ଓଡିଶା

odisha

ETV Bharat / state

ମାଡି ଆସୁଛି ବାତ୍ୟା ‘ଦାନା’: ଲ୍ୟାଣ୍ଡଫଲ ନେଇ ଉପକୂଳ ଜିଲ୍ଲାରେ ଆତଙ୍କ, ଆଶ୍ରୟସ୍ଥଳୀରେ ଲକ୍ଷାଧିକ ଲୋକ

ଓଡ଼ିଶା ମାଡି ଆସୁଛି ବାତ୍ୟା ଦାନା । ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ । ବର୍ଷା ଓ ପବନ ଆରମ୍ଭ ହେବା ପରେ ଉପକୂଳ ଜିଲ୍ଲାଗୁଡ଼ିକରେ ଲକ୍ଷ ଲକ୍ଷ ଲୋକଙ୍କ ଭୟ ବଢ଼ିବାରେ ଲାଗିଛି ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : 6 hours ago

ଭୁବନେଶ୍ବର: ଭୀଷଣ ରୂପରେ ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ‘ଦାନା’ । ଯାହାର ପ୍ରଭାବ ଗତକାଲି (ବୁଧବାର)ଠାରୁ ରାଜ୍ୟରେ ଅନୁଭୂତ ହୋଇଛି । ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ । ଆଜି (24 ଅକ୍ଟୋବର) ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ଯାହା ଆସନ୍ତାକାଲି (25 ଅକ୍ଟୋବର) ସକାଳ ପର୍ଯ୍ୟନ୍ତ ଜାରି ରହିବ । ଏହାରି ଭିତରେ ରାଜ୍ୟ ସରକାର ଜିରୋ କାଜୁଆଲିଟି ମିଶନ ଲକ୍ଷ୍ୟ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ସେପଟେ ଆକ୍ସନ ମୋଡରେ ଦାୟିତ୍ବରେ ଥିବା ମନ୍ତ୍ରୀ ଘନ ଘନ ବାତ୍ୟା ସମୀକ୍ଷା କରୁଛନ୍ତି । କେଉଁ ଜିଲ୍ଲାରେ କେମିତି କରାଯାଇଛି ପ୍ରସ୍ତୁତି ଦେଖନ୍ତୁ ନିମ୍ନରେ ।

ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

CYCLONE DANA (ETV Bharat Odisha)

ଗତକାଲି (ବୁଧବାର) ଖାରବେଳ ଭବନରେ ବିଭାଗୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ସଜାଗ ଅଛି ବୋଲି କହିଛନ୍ତି ମନ୍ତ୍ରୀ । ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ‘ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ସଜାଗ ଅଛି । ବିଭିନ୍ନ ଜିଲ୍ଲାକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି । ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଉଛି । ଶୁଖିଲା ଖାଦ୍ୟ ଆଜି(ଗୁରୁବାର)ଠୁ ବଣ୍ଟାଯିବ । ପାଣି ନିଷ୍କାସନ ପାଇଁ ପ୍ରସ୍ତୁତ ଅଛି । ଅଧିକରୁ ଅଧିକ ପମ୍ପସେଟ ସହ ଜେନେରେଟର ବ୍ୟବସ୍ଥା କରିବାକୁ କୁହାଯାଇଛି । ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ କାଉନସିଲର, ୱାର୍ଡ କମିଟି, ଏସଏଚଜି ମହିଳାଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟାରେ ସହଯୋଗ କରିବାକୁ କୁହାଯାଇଛି । ପିଇବା ପାଣି ପର୍ଯ୍ୟାପ୍ତ ରଖିବାକୁ କୁହାଯାଇଛି ।

ବାତ୍ୟା ‘ଦାନା’ ସମୀକ୍ଷା କଲେ ବାଲେଶ୍ବର ଜିଲ୍ଲାପାଳ:

CYCLONE DANA (ETV Bharat Odisha)

