ସମ୍ବଲପୁର:ଆଜି ହେଉଛି ମହାଶିବରାତ୍ରୀ । ସେଥିପାଇଁ ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ସମ୍ବଲପୁରର ସମସ୍ତ ଶିବାଳୟ ଗୁଡିକରେ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ହାତରେ ପୂଜାଥାଳି ଧରି ଶ୍ରଦ୍ଧାଳୁ ଲମ୍ବା ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଶିବଲିଙ୍ଗରେ ଦୁଗ୍ଧ, ଜଳର ଅଭିଷେକ କରି ମହାଦେବଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ । ଆଜିର ଦିନରେ ଶିବ ପାଖରେ ଜଳାଭିଷେକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାସହ ଆଜିର ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କଲେ ମଣିଷ ସର୍ବ ପାପରୁ ମୁକ୍ତି ହୋଇ ଶିବଙ୍କୁ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ମହାଶିବରାତ୍ରୀ ଅବସରରେ ସମ୍ବଲପୁରର ପ୍ରମୁଖ ଶୈବପୀଠରେ ଭକ୍ତଙ୍କ ଗହଳି ଲାଗି ରହିଛି । ସମ୍ବଲପୁର ସର୍ବପୁରାତନ ଶୈବପୀଠ କୁହାଯାଉଥିବା ବାଲିବନ୍ଧାର ସୋମନାଥ ବାବା ସାମିଆଁ ବାବା ମନ୍ଦିରଙ୍କ ପୀଠରେ ସକାଳୁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ତେବେ ଭୋର 3ଟାରେ ମନ୍ଦିର ମୁଖ୍ୟ ଦ୍ଵାର ଖୋଲିଥିଲା । ଏହା ପରେ 4 ଟାରେ ଆଳତୀ ହୋଇଥିଲା । ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲା ଯାଇଥିଲା ଯାହା ଦିନ ତମାମ ଜାରି ରହିବ । ଏହା ପରେ ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ 4 ଗୋଟି ପହଡ଼ ପୂଜା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ସେହିପରି ଆଜି ସନ୍ଧ୍ୟା 6ଟା, 9ଟା, 12ଟା ଏବଂ ଆସନ୍ତାକାଲି ଭୋର 4 ଟାରେ ପହଡ଼ ପୂଜା ଏହା ପରେ ମହାଦୀପ ଉଠିବ । ସମ୍ବଲପୁରର ଏହି ପୀଠରେ ଉଭା ଲିଙ୍ଗ ଥିବାବେଳେ ସୋମନାଥ ବାବାଙ୍କ ଉପରେ ଲୋକଙ୍କ ଅଗାଢ଼ ବିଶ୍ୱାସ ରହିଛି l ବାବାଙ୍କୁ ପ୍ରାର୍ଥନା କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ମାନ୍ୟତା ରହିଛି l ତେଣୁ ପ୍ରତ୍ୟେକ ବର୍ଷ ଏଠାରେ ଶିବରାତ୍ରୀରେ ଉଜାଗର ରାତିରେ ହଜାର ହଜାର ଲୋକଙ୍କ ଗହଳି ହୋଇଥାଏ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା ସହ ଭଜନ ସନ୍ଧ୍ୟାର ବ୍ୟବସ୍ଥା କରାଯାଇଛି । ଶିବରାତ୍ରୀ ଅବସରରେ ସୋମନାଥ ବାବା ମନ୍ଦିର, ବୁଢାରାଜା ମନ୍ଦିର, ମାନେଶ୍ଵର ମାନ୍ଧାତା ବାବା ଓ ହୁମାର ବକ୍ର ମନ୍ଦିରର ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ।