କୋରାପୁଟ: ସାରା ଦେଶରେ ଚାଲିଛି ନିର୍ବାଚନୀ ତାତି । ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଏବେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏହିକ୍ରମରେ କୋରାପୁଟରେ ଏକ ଅଭିନବ ଉପାୟରେ ଲୋକଙ୍କୁ ନିର୍ବାଚନ ପାଇଁ ସଚେତନ କରାଯାଉଛି। ଆଜି ବିଶ୍ବ ଛେନାପୋଡ଼ ଦିବସ । ସେହି ଅବସରରେ କୋରାପୁଟ ଜିଲ୍ଲା ସଂସ୍କୃତି ପରିଷଦ ପ୍ରାଙ୍ଗଣରେ ଛେନାପୋଡ଼ ଦିବସ ପାଳନ ସାଙ୍ଗକୁ ଭୋଟରଙ୍କୁ ସଚେତନ କରାଯାଇଛି। ଏକ ରଙ୍ଗୋଲି ପ୍ରତିଯୋଗିତା ସାଙ୍ଗକୁ ଛେନାପୋଡ଼ ଖୁଆଇ କୋରାପୁଟ ଜିଲ୍ଳାପାଳ ଭି .କେ.ଭାସନ ଯୁବ ଭୋଟରଙ୍କ ମଧ୍ୟରେ ଭୋଟ ଦାନ ପାଇଁ ସଚେତନତା ସୃଷ୍ଟି କରିଛନ୍ତି।
କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଯୁବ ଭୋଟରଙ୍କ ମଧ୍ୟରେ ନିର୍ବାଚନ ପ୍ରକ୍ରିୟାର ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଇଭିଏମ ଓ ଭିଭିପାଟ ମେସିନର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନର ପ୍ରସାର ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କର୍ମଶାଳାର ଆୟୋଜନ ମଧ୍ୟ ହୋଇଯାଇଛି । ପ୍ରଥମ ଥର ପାଇଁ ଭୋଟ ଦେବା ପାଇଁ ବିବେଚିତ ହୋଇଥିବା କିଶୋର କିଶୋରୀ ଭୋଟର ମତ ରଖିଥିବା ବେଳେ ପ୍ରଥମ ଥର ଭୋଟ ଦେଉଥିବା ଯୁବ ଭୋଟର ଭାରତ ବର୍ଷରେ ଏକ ଉନ୍ନତ ମାନର ରାଜନୈତିକ ପରିବେଶ ସୃଷ୍ଟି ହେବା ନେଇ ଆଶା ବାନ୍ଧିଛନ୍ତି ।ତେବେ ଚଳିତବର୍ଷ ଜିଲ୍ଲାରେ ଅନେକ ନୂଆ ଭୋଟର ଯୋଡି ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।