ବାତ୍ୟା ଦାନା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ବରିଷ୍ଠ ଆଇଏଏସ ଅଧିକାରୀ କେ.ସୁଦର୍ଶନ ଚକ୍ରବର୍ତ୍ତି ସମୀକ୍ଷା କରିଛନ୍ତି । କିପରି ହୋଇଛି ପ୍ରସ୍ତୁତି ସେ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି, "ଆମର ଅଢେଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରହିଛି । ଆଜି(ଗୁରୁବାର) ସକାଳ ପର୍ଯ୍ୟନ୍ତ ଆମେ ଏହାକୁ ପୂରା କରିବୁ । ଗତକାଲି ଅପରାହ୍ନ 4 ଟା ପର୍ଯ୍ୟନ୍ତ ପାଖାପାଖି 30 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କ ପାଇଁ ଆମର ସେଠି ରନ୍ଧା ଖାଦ୍ୟର ବ୍ୟବସ୍ଥା ହୋଇଛି । ମୁଁ କିଛି ବାତ୍ୟା ଆଶ୍ରୟସ୍ଥଳୀ ନିଜେ ବୁଲିଛି, ସବୁ ଜାଗାରେ ପାନୀୟ ଜଳ, ଶୌଚାଳୟ ସୁବିଧା, ବିଦ୍ୟୁତ ସୁବିଧା ହୋଇଯାଇଛି । କିଛିକିଛି ଜାଗାରେ ସାମାନ୍ୟ ଅସୁବିଧା ରହିଥିଲା ଯାହା ଅଫିସର ମାନଙ୍କ ନଜରକୁ ଆସୁଛି ତାହା ସୁଧାର କରାଯାଉଛି । ଜିଲ୍ଲା ପ୍ରଶାସନର ପୁରା ପ୍ରୟାସ ରହୁଛି କୌଣସି ବି ପରିସ୍ଥିତିରେ ଜିରୋ କାଜୁଆଲିଟି ଆମର ରହିବ ।’

ଟିମ ସଜାଗ, ଜିଲ୍ଲା ପ୍ରଶାସନ ପ୍ରସ୍ତୁତ:

ସେ ଆହୁରି କହିଛନ୍ତି, ‘ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସବୁ ଟିମକୁ ସଜାଗ ରଖାଯାଇଛି । ଆମର ଯେଉଁ ବାତ୍ୟା ଆଶ୍ରୟସ୍ଥଳୀ ଅଛି ସେଠାରେ ଖାଦ୍ୟ ମହଜୁଦ ରହିଛି ଯେଉଁ ହିସାବରେ ଲୋକ ଆସିବେ ଖାଇବାର କୌଣସି ବି ଅସୁବିଧା ହେବନାହିଁ । ଏଥିପାଇଁ ବିଡିଓ ଏବଂ ସେଣ୍ଟର ଇନଚାର୍ଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବତନ ଯିଏ ଜିଲ୍ଲାପାଳ ଥିଲେ ସେ ଆସିଛନ୍ତି ଏବଂ ତାଙ୍କର କିଛି ପରାମର୍ଶ ମଧ୍ୟ ଦେଇଛନ୍ତି ତାକୁ ନେଇକି ବି ଆମର ସବୁ ଚେଷ୍ଟା ଚାଲିଛି । ଅଭଣା ପଞ୍ଚାୟତ ପିଇଓଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ସମନ ଜାରି କରାଯାଇଛି, ତଦନ୍ତ ପରେ ଯଦି ଦରକାର ପଡ଼େ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାତ୍ୟା ହେଉଛି ଏକ ବଡ଼ ବିପଦ, ଯେଉଁଠି ଲୋକମାନଙ୍କୁ କିଛି ଅସୁବିଧା ହେବାକଥା ନୁହେଁ, ଏଥିପାଇଁ ଜିଲ୍ଲା ପ୍ରଶାସନ ପୁରା ଚେଷ୍ଟା କରୁଛି । ୟା ଭିତରେ ଯଦି କେହି ଅଧିକାରୀ ନିଜ କାର୍ଯ୍ୟରେ ଅବହେଳା କରିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବାଲେଶ୍ବରରେ ମନ୍ତ୍ରୀ ରବି ନାଏକଙ୍କ ବାତ୍ୟା ସମୀକ୍ଷା:

CYCLONE DANA (ETV Bharat Odisha)

