ବହ୍ମପୁର:ଉପକୂଳ ଆଡକୁ ଆଖି ଦେଖାଇ ମାଡି ଆସୁଛି ବାତ୍ୟା ‘ଦାନା’ । ଲୋକଙ୍କ ମନରେ ଛନକା । ଆଉ ଏପଟେ ଜିରୋ କାଜୁଆଲିଟି ମିଶନରେ ପ୍ରସ୍ତୁତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର । ଲୋକଙ୍କ ଯେପରି କ୍ଷତି ନହୁଏ, ଲୋକେ ସୁରକ୍ଷିତ ରୁହନ୍ତୁ ଏଥିପାଇଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ହେଲେ କେତେ ପ୍ରସ୍ତୁତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ । ଲୋକଙ୍କୁ ସୁରକ୍ଷା ଦେବାରେ ଶହେ ପ୍ରତିଶତ ପାସ୍ ହେବ ତ ବାତ୍ୟା ଆଶ୍ରୟସ୍ଥଳୀ । ସ୍ଥିତି ଜାଣିବାକୁ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ‘ଇଟିଭି ଭାରତ’ କରିଥିଲା ରିୟଲିଟି ଚେକ ।
ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳରେ ‘ଇଟିଭି ଭାରତ’
ଓଡ଼ିଶା ଉପକୂଳରେ ବାତ୍ୟା କଥା କହିଲେ ସମସ୍ତଙ୍କର ସିଧାସଳଖ ନଜର ଯାଇଥାଏ ଗୋପାଳପୁର ଉପରେ । ପୂର୍ବରୁ ଅନେକ ବାତ୍ୟା ଗୋପାଳପୁରରେ ମାଡ ହୋଇଛି । ଏଥର ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଏଭଳି ସମୟରେ ଗୋପାଳପୁର ଠାରେ ରହିଥିବା ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀରେ କେତେ ପ୍ରସ୍ତୁତ ରହିଛି ତାହାକୁ ଯାଇ ଗ୍ରାଉଣ୍ଡ ଜିରୋରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ଉଦ୍ୟମ କରିଥିଲା ଇଟିଭି ଭାରତ ।
ଇଟିଭି ଭାରତ କ୍ୟାମେରା ଲେନ୍ସରେ ବାସ୍ତବ ସ୍ଥିତି:
ଗୋପାଳପୁରରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳରେ ବାତ୍ୟା ସମୟରେ ତଳିଆ ଅଞ୍ଚଳରୁ ଉଦ୍ଧାର କରିବାକୁ ରହିଥିବା ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଓ ବୃଦ୍ଧା ଏବଂ କଚା ଘରେ ରହୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ କିପରି କଣ ବ୍ୟବସ୍ଥା କରାଯାଇଛି ତାହାକୁ ଅନୁଧ୍ୟାନ କରାଯାଇଥିଲା । ସ୍ଥିତି ଅନୁଧ୍ୟାନ କରିବା ସମୟରେ ଇଟିଭି ଭାରତର କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ବାତ୍ୟା ଆଶ୍ରୟସ୍ଥଳର ସେଠାକାର ବାସ୍ତବ ସ୍ଥିତି । ସମସ୍ତ କକ୍ଷ ଗୁଡିକ ସଫା ରହିଥିଲା । ସେହିପରି ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଥିଲେ ମଧ୍ୟ ପାଇଖାନା କବାଟ ଗୁଡିକର ସ୍ଥିତି ସଠିକ୍ ନଥିଲା । ଏପରିକି ବାତ୍ୟା ଆଶ୍ରୟସ୍ଥଳ ପରିସରରେ ଗୋଟିଏ ରୁମରେ ବିଦ୍ୟାଳୟ ଚାଲିଥିବା ଏବଂ ଅନ୍ୟ ଏକ ରୁମରେ ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ଦେଖିବାକୁ ମିଳିଥିଲା ।
‘ସଫେଇ ହୋଇଛି, ଆବଶ୍ୟକ ପଡିଲେ ଲୋକଙ୍କୁ ଅଣାଯିବ’