ଭୁବନେଶ୍ବର: ଓଡି଼ଶାରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ । ନୂଆ ଦାୟିତ୍ବ ମିଳିବାର 5 ଦିନ ପରେ ସେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଲଲ୍ଲୁଙ୍କୁ ଦେଖି ଉତ୍ସାହୀ ହୋଇପଡିଛି କଂଗ୍ରେସ ଶିବିର । ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ସଂଗଠନକୁ ସୁଦୃଢ କରି ଦଳକୁ ଅଧିକ କ୍ରିୟାଶୀଳ କରିବାକୁ ଆହ୍ୱାନ ଦେଇଛନ୍ତି । ବିରୋଧୀ ଦଳ ଗୁଡିକୁ ଶାଣିତ ଆକ୍ରମଣ କରିବା ସହ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ ଭୁଲି ଦଳକୁ ସଶକ୍ତ କରି ଲଢେଇକୁ ଜୋରଦାର କରିବାକୁ କଂଗ୍ରେସ କର୍ମୀ ଓ ନେତାଙ୍କୁ ଅନୁରୋଧ କରିଛନ୍ତି ସେ । ସେପଟେ ନବ ନିଯୁକ୍ତ ପିସିସି ସଭାପତି ଭକ୍ତ ଦାସ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି ।
' ସଡକରୁ ସଦନ ପର୍ଯ୍ୟନ୍ତ ଲୋକଙ୍କ ସ୍ବର ବିନିବୁ'
ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ନୂତନ ପ୍ରଭାରୀ କହିଛନ୍ତି, ''ଜଗନ୍ନାଥଙ୍କ ଭୂମିକୁ ଆସି ମୁଁ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଉଛି । ଓଡି଼ଶା ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ପ୍ରଭାରୀ ଭାବରେ ଦାୟିତ୍ୱ ଦିଆଯାଇଥିବାରୁ ମୁଁ ରାହୁଲ ଗାନ୍ଧୀ ଏବଂ ଏଆଇସିସି ସଭାପତିଙ୍କୁ ଧନ୍ୟବାଦ ଜଣାଉଛି । ପିସିସି ସଭାପତି ଏବଂ ରାଜ୍ୟ କଂଗ୍ରେସ ବରିଷ୍ଠ ନେତାଙ୍କୁ ନେଇ ରାଜ୍ୟ କଂଗ୍ରେସକୁ ମଜବୁତ କରିବା ସହ ରାଜ୍ୟର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବୁ । ସଂଗଠନକୁ ମଜବୁତ କରିବା ପାଇଁ ଯେଉଁବି କାର୍ଯ୍ୟ କରିବାକୁ ପଡିବ ସମସ୍ତ ବିଧାୟକ, ବରିଷ୍ଠ ନେତା, ଜିଲ୍ଲା ଅଧ୍ୟକ୍ଷ ସମସ୍ତଙ୍କ ସହ କଥା ହୋଇ କାମ କରିବୁ । ଲୋକଙ୍କ ଭାବନାକୁ ସମ୍ମାନ କରିବୁ, ସଡକରୁ ସଦନ ପର୍ଯ୍ୟନ୍ତ ଲୋକଙ୍କ ସ୍ବର ବିନିବୁ, ସେମାନଙ୍କ ଦାବି ଉଠାଇବୁ । ସେମାନଙ୍କ ସହ ସମ୍ପର୍କ, ସମ୍ବାଦ ଓ ସଂଘର୍ଷ ମାଧ୍ୟମରେ ସେମାନଙ୍କ ପାଇଁ ନିରନ୍ତର କାମ କରିବୁ । ''