ଗତକାଲି ବାଲେଶ୍ୱର ଜିଲ୍ଲା ଦାୟିତ୍ୱରେ ଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ବାଲେଶ୍ୱରରେ ପହଞ୍ଚି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ରବି ନାଏକ କହିଛନ୍ତି, " ଓଡିଶା ବିଭିନ୍ନ ସମୟରେ ବାତ୍ୟା ଦ୍ୱାରା ପ୍ରପୀଡ଼ିତ ହୋଇଥାଏ । ଏ ବର୍ଷ ଦାନାର ପ୍ରକୋପ 100ରୁ 120 ଗତିରେ ଚାଲିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାପାଇଁ ବିଭିନ୍ନ ମନ୍ତ୍ରୀଙ୍କୁ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ମୋ ଭାଗରେ ବାଲେଶ୍ଵର ଜିଲ୍ଲାର ଦାୟିତ୍ୱ ଅଛି । ବାଲେଶ୍ୱର ଜିଲ୍ଲା ଦାନାର ମେଜର ଯୋନରେ ଥିବା ଦୃଷ୍ଟିରୁ ଆମେ ପ୍ରଶାସନ ସହିତ ଗତକାଲି ଯେଉଁ କ୍ୟାବିନେଟ ବୈଠକ ଥିଲା ସେଥିରେ ଯେଉଁ ବିସ୍ତୃତ ଆଲୋଚନା ହେଲା । ପ୍ରତ୍ୟକ ବିଭାଗ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ସେହିପ୍ରକାର ବ୍ୟବସ୍ଥା ବି କରିଛନ୍ତି । ବାଲେଶ୍ୱର ଜିଲ୍ଲା ଯେହେତୁ ରେଡ ଆଲର୍ଟରେ ରହିଛି ଏହି ପାଖାପାଖି ଯେତେବେଳେ ଯିବ ବିଭିନ୍ନ ସମସ୍ୟା ଦେଖାଯିବ । ଲୋକଙ୍କ ସମସ୍ୟା, ରାସ୍ତାର ସମସ୍ୟା, ଖାଇବା ରହିବାର ସମସ୍ୟା, ସବୁ ସମସ୍ୟାକୁ କେମିତି ତ୍ୱରାନ୍ୱିତ କରାଯିବ ପ୍ରଶାସନ ତାକୁ ସଠିକ ଭବେ ରୂପାୟନ କରିବ । ଆମେ ସବୁ ସ୍ପଟକୁ ଯାଇ ପାରିବୁ, ଏ ପ୍ରକାର ଆମେ ସିଦ୍ଧାନ୍ତ ନେଇଛୁ । ମୋହନ ସରକାରଙ୍କ ଯେଉଁ ପ୍ରକ୍ରିୟା କରାଯାଇଛି ଯେମିତି କାହାର କିଛି କ୍ଷତି ନ ହେଉ, ସମସ୍ତେ ସୁବିଧା ପାଆନ୍ତୁ, ସମସ୍ତଙ୍କୁ ଆମେ ଯେଉଁ ବ୍ୟବସ୍ଥା ଭିତରେ କେହି ବି ବଞ୍ଚିତ ନ ହୁଅନ୍ତୁ ଏ ପ୍ରକାର ବ୍ୟବସ୍ଥା କରାଯାଇଛି ।"

ମୟୂରଭଞ୍ଜରେ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କଲେ ବରିଷ୍ଠ IAS ଅଧିକାରୀ:

CYCLONE DANA (ETV Bharat Odisha)

ମୟୂରଭଞ୍ଜ ପାଇଁ ନିୟୋଜିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ ବିଭିନ୍ନ ସ୍ଥାନର ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଳି, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅନୁଧ୍ୟାନ କରିଛନ୍ତି । ବାତ୍ୟା ଦାନା ପ୍ରଭାବରେ ଆଜି ଠାରୁ ମୟୂରଭଞ୍ଜ ଜିଲ୍ଲାରେ ଭୀଷଣ ବର୍ଷା ସହ ପବନ ବହିପାରେ । ଯାହା ଫଳରେ ବାରିପଦା ଏବଂ କପ୍ତିପଦା ବିଭିନ୍ନ ଅଞ୍ଚଳର ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ବାତ୍ୟା ପୂର୍ବ ଓ ପର ସ୍ଥିତି ଅନୁଧ୍ୟାନ କରିବା ସହ ଅଧିକାଂଶ ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ପରିଦର୍ଶନ କରିଥିଲେ । ବିପଦସଂକୁଳ ସ୍ଥାନର ଲୋକମାନଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ଥିବା ବେଳେ ଉତ୍ତମ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ ଓ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ବରିଷ୍ଠ ଅଧିକାରୀଗଣ ପରିଦର୍ଶନ କରି କାର୍ଯ୍ୟ ନିରୀକ୍ଷଣ କରିଥିଲେ ।

ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କଲେ ବରିଷ୍ଠ IAS ଅଧିକାରୀ (ETV Bharat Odisha)

ଦୋକାନ ବଜାର ବନ୍ଦ:

ଏଥି ସହିତ ବାତ୍ୟାକୁ ଦୃଷ୍ଟିରେ ରଖି ଗୁରୁବାର ସନ୍ଧ୍ୟାରୁ ଦୋକାନ, ବଜାର ଘାଟ, ମଦ ଦୋକାନ, ପାର୍କ ଓ ଅନ୍ୟାନ୍ୟ ଜନଗହଳି ସ୍ଥାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ସ୍ଥାୟୀ ଓ ଅସ୍ଥାୟୀ ମିଶି ମୋଟ ୨୭୩ଟି ଆଶ୍ରୟସ୍ଥଳୀ ରହିଛି ।

ପୁରୀ ସାଂସଦଙ୍କ ବାତ୍ୟା ପ୍ରସ୍ତୁତି ସମୀକ୍ଷା:

CYCLONE DANA (ETV Bharat Odisha)

ପୁରୀ ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି କିଭଳି ରହିଛି ଗତକାଲି(ବୁଧବାର) ତାହାର ସମୀକ୍ଷା କରିଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ବଳବନ୍ତ ସିଂ ଓ ପୁରୀ ସାଂସଦ ସମ୍ବିତ ପାତ୍ର । ଲୋକଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ, ସୁରକ୍ଷିତ ସ୍ଥାନରେ ରଖାଯାଇପାରିବ, ସବୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେଇ ହେବ ସେ ନେଇ ସମୀକ୍ଷା ହୋଇଛି ।

ଭୟଭୀତ ହୁଅନ୍ତୁ ନାହିଁ:

ପୁରୀ ଜିଲ୍ଲା ଦାୟିତ୍ଵରେ ଥିବା ବରିଷ୍ଠ ଆଇଏଏସ ଅଧିକାରୀ ବଲବନ୍ତ ସିଂହ କହିଛନ୍ତି, ବାତ୍ୟା ଦାନାକୁ ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତ ହୋଇଛି । ଅଗ୍ନିଶମ ବାହିନୀ, ଓଡ୍ରାଫ, ଏନଡିଆରଏଫ ଟିମ୍ ପ୍ରସ୍ତୁତ ରହିଛନ୍ତି । ଯେ କୌଣସି ସ୍ଥିତି ଉପୁଜିଲେ ଲୋକଙ୍କ ସୁରକ୍ଷା ପାଇଁ ଏହି ଟିମ୍ କାର୍ଯ୍ୟ କରିବେ । ତେବେ ପୁରୀରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ବେଶୀ ପବନର ପ୍ରଭାବ ରହିବନି । ଏଣୁ ଲୋକ ମାନେ ଭୟଭୀତ ହୁଅନ୍ତୁ ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ସହାୟତା ପାଇଁ ବ୍ୟବସ୍ଥା ହୋଇଛି । ପୁରୀ ଜିଲ୍ଲାର ସବୁ ବ୍ଲକରେ କଣ୍ଟ୍ରୋଲ ରୁମ୍ ରହିଛି । ତେବେ କଚ୍ଚା ଘରେ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ଅଣାଯିବ ।’

