ଦେବଗଡ:ଗ୍ରୀଷ୍ମ ଋତୁ ଆରମ୍ଭରୁ ଦେଖାଦେଲାଣି ଜଳକଷ୍ଟ । ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଲେଣି ଗ୍ରାମବାସୀ । ଲୋକଙ୍କୁ ପାଇପ ଜଳ ଯୋଗାଇବା ଲକ୍ଷ୍ୟରେ ତିନି ବର୍ଷ ହେଲା ଗାଁରେ ପାଇପ ଓ ଷ୍ଟାଣ୍ଡପୋଷ୍ଟ ବିଛାଯାଇଛି ହେଲେ ଏଥିରେ ଆସୁନି ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରମ୍ଭେଇ ପଞ୍ଚାୟତର ଶିରୋଡ଼ିହି ଗ୍ରାମରେ ।
ତେବେ ଜିଲ୍ଲାର ବାରକୋଟ ବ୍ଲକ ରମ୍ଭେଇ ପଞ୍ଚାୟତର ଶିରୋଡ଼ିହି ଗ୍ରାମରେ ବସବାସ କରନ୍ତି 30ରୁ ଊର୍ଦ୍ଧ୍ବ ମୁଣ୍ଡା ଆଦିବାସୀ ପରିବାର । ଏହି ପରିବାରଙ୍କୁ ପାଇପ ପାନୀୟ ଜଳ ଯୋଗାଇ ଦିଆଯିବା ନିମନ୍ତେ ଆଜକୁ ତିନି ବର୍ଷ ହେଲା ଜିଲ୍ଲା ଜଳ ଯୋଗାଣ ବିଭାଗ ପକ୍ଷରୁ ଗ୍ରାମରେ ପାଇପ ବିଛାଯାଇଛି । ଘରେ ଘରେ ଲଗାଯାଇଛି ମାଳ ମାଳ ଷ୍ଟାଣ୍ଡପୋଷ୍ଟ । ମାତ୍ର ବିଡମ୍ବନା ଯେ ତିନି ବର୍ଷ ହେଲା ଗ୍ରାମବାସୀ ଜଳ ମୁନ୍ଦାଏ ପାଇଁ ଗାଁରେ ଲଗାଯାଇଥିବା ଷ୍ଟାଣ୍ଡପୋଷ୍ଟଗୁଡିକୁ ଚାତକ ଭଳି ଚାହିଁ ରହିଛନ୍ତି । ହେଲେ ଷ୍ଟାଣ୍ଡପୋଷ୍ଟରେ ଜଳ ଆସୁନି । ସେସବୁ କେବଳ ଲୋକଙ୍କୁ ଦେଖାଇବା ପାଇଁ ଲଗାଯାଇଥିବା ଅନୁମେୟ ହୋଇଛି ।
ସେହିପରି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ସକାଶେ ଗ୍ରାମରେ ରହିଥିବା ଦୁଇଟି ନଳକୂପ ଦୀର୍ଘ ସମୟ ହେଲା ଅଚଳ ହୋଇ ପଡ଼ିଥିବା ବେଳେ, ସେଥିରୁ ପିଇବା ଉପଯୋଗୀ ପାଣି ଆଉ ବାହାରୁନାହିଁ । ନଳକୂପରୁ କିଛି ସମୟ ପରେ କାଦୁଅ ମିଶ୍ରିତ ଦୂଷିତ ପାଣି ବାହାରୁଥିବାରୁ ଏହି ପାଣିକୁ ବାଧ୍ୟ ହୋଇ ଲୋକେ ବ୍ୟବହାର କରି ନାନାଦି ରୋଗବ୍ୟାଧିରେ ପଡୁଛନ୍ତି ।