ଢେଙ୍କାନାଳ:ହୋମ ନିଆଁଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହୋଇଥିଲେ । ସାରା ଜୀବନ ସାଥି ହୋଇ ରହିବାକୁ ଦେଇଥିଲେ ବଚନ । ହେଲେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ସବୁ ଭଲପାଇବାକୁ ମିଳାଇ ଦେଇଥିଲା । ସ୍ତ୍ରୀକୁ ହତ୍ୟା କରି କୂଅରେ ପିଙ୍ଗି ଦେଲା ନୃଶଂସ ସ୍ବାମୀ । ସେପଟେ ସ୍ତ୍ରୀକୁ ମଦ୍ୟପ ଲୋକଙ୍କ କବଳରୁ ବଞ୍ଚାଇବାକୁ ଯାଇ ଜୀବନ ହରାଇବାକୁ ପଡିଛି ସ୍ବାମୀ । ଚାଞ୍ଚଲ୍ୟ କରିଦେବା ଭଳି ଦୁଇଟି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ଗୋଟିଏ ପଟେ ସ୍ତ୍ରୀ ସାମ୍ନାରେ ସ୍ବାମୀକୁ ପଥରରେ ଛେଚି ହତ୍ୟା କରାଯାଇଥିବା ବେଳେ ଅନ୍ୟପଟେ ସ୍ତ୍ରୀକୁ ମାରି କୂଅକୁ ଫିଙ୍ଗି ଦେଇଛି ସ୍ବାମୀ ।
ସ୍ତ୍ରୀ ସାମ୍ନାରେ ସ୍ବାମୀଙ୍କୁ ହତ୍ୟା:
ସ୍ତ୍ରୀ ସମ୍ମୁଖରେ ସ୍ବାମୀକୁ ପଥରରେ ଛେଚି ହତ୍ୟା ଅଭିଯୋଗ । ମୃତକ ହେଲେ କଙ୍କଡାହାଡ ଥାନା ରୁପାବେଡା ଗ୍ରାମର ଗଗନ ନାୟକ । ସୂଚନା ମୁତାବକ ଗତକାଲି(ବୁଧବାର) ସନ୍ଧ୍ୟା ସମୟରେ ଗଗନ ଓ ତାଙ୍କ ସ୍ତ୍ରୀ କାମ ସାରି କଙ୍କଡାହାଡରୁ ଫେରୁଥିବାବେଳେ ସେହି ଗ୍ରାମର ଜୁଆଙ୍ଗ ସାହିର ୩ ଜଣ ଯୁବକ ତାଙ୍କ ସ୍ତ୍ରୀକୁ ଟଣାଓଟରା କରୁଥିଲେ । ଏଥିରେ ଗଗନ ବିରୋଧ କରିବାରୁ ତିନି ଯୁବକ ଗଗନକୁ ନିସ୍ତୁକ ମାଡ ମାରିବା ସହ ମୁଣ୍ଡର ପଛପଟେ ପଥର ଛେଚି ଦେଇ ଫେରାର ହୋଇଯାଇଥିଲେ । ଗୁରତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗଗନକୁ କଙ୍କଡାହାଡ ମେଡିକାଲରେ ଭର୍ତ୍ତି କରିଥିଲେ ତାଙ୍କ ପତ୍ନୀ ପିଙ୍କି । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତଦନ୍ତ ଜାରି ରଖିଛି ପୋଲିସ:
ସେପଟେ ଖବର ପାଇ ଘଟଣାସ୍ଥଳରେ କଙ୍କଡାହାଡ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ଆଜି କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ପୋଲିସ ପରିବାର ଲୋକକୁ ହସ୍ତାନ୍ତର କରିଛି । ଏପଟେ ହତ୍ୟା ଘଟାଇଥିବା ତିନି ଅଭିଯୁକ୍ତ ଯୁବକ ଦିପୁ, ଶଙ୍କର ଓ ବିଟଲ ଫେରାର ଅଛନ୍ତି । ପୋଲିସ ତଦନ୍ତ ଜାରି ରହିଛି l
ଏନେଇ ମୃତକଙ୍କ ପତ୍ନୀପିଙ୍କି ନାୟକକହିଛନ୍ତି, ‘ସେ ଆଉ ତାଙ୍କ ସ୍ବାମୀ ଗଗନ କାମରୁ ସନ୍ଧ୍ୟା ବେଳେ ଫେରୁଥିଲେ । ଏହି ସମୟରେ ତିନି ଅଭିଯୁକ୍ତ ଯୁବକ ଦିପୁ, ଶଙ୍କର ଓ ବିଟଲ ମୋତେ ଟଣାଓଟରା କରିଥିଲେ । ଏହାକୁ ବିରୋଧ କରିଥିଲେ ମୋ ସ୍ବାମୀ । ସେମାନେ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ପଥରରେ ଛେଚି ଦେଇଥିଲେ । ଆମେ ତାଙ୍କୁ ହସ୍ପିଟାଲ ଆଣିଲୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।’