ସବୁ ବ୍ୟବସ୍ଥା ହୋଇଛି: ପୁରୀ ସାଂସଦ

ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର କହିଛନ୍ତି, ‘ମୁଁ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି କିଭଳି ପ୍ରସ୍ତୁତି ରହିଛି । ତେବେ ମୁଖ୍ୟମନ୍ତ୍ରୀ ଲଗାତାର ସମୀକ୍ଷା କରୁଛନ୍ତି । ବାତ୍ୟାର ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା ପୁରୀ ଜିଲ୍ଲାରେ ହୋଇଛି । ମନ୍ତ୍ରୀ ମାନେ ଜିଲ୍ଲା ଗସ୍ତ କରି ସମୀକ୍ଷା କରୁଛନ୍ତି । ଆମେ ଜନ ପ୍ରତିନିଧି ଲୋକଙ୍କୁ ସଚେତନ କରୁଛୁ । ପୁରୀ ଜିଲ୍ଲାରେ 179ଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି । 370ଟି ବିକଳ୍ପ ଆଶ୍ରୟ ସ୍ଥଳୀ ରହିଛି । ତଳିଆ ଅଞ୍ଚଳ ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଇଛି । ଗର୍ଭବତୀ ମହିଳାଙ୍କୁ କିଭଳି ସୁରକ୍ଷିତରେ ରଖା ଯାଇପାରିବ ସେ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ମେଡିକାଲ ଟିମ୍ ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି । ବିଦ୍ୟୁତ୍ ଯୋଗାଣ ପାଇଁ ଡିଜି ସେଟ୍ ବ୍ୟବସ୍ଥା ହୋଇଛି । ସମୁଦ୍ରକୁ ଯାଇଥିବା ସବୁ ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରାଇ ଅଣାଯାଇଛି । ମହାପ୍ରଭୁଙ୍କୁ ଦର୍ଶନ କରିସାରିଥିବା ଭକ୍ତ ମାନେ ନିଜ ଘରକୁ ଫେରିଯିବାକୁ କୁହାଯାଇଛି । ତେବେ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଯାହା କିଛି ଅସୁବିଧା ରହିଛି ଆଗାମୀ ଦିନରେ ସେ ସବୁ ସମସ୍ୟା ସମାଧାନ କରାଯିବ ।

ସେହିପରି ପୁରୀକୁ ଆସିଥିବା ଏନଡିଆରଏଫ ଯବାନ କହିଛନ୍ତି, ‘ଆମକୁ ନିର୍ଦେଶ ଦିଆଯାଇଥିବା ସ୍ଥାନକୁ ଆମେ ଗସ୍ତ କରିବୁ । ଯାହା ବି ସ୍ଥିତି ଆସୁ ଲୋକଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ କାର୍ଯ୍ୟ କରିବୁ । ଆମ ପାଖରେ ଉଦ୍ଧାର ପାଇଁ ସବୁ ଅତ୍ୟାଧୁନିକ ଯନ୍ତ୍ର ଓ ଉପକରଣ ରହିଛି ।’

CYCLONE DANA (ETV Bharat Odisha)

ଲୋକଙ୍କୁ ଏପରି ଅପିଲ କଲେ କେନ୍ଦ୍ରାପଡା ଜିଲ୍ଲାପାଳ:

ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା । ସବୁଠାରୁ ଅଧିକ ପ୍ରଭାବ କେନ୍ଦ୍ରାପଡା ଜିଲ୍ଲାରେ ପଡିପାରେ । ତେଣୁ ମହାକାଳପଡ଼ା ଓ ରାଜନଗର ବ୍ଲକର କିଛି ପଞ୍ଚାୟତ ଓ ଗାଁକୁ ଅତି ସମ୍ବେଦନଶୀଳ ସ୍ଥାନ ଭାବରେ ଚିହ୍ନଟ କରାଯାଇଛି । ଏନେଇ ଗତକାଲି (ବୁଧବାର) ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି,"କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକର ୧୮ଟି ଓ ରାଜନଗର ବ୍ଲକର ୧୪ଟି ସ୍ଥାନକୁ ଅତି ସମ୍ବେଦନଶୀଳ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି । ଗତକାଲି ରାତି ସୁଦ୍ଧା ୩୧୯୦୦ ଲୋକଙ୍କୁ ପ୍ରଶାସନ ଦ୍ୱାରା ସ୍ଥାନାନ୍ତର କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଯାବତ ଜିଲ୍ଲାର ୩୭୬ଟି ଗାଁରୁ ମାତ୍ର ୧୦୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଯାହାକି ଏବେ ପ୍ରଶାସନର ଚିନ୍ତା ବଢାଇଛି ।

ଆଶ୍ରୟ ସ୍ଥଳରେ ଲୋକେ (ETV Bharat Odisha)

