ସମ୍ବଲପୁର:ଟୋଲ ଟ୍ୟାକ୍ସ ମାଡ଼ରେ ଚେପା ସମ୍ବଲପୁର ସହର ବାସୀ l ସମ୍ବଲପୁର ସହରରୁ ଯେଉଁପଟେ ଗଲେ ପଡୁଛି ଟୋଲ ପ୍ଲାଜା l ସହରରୁ 30 କିମି ଦୂରତାରେ ଚତୁଃପାର୍ଶ୍ଵରେ ଟୋଲ ପ୍ଲାଜା ପଡୁଥିବାରୁ ଏବେ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ଲୋକର ପକେଟ ଉପରେ ଏହାର ମାଡ଼ ପଡୁଛି l ସମ୍ବଲପୁରରୁ ଝାରସୁଗୁଡା, ସମ୍ବଲପୁରରୁ ଦେବଗଡ଼, ସମ୍ବଲପୁରରୁ କଟକ, ସମ୍ବଲପୁରରୁ ବରଗଡ଼ ଯେଉଁପଟେ ଗଲେ ଲୋକଙ୍କୁ ଟୋଲ ଟ୍ୟାକ୍ସ ଦେବାକୁ ପଡୁଛି ଯାହା ସାଧାରଣ ଲୋକଙ୍କ ପକେଟକୁ ବାଧୁଛି l ଏଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଥିବା ବେଳେ ଆଜି ସମ୍ବଲପୁର କଟକ ରାସ୍ତାର ହାତିବାରୀ ଠାରେ ନୁଆ ଟୋଲ ପ୍ଲାଜାରେ ସମ୍ବଲପୁର ସହର ତଥା ଜୁଯୁମୁରା ବ୍ଲକବାସୀଙ୍କୁ କେତେଟା କୋହଳ କରିବାକୁ ଦାବି କରି ଆଜି ସ୍ଥାନୀୟ ଲୋକେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି l
ଟୋଲ ପ୍ଲାଜା ଘେରରେ ସମ୍ବଲପୁର ସହର l ସହରର ଯେଉଁ ଦିଗକୁ ବାହାରିଲେ 30 କିମି ଯାଉ ଯାଉ 100 ଟଙ୍କା ଟୋଲ ଟ୍ୟାକ୍ସ ଦେବାକୁ ପଡୁଛି l ସମ୍ବଲପୁର ସହରରୁ ଝାରସୁଗୁଡା ରାସ୍ତା ବିଜୁ ଏକ୍ସପ୍ରେସ ୱେରେ 16 କିମି ଦୂରତା ରେ ଶାସନ ଠାରେ ରହିଛି ଏକ ଟୋଲ ପ୍ଲାଜା l ଏହା ପରେ ସମ୍ବଲପୁର ସହର ରୁ ଦେବଗଡ଼ ରାସ୍ତା 18 କିମି ଦୂରତା ରେ ନୀଲଡୁଙ୍ଗରି ଠାରେ ରହିଛି ଆଉ ଏକ ଟୋଲ ପ୍ଲାଜା l ପୁଣି ସମ୍ବଲପୁର ରୁ କଟକ ରାସ୍ତାର 21 କିମି ଦୂରତା ରେ ହାତିବାରୀ ଠାରେ ରହିଛି ଆଉ ଏକ ଟୋଲ ପ୍ଲାଜା l ଅନ୍ୟପଟେ ସମ୍ବଲପୁର ରୁ ବରଗଡ଼ ରାସ୍ତାର 39 କିମି ଦୂରତା ରେ ବାରହାଗୁଡା ଠାରେ ରହିଛି ଆଉ ଏକ ଟୋଲ ପ୍ଲାଜା l ମାନେ ଚାରି ଦିଗ ଯେଉଁପଟେ ପ୍ରାଇଭେଟ କାରରେ ଗଲେ ଦେବାକୁ ପଡୁଛି ଟୋଲ ଟ୍ୟାକ୍ସ l ଯିବା ଆସିବା ବାବଦକୁ ପାଖାପାଖି 200ଟଙ୍କା ପଡୁଛି l ଆଉ କମରସିଆଲ ଗାଡି ପାଇଁ ଅଧିକ ଟଙ୍କା ଦେବାକୁ ପଡୁଛି l ଏଭଳି ସ୍ଥିତି ରେ ଆଜି ସମ୍ବଲପୁର ଜୁଯୁମୁରା ଅଞ୍ଚଳ ର ଏନ.ଏଚ-55 ସଂଗ୍ରାମ ସମିତି ର ସଦସ୍ୟ ମାନେ ସ୍ଥାନୀୟ ଲୋକଙ୍କ ସହ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ହାତିବାରୀ ଟୋଲ ପ୍ଲାଜାରେ ସ୍ଥାନୀୟ ଗାଡି ମାନଙ୍କ ପ୍ରତି ଟୋଲ ଟ୍ୟାକ୍ସ ରେ କିପରି କୋହଳ ହୋଇ ପାରିବ ସେନେଇ ପଦକ୍ଷେପ ନେବାକୁ ଦାବି ପତ୍ର ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ ଜୁଯୁମୁରା ବ୍ଲକ ମୁଖ୍ୟାଳୟ ଟୋଲ ପ୍ଲାଜାର ଗୋଟିଏ ପାର୍ଶ୍ୱରେ ଥିବା ବେଳେ ଅନ୍ୟପାର୍ଶ୍ଵ ରେ ଏହାର 11ଟି ପଞ୍ଚାୟତ ରହୁଛି l ଏହି ଅଞ୍ଚଳର ଲୋକେ ପ୍ରତ୍ୟେକ ଦିନ ବ୍ଲକ ମୁଖ୍ୟାଳୟ କୁ ଯିବା ଆସିବା କରୁଥିବା ବେଳେ ସେମାନଙ୍କୁ ମଧ୍ୟ ଟୋଲ ଟ୍ୟାକ୍ସ ଦେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି l
ଏହା ବି ପଢନ୍ତୁ- ବିନା ଇନ୍ସୁରାନ୍ସରେ ଗାଡି ଚଳାଉଛନ୍ତି କି ? ଧରିବ ଟୋଲଗେଟ, କଟିବ ଫାଇନ - ODISHA TRAFFIC RULE