ଓଡିଶା

odisha

ETV Bharat / state

ବଙ୍ଗୋପସାଗରରେ ଆଖି ଦେଖାଇଲା ବାତ୍ୟା 'ଦାନା', ଓଡ଼ିଶା ଉପକୂଳ ମୁହାଁ ! ଭୀଷଣ ବାତ୍ୟା ରୂପରେ ଛୁଇଁବ ସ୍ଥଳଭାଗ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା । ଭୀଷଣ ବାତ୍ୟା ସହ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ- ଆଇଏମଡିର ପୂର୍ବାନୁମାନ । ଉତ୍ତର ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ ସମ୍ଭାବନା ।

ବାତ୍ୟାର ରୂପ ନେଲା ଗଭୀର ଅବପାତ, ପାରାଦ୍ବୀପଠାରୁ 560 କି.ମି ଦୂରରେ କେନ୍ଦ୍ରୀଭୂତ, କାଲି ଭୀଷଣ ବାତ୍ୟା
ବାତ୍ୟାର ରୂପ ନେଲା ଗଭୀର ଅବପାତ, ପାରାଦ୍ବୀପଠାରୁ 560 କି.ମି ଦୂରରେ କେନ୍ଦ୍ରୀଭୂତ, କାଲି ଭୀଷଣ ବାତ୍ୟା (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 4 hours ago

ଭୁବନେଶ୍ବର: ବାତ୍ୟାରେ ପରିଣତ ହେଲା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଗତକାଲି ରାତିରେ ଏହା ଗଭୀର ଅବପାତରେ ପରିଣତ ହୋଇସାରିଥିବା ବେଳେ ଆଜି ପ୍ରାୟ ଭୋର ସମୟରେ ଏହା ବାତ୍ୟାରେ ପରିଣତ ହୋଇଛି । ବାତ୍ୟା 'ଦାନା'ର ଆଖି ଦୃଶ୍ୟମାନ ହୋଇଥିବା ବେଳେ, ଏହା କ୍ରମଶଃ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସଦ୍ୟ ସୂଚନା ଅନୁସାରେ, ବାତ୍ୟାଟି ପାରାଦୀପ ଉପକୂଳରୁ ପ୍ରାୟ 560 କିଲୋମିଟର ଦକ୍ଷିଣ, ପଶ୍ଚିମବଙ୍ଗର ସାଗରଦ୍ୱୀପର 630 କିଲୋମିଟର ଦକ୍ଷିଣ-ପୂର୍ବ ଏବଂ ବାଂଲାଦେଶର ଖେପୁପାରାରୁ ପ୍ରାୟ 630 କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି । ଏହା ପ୍ରାୟ ୩ କି.ମି ପ୍ରତିଘଣ୍ଟା ମନ୍ଥର ଗତିରେ ଆଗକୁ ବଢୁଛି ।

  • ଆସନ୍ତାକାଲି ଭୀଷଣ ବାତ୍ୟା

‘ଆଇଏମଡି’ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତାକାଲି (24 ତାରିଖ) ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିବର୍ତ୍ତନ ହେବ । ଆସନ୍ତାକାଲି ମଧ୍ୟରାତ୍ରି କିମ୍ବା ୨୫ ତାରିଖ ଭୋର ସମୟରେ ଏହା ପୁରୀରୁ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ସର୍ବାଧିକ ଆଶଙ୍କା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଦାନା', ଉତ୍ତର-ପଶ୍ଚିମ ଦିଗ ମୁହାଁ, ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ ଆଶଙ୍କା (ETV Bharat Odisha)
  • ଲ୍ୟାଣ୍ଡଫଲ ବେଳେ ୧୦୦ ରୁ ୧୧୦ କିଲୋମିଟର ବେଗରେ ପବନ