ନିରାପଦ ସ୍ଥାନକୁ ଯିବାକୁ ଅପିଲ କଲେ ଜିଲ୍ଲାପାଳ:

ସେ ଆହୁରି କହିଛନ୍ତି, ‘୨ ପ୍ଲାଟୁନ ପୋଲିସ ଫୋର୍ସ ମହାକାଳପଡ଼ା ବ୍ଲକ ଏବଂ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ରାଜନଗର ବ୍ଲକକୁ ପଠାଯାଇଛି । ସରକାରଙ୍କର ଜିରୋ କାଜୁଆଲିଟି ନିର୍ଦ୍ଦେଶ ଆଧାରରେ ସମସ୍ତ ଲୋକଙ୍କୁ ନିରାପଦ ସ୍ଥାନକୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ବାତ୍ୟା ସମୟରେ ସମୁଦ୍ର ଜୁଆର ଏକରୁ ଦୁଇ ମିଟର ପର୍ଯ୍ୟନ୍ତ ଆସିବା ପାଇଁ ଥିବା ବେଳେ ଜିଲ୍ଲାରେ ସାମୁଦ୍ରିକ ବନ୍ଧ ଦେଢ଼ ମିଟର ଉଚ୍ଚର ରହିଛି । ସେହିପରି ୮ଟି ଫିସ ଲ୍ୟାଣ୍ଡିଙ୍ଗ ସେଣ୍ଟର ଓ ୧୧ଟି ପ୍ରାଇମେରୀ କୋ ଅପରେଟିଭ ସୋସାଇଟି ମାଧ୍ୟମରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ମାଛ ନ ମାରିବାକୁ ଯିବା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।’ ବାତ୍ୟା ସମୟରେ କେହି କଚ୍ଚା ଘରେ ନରହି ନିରାପଦ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ସହ ବାତ୍ୟା ସମୟରେ କେହି ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

ପାରାଦ୍ବୀପରେ ଶିଳ୍ପ ମନ୍ତ୍ରୀଙ୍କ ସମୀକ୍ଷା:

CYCLONE DANA (ETV Bharat Odisha)

ଗତକାଲି ପାରାଦ୍ୱୀପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଜିଲାପାଳ ଜେ ସୋନାଲ ଓ ଏସପି ଭବାନୀ ଶଙ୍କର ଉଦ୍ଗାତ ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ବାତ୍ୟା ସମୟରେ ପାରାଦ୍ୱୀପ ଥିବା ଶିଳ୍ପାନୁଷ୍ଠାନ ଗୁଡିକରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଶିଳ୍ପ ମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସେହିପରି ଜିଲ୍ଲାପାଳ ଜେ ସୋନାଲ କହିଥିଲେ,ପାରାଦ୍ୱୀପରେ ବାତ୍ୟା ସମୟରେ ଶିଳ୍ପ ସଂସ୍ଥା ଗୁଡିକ ପ୍ରଶାସନକୁ ରିଲିଫ କାର୍ଯ୍ୟରେ ସହଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯାହା ସ୍ୱାଗତ ଯୋଗ୍ୟ । ଜିଲ୍ଲାପାଳ ଜେ ସୋନାଲ ଜିଲ୍ଲାର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ କହିଛନ୍ତି, ଜିଲ୍ଲାର ପାରାଦ୍ଵୀପ ମ୍ୟୁନିସପାଲିଟି, କୁଜଙ୍ଗ, ଏରସମା, ବାଲିକୁଦା ଅଞ୍ଚଳରୁ ୮୫୦୦ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା ଥିବାବେଳେ ୫୧୪୩ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି । ସେଥିମଧ୍ୟରୁ ୯୧ ଜଣ ଗର୍ଭବତୀ ମହିଳା ରହିଛନ୍ତି । ଆଶ୍ରୟ ସ୍ଥଳ ନିମନ୍ତେ ୧୫୦୦୦ ପାଣି ବୋତଲ ବ୍ୟବସ୍ଥା ରହିଛି । ଏହାଛଡା ୧ଟି ମୋବାଇଲ ଟ୍ରିଟମେଣ୍ଟ ୟୁନିଟ,୨୯ଟି ପାଣି ଟ୍ୟାଙ୍କ, ପ୍ରତ୍ୟେକ ବ୍ଲକ୍ ନିକଟରେ ଗୋଟିଏ ଜେସିବି, ଆବଶ୍ୟକ ପରିମାଣରେ ଔଷଧ ସମସ୍ତ ପିଏଚସି, ସିଏଚସି ପାଖରେ ମହଜୁଦ ଅଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଏରସମା ବ୍ଲକ ଠାରେ ଯୋଡି ହୋଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯାମିନୀ ଷଡ଼ଙ୍ଗୀ ଜିଲ୍ଲାର ସମସ୍ତ ପ୍ରସ୍ତୁତି ସଠିକ ସମୟ ଅନୁସାରେ ରହିଛି ବୋଲି କହିଥିଲେ ।

