା ରୋଡ, କଣ୍ଟାବାଞ୍ଜି, କେନ୍ଦୁଝରଗଡ଼, କେସିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ, କୋରାପୁଟ, ଲିଙ୍ଗରାଜ ଟେମ୍ପୁଲ ରୋଡ, ମଞ୍ଚେଶ୍ବର, ମେରାମଣ୍ଡଳୀ, ମୁନିଗୁଡ଼ା, ନୂଆ ଭୁବନେଶ୍ବର, ପାନପୋଷ, ପାରାଦ୍ବୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡା, ରାଉରକେଲା, ସାକ୍ଷିଗୋପାଳ, ସମ୍ବଲପୁର, ସମ୍ବଲପୁର ସହର, ସୋରୋ, ତାଳଚର, ତାଲଚର ରୋଡ ଏବଂ ଟିଟଲାଗଡ଼ ଜଙ୍ଗସନ । |
![Khurda Road Balangir Railway Line](https://etvbharatimages.akamaized.net/etvbharat/prod-images/31-01-2025/23441597_khordha_balangir.jpg)
ଓଡ଼ିଶାରେ ରେଳ ଷ୍ଟେସନ ପୁନଃବିକାଶ ପ୍ରକଳ୍ପ:
1: ପୁରୀ ରେଲୱେ ଷ୍ଟେସନ: ପୁରୀ ରେଳ ଷ୍ଟେସନ କାର୍ଯ୍ୟ ଜୁଲାଇ 2025 ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପର ଅନୁମୋଦିତ ମୂଲ୍ୟ ହେଉଛି 161.51 କୋଟି ଟଙ୍କା । 2: ସମ୍ବଲପୁର ରେଳ ଜଙ୍କସନ: ସମ୍ବଲପୁର ରେଳ ଜଙ୍କସନର ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ କ୍ଷେତ୍ର ହେଉଛି 300000 ରୁ 500000 ବର୍ଗଫୁଟ । ନିର୍ମାଣ କାର୍ଯ୍ୟ 2022 ରେ ଆରମ୍ଭ ହୋଇଥିବା ବେଳେ, 2025 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆନୁମାନିକ ପ୍ରକଳ୍ପ ମୂଲ୍ୟ ପ୍ରାୟ 100 କୋଟି ଟଙ୍କା । 3: ବ୍ରହ୍ମପୁର ରେଳ ଷ୍ଟେସନ: ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଏବଂ ଦକ୍ଷିଣ ଓଡ଼ିଶା ବଡ଼ ରେଳ ଷ୍ଟେସନ ବ୍ରହ୍ମପୁର ରେଳ ଷ୍ଟେସନ ଉନ୍ନତି କରଣର ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ କ୍ଷେତ୍ର ହେଉଛି 300000 ରୁ 500 000 ବର୍ଗଫୁଟ। ଏହାର ନିର୍ମାଣ କାର୍ଯ୍ୟ 2025 ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ପ୍ରକଳ୍ପର ଆନୁମାନିକ ମୂଲ୍ୟ ପ୍ରାୟ 100 କୋଟି ଟଙ୍କା । 4: ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ: ଏହାର ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ କ୍ଷେତ୍ର ହେଉଛି 300000ରୁ 500000 ବର୍ଗଫୁଟ । ନିର୍ମାଣ କାର୍ଯ୍ୟ 2025 ସୁଦ୍ଧା ଶେଷ ହେବାକୁ ଥିବା ବେଳେ, ଆନୁମାନିକ ପ୍ରକଳ୍ପ ମୂଲ୍ୟ ହେଉଛି 100 କୋଟି ଟଙ୍କା । 5: ରାୟଗଡ଼ା ରେଳ ଷ୍ଟେସନ: ଏହି ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ କ୍ଷେତ୍ର ହେଉଛି 300000 ରୁ 500000 ବର୍ଗଫୁଟ। ନିର୍ମାଣ କାର୍ଯ୍ୟ 2023 ମସିହାରେ ଆରମ୍ଭ ହୋଇଥିବା ବେଳେ, 2026 ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଏହାର ଆନୁମାନିକ ପ୍ରକଳ୍ପ ମୂଲ୍ୟ ପ୍ରାୟ 100 କୋଟି ଟଙ୍କା । |
![Khurda Road Balangir Railway Line Tunnel](https://etvbharatimages.akamaized.net/etvbharat/prod-images/31-01-2025/23441597_tunnel.jpg)
ରେଳ ସେବା କ୍ଷେତ୍ରରେ ଓଡ଼ିଶାର ଅପେକ୍ଷା:
କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏବଂ ଭାରତୀୟ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଓଡ଼ିଶାରେ ରେଳବାଇ ସେବାର ବିକାଶ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଶେଷ କରି ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ପାଇଁ ରେଳ ବଜେଟ ପରିମାଣ ବୃଦ୍ଧି ପାଇଛି । ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ଏବଂ ରାଜ୍ୟରେ ବିଜେପି ସରକାର ଆସିବା ପରେ, ଡବଲ ଇଞ୍ଜିନ ସରକାରର ଫୋକସ ଓଡ଼ିଶା ଉପରେ ରହିଛି । ଏହାସହ ବର୍ତ୍ତମାନର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଛନ୍ତି । ତେଣୁ ଚଳିତବର୍ଷ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ଗତବର୍ଷଠାରୁ ଅଧିକ ଅର୍ଥ ଆବଣ୍ଟନର ଅପେକ୍ଷା ଉଭୟ ରାଜ୍ୟ ସରକାର ଏବଂ ରାଜ୍ୟବାସୀଙ୍କର ରହିଛି ।
![Khurda Road Balangir Railway Line](https://etvbharatimages.akamaized.net/etvbharat/prod-images/31-01-2025/23441597_train_line.jpg)
References(Source):
https://pib.gov.in/PressReleasePage.aspx?PRID=1896176
RAJYA SABHA STARRED QUESTION NO.63 ANSWERED ON 03.12.2021 RAILWAY PROJECTS IN ODISHA
ସୌଜନ୍ୟ : RKC