ବିଶେଷ ଭାବେ ପଶ୍ଚିମବଙ୍ଗ ଅପେକ୍ଷା ଓଡିଶା ଉପକୂଳରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେବ । ଆଜି ସଂଧ୍ୟାଠାରୁ ଓଡିଶା ଉପକୂଳରେ ପାଗରେ ପରବର୍ତ୍ତନ ହେବା ସହ ସମୁଦ୍ର କ୍ରମଶଃ ଅଶାନ୍ତ ହେବା ଆରମ୍ଭ କରିବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ରହିବ । ସ୍ଥଳବିଶେଷରେ ଝଟକା ପବନ ୧୨୦ କି.ମି ଘଣ୍ଟା ପ୍ରତି ରହିପାରେ । ଫଳରେ ବଡ ବଡ ଗଛ, କଚ୍ଚା ଘର ଓ ବିଜୁଳି ଖୁଣ୍ଟ ଆଦି ଭାଙ୍ଗିବାର ଆଶଙ୍କା ରହିଛି । ଉପକୂଳ ଓ ଉତ୍ତର ଉପକୂଳ ଜିଲ୍ଲାଗୁଡିକରେ ପବନ ସହ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଦାନା', ଉତ୍ତର-ପଶ୍ଚିମ ଦିଗ ମୁହାଁ, ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ ଆଶଙ୍କା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉପକୂଳ: ମୟୂରଭଞ୍ଜରେ ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

  • ଜିରୋ-କାଜୁଆଲିଟି ମୋଡରେ ମୁକାବିଲା ପ୍ରସ୍ତୁତି:-

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର ‘ଜିରୋ-କାଜୁଆଲିଟି ମୋଡ’ରେ ତମାମ ପ୍ରସ୍ତୁତି କରିଛନ୍ତି । ରାଜ୍ୟର ସମସ୍ତ ପ୍ରଶାସନିକ ଓ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ‘ଏସଆରସି’ ଅଫିସରେ ଏକ ଜରୁରୀକାଳୀନ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ପାଣିପାଗ ବିଭାଗ, ଜିଲ୍ଲା ପ୍ରଶାସନ, ପୋଲିସ ଓ ଅନ୍ୟ ସମସ୍ତ ଜରୁରୀ ତଥା ଉଦ୍ଧାରକାରୀ ବିଭାଗ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି ରାଜ୍ୟ ସରକାର । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ‘ଏନଡିଆରଏଫ’କ ଏକାଧିକ ଅତିରିକ୍ତ ୟୁନିଟ ବାହାର ରାଜ୍ୟରୁ ଆସି ପହଞ୍ଚି ସାରିଛନ୍ତି । ଓଡ୍ରାଫ, ଅଗ୍ନିଶମ ଓ ପୋଲିସ ବିଭାଗ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ କରି ଉପକରଣ ସହ ଗ୍ରାଉଣ୍ଡ ଜିରୋ ଅଭିମୁଖେ ବାହାରି ସାରିଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଦାନା', ଉତ୍ତର-ପଶ୍ଚିମ ଦିଗ ମୁହାଁ, ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ ଆଶଙ୍କା (ETV Bharat Odisha)
  • ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତର ହେବେ ୧୦ ଲକ୍ଷ ଲୋକ

ଉପକୂଳ ଓଡିଶାର ଏକାଧିକ ଜିଲ୍ଲାରୁ ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ସେମାନଙ୍କୁ ପ୍ରସ୍ତୁତ ହୋଇଥିବା 6,244ଟି ରିଲିଫ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ରାଜ୍ୟ ପ୍ରଶାସନର 6 ସଚିବଙ୍କୁ 6ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ବାତ୍ୟା ପରିଚାଳନା ଦାୟିତ୍ବ ଦିଆଯାଇଛି । ସେପରି ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡିକର ରିଲଫ, ରେସକ୍ୟୁ ଓ ରିଷ୍ଟୋରେସନ କାମ ନିଜେ ବରିଷ୍ଠ ମନ୍ତ୍ରୀମାନେ ସମୀକ୍ଷା କରିବେ । ରାଜ୍ୟର ସମସ୍ତ ବିଧାୟକ/ବିଧାୟିକାମାନେ ସେମାନଙ୍କ ଅଞ୍ଚଳରେ ରହିବା ସହ ବାତ୍ୟା ମୁକାବିଲାରେ ଲୋକଙ୍କୁ ସାହାଯ୍ୟ କରିବା ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁରୋଧ କରିଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଦାନା', ଉତ୍ତର-ପଶ୍ଚିମ ଦିଗ ମୁହାଁ, ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ ଆଶଙ୍କା (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

Last Updated : 4 hours ago

ABOUT THE AUTHOR

...view details