ନିଆଳିରେ ବିଧାୟକ କଲେ ଆଲୋଚନା:

CYCLONE DANA (ETV Bharat Odisha)

ବାତ୍ୟାକୁ ମୁକାବିଲା ପାଇଁ ନିଆଳି ବିଧାୟକ ଛବି ମଲ୍ଲିକ ନିଆଳି ଓ କଣ୍ଟାପଡ଼ା ବ୍ଲକରେ ପ୍ରସ୍ତୁତି ବୈଠକ କରିଛନ୍ତି । ଏହି ବୈଠକରେ ବିଭିନ୍ନ ସରକାରୀ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ବାତ୍ୟା ସମୟରେ ଅଘଟଣକୁ ଏଡ଼ାଇବା ପାଇଁ ୧୧ ଜଣିଆ ଓଡ୍ରାଫ ଟିମ ଗତକାଲି ନିଆଳିରେ ପହଞ୍ଚିଛନ୍ତି । ମିଳିଥିବା ସୂଚନା ମୁତାବକ ନିଆଳି ବିଧାୟକ ଛବି ମଲ୍ଲିକ କହିଛନ୍ତି," ପ୍ରଥମେ କଣ୍ଟାପଡ଼ା ବ୍ଲକ ପରିସରରେ ଦାନା ବାତ୍ୟାକୁ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସରକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଛି ।‌ ବାତ୍ୟା ସମୟରେ ଲୋକେ ଏବଂ ଗୋରୁଗାଈଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । କଚ୍ଚା ଘରେ ଥିବା ଲୋକ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ଅନୁରୋଧ କରାଯାଉଛି । ସେହିପରି ନିଆଳି ବ୍ଳକ ବିଡ଼ିଓଙ୍କ ସରକାରୀ କାର୍ଯ୍ୟାଳୟରେ ଦାନା ବାତ୍ୟାକୁ ନେଇ ସରକାରୀ ଅଧିକାରୀମାନଙ୍କୁ ଅନୁଷ୍ଠିତ ହୋଇଯାଇଛି । ଲୋକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ବିଧାୟକ କହିଛନ୍ତି । ନିଆଳିରେ ପାଖାପାଖି ୯୦ଟି ବାତ୍ୟା ଆଶ୍ରୟସ୍ଥଳି ଓ କଣ୍ଟାପଡ଼ା ବ୍ଲକରେ ୩୭ଟି ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ ହୋଇଛି । ସେହିପରି ନିଆଳିରେ ୧୧ ଜଣିଆ ଓଡ୍ରାଫ ଟିମ ପହଞ୍ଚିଛନ୍ତି ।

ଗଞ୍ଜାମରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମୀକ୍ଷା:

CYCLONE DANA (ETV Bharat Odisha)

ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ରହିବା ପାଇଁ ଏକ ପ୍ରକାର ସଜାଗ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବାତ୍ୟାକୁ ନେଇ ପାଣିପାଗ ବିଭାଗର ସତର୍କତା ସୂଚନା ମିଳିବା ପରେ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ସର୍କିଟ ହାଉସ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀ ମାନଙ୍କ ଉପସ୍ଥିତିରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଆଲୋଚନା କରିଥିଲେ । ମୁଖ୍ୟତଃ ଏହି ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବିଭୂତି ଭୂଷଣ ଜେନାଙ୍କ ସମୀକ୍ଷା (ETV Bharat Odisha)

