କୋରାପୁଟ/ ପାରଳାଖେମୁଣ୍ଡି: ଦେଶରେ ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ରାଜନୈତିକ ଦଳଗୁଡିକର ହାଇଭୋଲଟେଜ୍ ପ୍ରଚାର ଜାରି ରହିଛି। ଆସନ୍ତା 13 ତାରିଖ ସୋମବାର ଦିନ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଯାହା ପାଇଁ ମତଦାନ ହେବାକୁ ଥିବା ଅଞ୍ଚଳର ଜିଲ୍ଲା ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅବାଧ ଓ ସୁରକ୍ଷିତ ମତଦାନ କରିବା ପାଇଁ କୋରାପୁଟ ଏବଂ ଗଜପତି ଜିଲ୍ଲାର ପକ୍ଷରୁ ନୋଡ଼ାଲ ସେଣ୍ଟରକୁ ଆଜି ଠାରୁ ପୋଲିଂ ଅଫିସିଆଲ ଏବଂ ସୁରକ୍ଷା ଅଧିକାରୀ ପହଞ୍ଚି ଯାଇଛନ୍ତି। ବିନା କୌଣସି ସମସ୍ୟାରେ ମତଦାନ କରାଇବା ପାଇଁ ନିର୍ବାଚନ ସମ୍ପର୍କିତ ସମସ୍ତ ଉପକରଣ ମଧ୍ୟ ପୋଲିଂ ବୁଥକୁ ପଠାଇ ଦିଆଯାଇଛି।
କୋରାପୁଟ ଜିଲ୍ଲାର 1159ଟି ପୋଲିଂ ବୁଥ ପାଇଁ ସମୁଦାୟ 6954 ଜଣ ପୋଲିଂ ଅଫିସିଆଲଙ୍କ ସମେତ 1159 ଜଣ ସୁରକ୍ଷା ଅଧିକାରୀ ଆଜି କୋରାପୁଟରୁ ବାହାରିଥିବା ଜିଲ୍ଲପାଳ ସୂଚନା ଦେଇଛନ୍ତି। କୋରାପୁଟର ଲାଣ୍ଡିଗୁଡା ସ୍ଥିତ ସରକାରୀ ଡିଏଭି ମହାବିଦ୍ୟାଳୟ ଠାରେ କୋରାପୁଟ, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାନସଭା ମଣ୍ଡଳୀର ନୋଡ଼ାଲ ସେଣ୍ଟର ରହିଛି। ପୋଲିଂ ଟିମଙ୍କ ସହିତ ଇଭିଏମ ଏବଂ ନିର୍ବାଚନ ସମ୍ପର୍କିତ ଅନ୍ୟାନ୍ୟ ଉପକରଣ ପଠାଇ ଦିଆଯାଇଛି । ସେହିପରି ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟରେ ଜୟପୁର ଓ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀର ନୋଡ଼ାଲ ସେଣ୍ଟର ରହିଥିବାରୁ ସେଠାକୁ ପୋଲିଂ ଟିମ କୁ ପଠାଯାଇଛି । ତେବେ କେବଳ ମହିଳାଙ୍କ ପାଇଁ ଜିଲ୍ଲାରେ 117 ଟି ସଖୀ ବୁଥ କରାଯାଇଥିବା ବେଳେ ମହିଳା ପୋଲିଂ ଅଧିକାରୀଙ୍କୁ ସେଠାକୁ ପଠାଇ ଦିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ବୁଥରେ ଗୁଡ଼ିକରେ ପୋଲିଂ ଅଫିସିଆଲ ପହଞ୍ଚିଯିବେ ବୋଲି କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।