ବ୍ରହ୍ମପୁର: ଦିନକ ପରେ ଆଲୋକର ପର୍ବ ଦୀପାବଳି । ଏହାକୁ ନେଇ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ବାଣ ଦୋକାନରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ହେଲେ ବାଣ ଫୁଟାଇବା ଦ୍ୱାରା ଦେଖାଯାଉଥିବା ବାୟୁ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଏବେ ସବୁଠି ଚିନ୍ତା । ଏଭଳି ସମୟରେ ସବୁଜ ଦୀପାବଳି ପାଳନର ବାର୍ତ୍ତା ନେଇ ସବୁଠି ଚାଲିଛି ସଚେତନତା । ଗୋଟିଏ ପଟେ ନ୍ୟାୟାଳୟର ନିର୍ଦ୍ଦେଶନାମା ଏବଂ ଅନ୍ୟପଟେ ସରକାରଙ୍କ କଡ଼ା ଚେତାବନୀ ପରେ ବାଣ ବିକ୍ରିରେ ରହିଛି ଅନେକ କଟକଣା । ଦୀପାବଳି ପାଳନ ପୂର୍ବରୁ ବ୍ରହ୍ମପୁର ସହର ଉପକଣ୍ଠ ଡେଙ୍ଗାପଦର ଓ ଲାଠି ଭଳି ସ୍ଥାନରେ ସ୍ବତନ୍ତ୍ର ଭାବରେ ଖୋଲାଯାଇଛି ବାଣ ବଜାର ।
ବ୍ରହ୍ମପୁରରେ କିଭଳି ଚାଲିଛି ବାଣ ବ୍ୟବସାୟ ?:
ଆଲୋକର ପର୍ବ ଦୀପାବଳୀ ପାଳନ କରିବା ପାଇଁ ଲୋକେ ବାଣ କ୍ରୟ କରିଥାନ୍ତି । ହେଲେ ସରକାରଙ୍କ କଟକଣା ଯୋଗୁଁ ବର୍ତ୍ତମାନ ଗତ କିଛି ବର୍ଷ ଧରି ବଜାରରେ ଅଧିକ ଶବ୍ଦ ବା ଅଧିକ ଧୂଆଁ ହେଉଥିବା ବାଣ ବିକ୍ରି ଉପରେ କଟକଣା ଲଗାଯାଇଛି । ସବୁଜ ଦୀପାବଳି ପାଇଁ ରହିଥିବା ଗାଇଡ ଲାଇନକୁ ଭିତ୍ତିକରି ବାଣ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କ ଷ୍ଟାଣ୍ଡାର୍ଡ ବାଣ ଗୁଡ଼ିକୁ ବଜାରରେ ବିକ୍ରି କରାଯାଉଥିବା କହିଛନ୍ତି ବ୍ୟବସାୟୀ ।
କିଭଳି ରହିଛି ଦର:
ବ୍ରହ୍ମପୁର ସହର ଉପକଣ୍ଠ ଡେଙ୍ଗାପଦରଠାରେ ସ୍ବତନ୍ତ୍ର ଭାବରେ ଖୋଲାଯାଇଥିବା ବାଣ ବଜାରର ବ୍ୟବସାୟୀ ସୌରଭ ସାହୁ କହିଛନ୍ତି," କେନ୍ଦ୍ର ସରକାରଙ୍କର ରହିଥିବା ନିୟମ ମୁତାବକ ବ୍ରହ୍ମପୁର ସହରରୁ ୧୨ କିଲୋମିଟର ଦୂରରେ ବାଣ ବଜାର ଖୋଳାଯାଇଛି । ଏଠାରେ ୮ଟି ଷ୍ଟଲ ଖୋଲାଯାଇ ଥିବାବେଳେ ୭ଟି ଗୋଦାମରେ ବାଣ ମହଜୁଦ ରଖାଯାଇଛି । ଚଳିତ ବର୍ଷ ଦୀପାବଳି ପୂର୍ବରୁ ପାଗ ଅନୂକୁଳ ରହିଥିବା ଯୋଗୁଁ ଭଲ ବ୍ୟବସାୟ ହେଉଛି । ମୁଖ୍ୟତଃ ଏହି ସମସ୍ତ ବାଣ ଶିବକାଶି, ରାୟପୁର ,ଦିଲ୍ଲୀ ଓ ଅହମ୍ମଦାବାଦରୁ ଆସୁଛି । ସେପଟେ ବିଗତ ବର୍ଷ ମାନଙ୍କରେ ଯେଭଳି ବାଣର ଦର ରହିଥିଲା, ଚଳିତବର୍ଷ ମଧ୍ୟ ଅନୁରୂପ ଭାବରେ ଦର ରହିଛି ।"
ବାଣ ବଜାରରେ ସୁରକ୍ଷା ବ୍ୟବସ୍ଥା :
ପେସୋ ନିୟମ ଅନୁସାରେ ଗୋଟିଏ କାଉଣ୍ଟରରୁ ଅନ୍ୟ କାଉଣ୍ଟରର ଦୂରତ୍ବ ୧୫ ମିଟର ରହିଛି । ଅଗ୍ନି ନିର୍ବାପକ ଯନ୍ତ୍ର, ବାଲି ଏବଂ ପାଣି ଭଳି ସମସ୍ତ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟେକ ବ୍ୟବସାୟୀ ରଖିଥିବା ଦେଖାଯାଇଛି । ପୂର୍ବରୁ ଲୋକେ ଅଧିକ ଦେଶୀ ବାଣ ଫୁଟାଇବାକୁ ପସନ୍ଦ ରହୁଥିବାବେଳେ ତାହା ପରିବେଶ ପ୍ରଦୂଷଣ ଚିନ୍ତା ବଢାଉଥିଲା । ବର୍ତ୍ତମାନ ସବୁଜ ବାଣ ବିକ୍ରିକୁ ଅଧିକ ଗୁରୁତ୍ଵ ଦିଆଯାଉଛି ।
ଏପରି କହିଲେ ବ୍ୟବସାୟୀ :