ଯାହାକୁ ନେଇ ଗଞ୍ଜାମ ଜିଲ୍ଲାରେ ବିଶେଷ ଭାବେ ପ୍ରଭାବ ନଥିବା ବେଳେ ଏହାର ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ଛୁଟିକୁ ବାତିଲ କରାଯାଇଛି । ଏପରିକି ଜିଲ୍ଲାରେ ଆବଶ୍ୟକୀୟ ଔଷଧ, ଶୁଖିଲା ଖାଦ୍ୟ ସରଞ୍ଜାମ ମହଜୁଦ ରଖାଯାଇଛି । ସେହିପରି ସରକାରଙ୍କ ନିର୍ଦ୍ଦେଶନାମା ରହିଥିବା ଜିରୋ ଜାଜୁଆଲିଟିକୁ ଜିଲ୍ଲାରେ ଅଧିକ ଗୁରୁତ୍ବ ଦିଆଯାଇଛି । ଏପରିକି ଜିଲ୍ଲାରେ ତଳିଆ ଅଞ୍ଚଳରେ ରହିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି । ପୂର୍ବରୁ ଗଞ୍ଜାମ ବହୁତ ବଡ଼ ବଡ଼ ବାତ୍ୟାର ସମୁଖୀନ ହେଇଥିବା ଯୋଗୁଁ ଏହାକୁ ନେଇ କୌଣସି ଭୟଭୀତ ହେବାର ଆବଶ୍ୟକ ନଥିବା କହିଛନ୍ତି ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ।

ଏପରିକି ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ରଖାଯାଇଥିବା ବେଳେ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ ଲୋକଙ୍କ ଧନ ଜୀବନ ଯେପରି ସୁରକ୍ଷିତ ଭାବେ ରହିପାରିବ ତାହାରି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିସହ ପୂର୍ବରୁ ବାତ୍ୟା ପରେ ଯେପରି ବିଭିନ୍ନ ସ୍ଥାନରେ ପାଣି ଜମି ହୋଇ ରହି ଅନେକ ସମସ୍ୟା ଦେଖାଦେଇଥାଏ ତାହାକୁ ନେଇ ବର୍ତ୍ତମାନର ଧାନ ଜମିରେ ଯେପରି ସୁରକ୍ଷିତ ରହିପାରିବ ସେଥିଲାଗି ଦୃଷ୍ଟି ଦିଆଯିବା ସହିତ ସମସ୍ତେ ଭୟଭୀତ ନହୋଇ ଅତ୍ୟନ୍ତ ସତର୍କତାର ସହିତ ରହିବାର ଆବଶ୍ୟକ ରହିଥିବା କହିଛନ୍ତି ମନ୍ତ୍ରୀ । ଛତ୍ରପୁର ଠାରେ ଆୟୋଜିତ ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସହ ସମେତ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରିଣୀ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବାତ୍ୟା ସମ୍ପର୍କିତ ଖବର ପଢନ୍ତୁ:

ଭୀଷଣ ବାତ୍ୟାର ରୂପ ନେଇ ମାଡିଆସୁଛି ’ଦାନା’: ଧାମରାରୁ ୩୬୦ କି.ମି ଦୂରରେ କେନ୍ଦ୍ରୀଭୂତ, ଉପକୂଳରେ ପ୍ରଭାବ ଆରମ୍ଭ

ମାଡ଼ି ଆସୁଛି 'ଦାନା'; ଅସ୍ୱାସ୍ଥ୍ୟକର, ଅବ୍ୟବସ୍ଥା ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀ ! ‘ଇଟିଭି ଭାରତ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ

SRC କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା; କାଲି ଦିନ 11ଟା ସୁଦ୍ଧା 90% ସ୍ଥାନାନ୍ତର କହିଲେ ମୋହନ ମାଝୀ

ଲାଇଭ ଭୀଷଣ ବାତ୍ୟାର ରୂପ ନେଲା ‘ଦାନା': ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର, ଟ୍ରେନ ଚଳାଚଳ ବାତିଲ୍‌

ଇଟିଭି ଭାରତ, ଭୁବନେଶ୍ବର, ବାଲେଶ୍ବର, ମୟୂରଭଞ୍ଜ, ଜଗତସିଂହପୁର, ପୁରୀ, ନିଆଳି, ବ୍ରହ୍ମପୁର

ABOUT THE AUTHOR

...view details